ଛିଡୁନି ଆପାର୍ଟମେଣ୍ଟ ବିବାଦ: ଭିତ୍ତିହୀନ ତଥ୍ୟ ଦେଇ ଭୂଆଁ ବୁଲାଉଛି ବିଲ୍ଡର, ପୁଲିସ ବି କାର୍ଯ୍ୟାନୁଷ୍ଠାନ ନେଉନାହିଁ

ଭୁବନେଶ୍ବର: ଜିଜିପି କଲୋନିସ୍ଥିତ ପୂଜା ପାରାଡାଇସ୍‌ ଆପାର୍ଟମେଣ୍ଟର ବିବାଦ ଛିଡ଼ିବାର ନାଁ ଧରୁନି। ପୂଜା ଆର୍କିଟେକ୍ଚର ଆଣ୍ଡ ଇଷ୍ଟେଟ୍‌ ବିଲ୍ଡର ସଂସ୍ଥା ମିଥ୍ୟା ତଥ୍ୟ ଦେଇ ଭୂଆଁ ବୁଲାଉଛି। ଏମିତିକି ରେରା ନିର୍ଦେଶକୁ ବି ସଂସ୍ଥା ଖୋଲାଖୋଲି ଉଲ୍ଲଂଘନ କରିଛି। ଆପାର୍ଟମେଣ୍ଟର ନିର୍ମାଣଠାରୁ ଆରମ୍ଭ କରି ଜମି ସମସ୍ୟାର ସମାଧାନ ପାଇଁ ରେରା ନିର୍ଦେଶ ଦେଇଥିବା ବେଳେ ସଂସ୍ଥା କୌଣସି ପଦକ୍ଷେପ ନେଇନାହିଁ। ଏନେଇ ଫ୍ଲାଟ୍ କିଣିଥିବା ବିଶ୍ବନାଥ ପାଢ଼ୀ, ପ୍ରତାପ ନାୟକ, ମୀନକେତନ ପାଣିଗ୍ରାହୀ, ଯଶୋଧରା ଗିରି, ନିରୁପମା ପାଢ଼ୀ ସ୍ଥାନୀୟ ମଞ୍ଚେଶ୍ବର ଥାନାରେ ମଧ୍ୟ ବିଲ୍ଡର୍‌ ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗକାରୀ କହିଛନ୍ତି।

ବିଲ୍ଡର ସଂସ୍ଥାର ମ୍ୟାନେଜିଂ ପାଟର୍ନର ଶ୍ରୀଧରଚନ୍ଦ୍ର ବଳ ଯେଉଁ ଅଭିଯୋଗ ଆଣିଥିଲେ ‌ଯେ, ତାଙ୍କ ସଂସ୍ଥା ଫ୍ଲାଟ ମାଲିକଙ୍କୁ ସିମ୍ବଲିକ୍‌ ପଜେସନ୍‌ ଦେଇଛି। ଫିଜିକାଲ୍‌ ପଜେସନ୍‌ ଦେଇନାହିଁ। କାରଣ ଫ୍ଲାଟ ବାବଦକୁ ଏକ କୋଟି ଏକ ଲକ୍ଷ ଟଙ୍କା ବାକିଥିଲା। ଯେଉଁଥିପାଇଁ ସେମାନେ ଧରିତ୍ରୀ ଜେନାଙ୍କ ଦଲିଲ୍‌ ବନ୍ଧକ ରଖି ପର୍ଶୁରାମ ରାୟ, ପ୍ରତାପଚନ୍ଦ୍ର ନାୟକ, ବିଶ୍ବନାଥ ପାଢ଼ୀ ଏବଂ ରତ୍ନାକର ଗିରି ସମସ୍ତେ ଦସ୍ତଖତ ଦେଇଛନ୍ତି। ଆଉ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ବ୍ୟବସାୟୀକ ସହଯୋଗୀ ବାପାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ହେଲେ ଏବେ ବି ୫୬ଲକ୍ଷ ଟଙ୍କା ବାକି ରହିଛି। ସେମାନେ ବାକି ଟଙ୍କା ଦେବା ପରେ କାମକୁ ସମ୍ପୂର୍ଣ୍ଣ କରିବା ସହ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।

ଅପରପକ୍ଷେ ଫ୍ଲାଟ ମାଲିକମାନେ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ଶ୍ରୀ ବଳ ୭ଜଣଙ୍କୁ ଦଲିଲ୍‌ ଫେରସ୍ତ କରିଥିବା ବେଳେ ଧରିତ୍ରୀ ଜେନାଙ୍କ ଦଲିଲ୍‌ ହଜିଯାଇଥିବା କହିଥିଲେ। ଆଉ ସେହି ଦଲିଲ୍‌କୁ ରଖି, ଜାଲ୍‌ କାଗଜପତ୍ର କରି ହଇରାଣ କରୁଛି। ଏଥିପାଇଁ କୌଣସି ଏଗ୍ରିମେଣ୍ଟ ହୋଇନାହିଁ। ଏହାଛଡ଼ା ସତ୍ୟା ରାଉତଙ୍କ ପୁଅ ରବି ରାଉତ ଯେଇଁ ୯ ଡି‌ସିମିଲ୍‌ ଜାଗା ତାଙ୍କର ବୋଲି ଦାବି କରୁଛନ୍ତି; ଏଥିପାଇଁ ସେ ଗତ ୫ବର୍ଷ ତଳେ ଜାଗା ବାବଦକୁ ୧୨ଲକ୍ଷ ୮୦ ହଜାର ଟଙ୍କା ନେଇସାରିଛନ୍ତି। ଏହା ସହ ଆପାର୍ଟମେଣ୍ଟ ସୋସାଇଟିରେ ଥିବା ୧୬ ସିଡିମିଲ୍‌ ଜାଗାକୁ ଜୋରଜବରଦସ୍ତି ଦଖଲରେ ରଖିଛନ୍ତି। ଆପାର୍ଟମେଣ୍ଟ ନିର୍ମାଣ ପରେ ଶ୍ରୀ ବଳ ଏବଂ ରାଉତ ମିଶି ବ୍ଲାକ୍‌ମେଲିଂ କରିଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ପୁନଶ୍ଚ ଆପାର୍ଟମେଣ୍ଟକୁ ଶାଗମାଛ ଦରରେ ନିଜ ହାତକୁ ନେବା। ଏହାର ସୁଯୋଗ ନେଇ ରବି ଆପାର୍ଟମେଣ୍ଟରେ ଗାଈ ବାନ୍ଧୁଛି। ବିଭିନ୍ନ ସମୟରେ ବରିଷ୍ଠନାଗରିକଙ୍କୁ ଗାଳିଗୁଲଜ କରି ଅପମାନିତ କରୁଛି ବୋଲି ଫ୍ଲାଟ୍‌ ମାଲିକ ଅଭିଯୋଗ ଆଣିଛନ୍ତି। ବିଲ୍ଡର ଘଟଣାର ସମାଧାନ ନକଲେ ସେମାନେ କମିସନରଙ୍କୁ ଭେଟିବେ‌ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର