ସଫେଇ କର୍ମଚାରୀଙ୍କ ଆନ୍ଦୋଳନ : ସହରରୁ ଉଠିଲାନି ଅଳିଆ

ପୁରସ୍କାର ଖୁସିରେ ମୂଳ କାମ ଭୁଲିଯାଉଛି ବିଏମ୍‌ସି

ଭୁବନେଶ୍ୱର: ସହରର ସଫେଇ କାର୍ଯ୍ୟ ପରିଚାଳନାରେ ବିଏମ୍‌ସିର ଚରମ ଅବହେଳା ପୁଣି ପଦାକୁ ଆସିଛି। ଦୁଇ ମାସ ବ୍ୟବଧାନ ପରେ ଆଜି ପୁଣି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରର ଅଧିକାଂଶ ସ୍ଥାନରୁ ଅଳିଆ ଉଠିପାରିନି। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଅପରିଷ୍କାର ହୋଇ ପଡ଼ି ରହିଛି। ସକାଳୁ କର୍ମଚାରୀମାନେ ରାସ୍ତା ସଫା କରି ନାହାନ୍ତି କି ଗାଡ଼ି ଅଳିଆ ଉଠାଇନି। ଯଦିଓ ସନ୍ଧ୍ୟା ସୁଦ୍ଧା ବିବାଦର ତାଳିପକା ସମାଧାନ ହୋଇଛି, ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସହରର ଏପରି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ପଟେ ଦେଶବିଦେଶରୁ ବିଭିନ୍ନ ସମ୍ମାନ ଗୋଟାଇ ବିଏମ୍‌ସି ଅଧିକାରୀ ଓ କର୍ପୋରେଟର୍‌ ଉତ୍ସବ ପାଳନ କରୁଛନ୍ତି। ଅନ୍ୟ ପଟେ ମୌଳିକ ସମସ୍ୟା ସମାଧାନ କରି ନ ପାରି ବିଏମ୍‌ସି କର୍ତ୍ତୃପକ୍ଷ ନାଗରିକମାନଙ୍କୁ ଅଣନିଃଶ୍ୱାସୀ କରିଦେଉଛନ୍ତି। ନିୟମିତ ବ୍ୟବଧାନରେ ସଫେଇରେ ଏପରି ଅବ୍ୟବସ୍ଥା ସହରରେ ଅସନ୍ତୋଷ ସୃଷ୍ଟି କରିଛି। ଗତ ଜାନୁଆରି ୨୦ ତାରିଖରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ସେମାନଙ୍କ ମୁଖ୍ୟ ଦାବି ଥିଲା ଦରମା ବୃଦ୍ଧି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦେବାକୁ ସେମାନେ ଦାବି କରିଥିଲେ। ତେବେ ସହରର ସଫେଇ ଦାୟିତ୍ୱରେ ଥିବା ତିନିଟି ଘରୋଇ ସଂସ୍ଥାଙ୍କ ଯୁକ୍ତି ଥିଲା, ବିଏମ୍‌ସି ମଜୁରୀ ବାବଦକୁ ଯେତିକି ଅର୍ଥ ଦେଉଛି, ତାହା ସେମାନେ ପ୍ରଦାନ କରୁଛନ୍ତି। ବିଏମ୍‌ସି ମଜୁରୀ ବୃଦ୍ଧି କଲେ, ସେମାନଙ୍କ ଦେବାରେ ଆପତ୍ତି ନାହିଁ। ସେତେବେଳେ ବିଏମ୍‌ସି ଅଧିକାରୀ, ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ପ୍ରତିିନିଧି ଓ ସଫେଇ କର୍ମଚାରୀଙ୍କ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାସକ ଭିତରେ ବିଏମ୍‌ସି ବର୍ଦ୍ଧିତ ହାରରେ ଘରୋଇ ସଂସ୍ଥାକୁ ଦେୟ ଦେବ ବୋଲି ସ୍ଥିର ହୋଇଥିଲା। ଏଥି ପାଇଁ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା।

ଏହା ମଧ୍ୟରେ ପାଖାପାଖି ଦୁଇ ମାସ ପୂରିବାକୁ ବସିଲାଣି। କିନ୍ତୁ ବିଏମ୍‌ସିର ଯୋଗ୍ୟ ଅଧିକାରୀମାନେ ଏହି ସମସ୍ୟାର ସମାଧାନର ବାଟ ବାହାର କରିପାରିଲେନି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୫୭ଟି ଓ୍ଵାର୍ଡର ସଫେଇ ଦାୟିତ୍ୱରେ ତିନିଟି ଘରୋଇ ସଂସ୍ଥା ଅଛନ୍ତି। ୨୦୧୩ ମସିହାରେ ଏହି ସଂସ୍ଥାଗୁଡ଼ିକ ସହ ବିଏମ୍‌ସିର ଚୁକ୍ତି ହୋଇଥିଲା। ଘରୋଇ ସଂସ୍ଥାକୁ ଟନ୍‌ ପିଛା ଯେତିକି ଅର୍ଥ ଦିଆଯାଉଛି, ତାହାର ୫୦ ପ୍ରତିଶତ କର୍ମଚାରୀଙ୍କ ମଜୁରୀ ବାବଦକୁ ଦିଆଯାଉଛି। ଯେହେତୁ ୨୦୧୫ରେ ସରକାର ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ, ତେଣୁ ବିଏମ୍‌ସି ସେହି ହିସାବରେ ଟନ୍‌ ପିଛା ଦର ବୃଦ୍ଧି କରିବା କଥା। କିନ୍ତୁ ବିଏମ୍‌ସି ତାହା କରି ନାହିଁ। ଫଳରେ ସଫେଇ କର୍ମଚାରୀମାନେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଥିବାରୁ ଘରୋଇ ସଂସ୍ଥାଗୁଡ଼ିକୁ ବର୍ଦ୍ଧିତ ମଜୁରୀ ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। କିନ୍ତୁ ବିଏମ୍‌ସି ଦୀର୍ଘ ବର୍ଷ ଧରି ବର୍ଦ୍ଧିତ ଅର୍ଥ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ଘରୋଇ ସଂସ୍ଥାଗୁଡ଼ିକ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ଦେବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି। ବିଏମ୍‌ସି ବି ତାହାର ଏକ ସ୍ଥାୟୀ ସମାଧାନର ବାଟ ବାହାର କରୁ ନାହିଁ। କେବଳ ଦିନ ଗଡ଼ାଇ ବିଏମ୍‌ସି ତା’ର ଦାୟିତ୍ୱ ସାରିଦେଉଛି। ଗତ ଜାନୁଆରି ମାସରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ସହରରେ ଅଭାବନୀୟ ସ୍ଥିତି ସୃଷ୍ଟି କରିଥିଲା। ଏଥର ବିଏମ୍‌ସି କର୍ତ୍ତୃପକ୍ଷ ଚେତିବେ ବୋଲି ସମସ୍ତେ ଭାବିଥିଲେ। ତାହା ସତ୍ତ୍ୱେ ସ୍ଥିତି ନ ସୁଧୁରିବାରୁ ପୁଣି ଆଜି ସମାନ ସ୍ଥିତି ସୃଷ୍ଟି ହେଲା। କର୍ମଚାରୀମାନେ ଆନ୍ଦୋଳନ କରି ରାସ୍ତାରେ ଝାଡ଼ୁ ମାରିଲେନି କି ଅଳିଆ ଉଠାଇଲେ ନାହିଁ। ତାହା ସହ ଡଷ୍ଟବିନ୍‌ରୁ ଅଳିଆ ଉଠାଇବା ପାଇଁ ନିୟୋଜିତ ହେଉଥିବା ଗାଡ଼ିକୁ ମଧ୍ୟ ଜୋର୍‌ଜବରଦସ୍ତ ଅଟକାଇଲେ। ଫଳରେ ଆଜି ବହୁ ସ୍ଥାନରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଆଜି ଦିନତମାମ ସଫେଇରେ ଅଚଳାବସ୍ଥା ସୃଷ୍ଟି ହେଲା ପରେ ସନ୍ଧ୍ୟାରେ ବିଏମ୍‌ସି କାର୍ଯ୍ୟାଳୟରେ ତ୍ରିପାକ୍ଷିକ ବୈଠକ ହୋଇଥିଲା। ବିଏମ୍‌ସି ଅଧିକାରୀ, ଘରୋଇ ସଂସ୍ଥାର ପ୍ରତିିନିଧି ଓ ସଫେଇ କର୍ମଚାରୀଙ୍କ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଖୁବ୍‌ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୁଣା ପ୍ରତିଶ୍ରୁତିକୁ ବିଏମ୍‌ସି ଅଧିକାରୀମାନେ ଦୋହରାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ କାର୍ଯ୍ୟରେ ସହଯୋଗ କରିବାକୁ କର୍ମଚାରୀଙ୍କୁ ଅନୁରୋଧ କରାଯାଇଥିଲା। ଏଥିରେ ସମ୍ମତି ଜଣାଇ ଆସନ୍ତାକାଲି ସେମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର