ସ୍ବଚ୍ଛତାକୁ ଗୁରୁତ୍ବ ଏମିତି, ବର୍ଷେ ପୂରିବ, ବାୟୋ ଟଏଲେଟ୍ ନିର୍ମାଣ ସରିଲାନି

ଭୁବନେଶ୍ବର: ଗତବର୍ଷ ନଭେମ୍ବର ୧୭ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ବାଇଓ ଟଏଲେଟ୍‌ର ଶୁଭ ଦେଇଥିଲେ ମେୟର ଅନନ୍ତ ନାରାୟଣ ଜେନା। ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ପରବର୍ତୀ ପର୍ଯ୍ୟାୟରେ ଆଉ ୧୦ଟି ବାଇଓ ଟଏଲେଟ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଆଉ ଗୋଟିଏ ମାସ ପରେ ଏହାକୁ ବର୍ଷ ପୂରିବ। ବିଏମ୍‌ସି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଟଏଲେଟ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲାନି। ହସ୍ପିଟାଲ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସ୍ବଚ୍ଛତା ନେଇ ବିଏମ୍‌ସିର ଗୁରୁତ୍ବ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତ ମାନର ହସ୍ପିଟାଲରେ ପରିଣତ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ସମୀକ୍ଷା କରୁଛନ୍ତି। ତେବେ ହସ୍ପିଟାଲରେ ଥିବା ଏହି ମୌଳିକ ସମସ୍ୟା ପ୍ରତି କାହାର ନଜର ପଡ଼ୁନି। ଅତ୍ୟାଧୁନିକ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହେଉଛି, ମାତ୍ର ନିହାତି ଆବଶ୍ୟକ ଟଏଲେଟ୍ ନିର୍ମାଣ କାର୍ଯ୍ୟ କିଭଳି ତ୍ବରାନ୍ବିତ ହେବ ତାହାକୁ ସମ‌େସ୍ତ ଭୁଲି ଯାଇଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟକ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ହସ୍ପିଟାଲ ପରିସରରେ ଏକ ଶୌଚାଳୟ ନ ଥିବାରୁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯଦିଓ ହସ୍ପିଟାଲ ପଛରେ ଏକ ଶୌଚାଳୟ ରହିଛି, ହସ୍ପିଟାଲରୁ ଦୂରରେ ଥିବା ଅନେକ ସେଠାକୁ ଯିବାକୁ ପସନ୍ଦ କରୁନାହାନ୍ତି। ଏହାକୁ ନଜରରେ ରଖି ଗତବର୍ଷ ହସ୍ପିଟାଲ କର୍ତୃପକ୍ଷଙ୍କ ବିଏମ୍‌ସି ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା। ହସ୍ପିଟାଲ ପରିସରର ଦୁଇଟି ସ୍ଥାନରେ ଏଥିପାଇଁ ବାଇଓ ଟଏଲେଟ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରଥମେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ସିଏଚ୍‌ ବିଲ୍ଡିଂ ନିକଟରେ ଏହାକୁ ନିର୍ମାଣ କରିବା ପାଇଁ ଯୋଜନା ହୋଇଥିଲା। ଗତବର୍ଷ ନଭେମ୍ବରରେ ଏହାର ଶୁଭ ଦିଆଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୦ଟି ଟଏଲେଟ୍ ମଧ୍ୟରୁ ୬ଟି ପୁରୁଷ ଓ ୪ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଶୌଚ ପାଇଁ ଅର୍ଥ ଆଦାୟ କରାଯିବ। ଏବେ ସଂପୃକ୍ତ ସ୍ଥାନରେ ଏକ ଘର ଠିଆ ହୋଇଛି। ବାଇଓ ଟଏଲେଟ୍ ଲାଗିବାଠାରୁ ଆରମ୍ଭ କରି ପାଣି ସଂଯୋଗ କାର୍ଯ୍ୟ ଶେଷ ହୋଇନାହିଁ। ଚଳିତବର୍ଷ ଏପ୍ରିଲ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଥିଲା। କଣ୍ଟ ପୂରି ଆହୁରି ୫ ମାସ ବିତିଗଲାଣି। ମାତ୍ର ଏହାର ନିର୍ମାଣ କାର୍ଯ୍ୟ ଯେଉଁ ଢଙ୍ଗରେ ଚାଲିଛି, ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କେବେ ଏହା ହସ୍ପିଟାଲ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ, ତାହାକୁ ନେଇ କର୍ତ୍ତୃପକ୍ଷ ମଧ୍ୟ ସନ୍ଦେହରେ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ପଦ ଗ୍ରହଣ କରିବା ପୂର୍ବରୁ ଏହାର ନିଷ୍ପତ୍ତି ହୋଇଥିଲା। ଟଏଲେଟ୍ ନିର୍ମାଣ ନେଇ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏହାର ବଳକା କାର୍ଯ୍ୟ ଆରମ୍ଭ ହେବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର