ଖୋଳିଦେଇ ଭୁଲିଗଲେ, ଭାସିଗଲେ ଚେତିବେ

ଭୁବନେଶ୍ୱର: ଜୁନ୍‌ ମାସରେ ଲଗାଣ ବର୍ଷା ଯୋଗୁଁ ମୁଖ୍ୟ ଡ୍ରେନ୍‌-୧୦ରୁ ପାଣି ଉଛୁଳିିଲା। ଭାଗବତ ସନ୍ଧାନଠାରୁ ଆରମ୍ଭ କରି ଜଗନ୍ନାଥ ଆଭେନ୍ୟୁ ପର୍ଯ୍ୟନ୍ତ ଘରେ ପାଣି ପଶିଲା। ଜଳ ନିଷ୍କାସନ ପାଇଁ ବିଏମ୍‌ସି ଓ ଜଳସମ୍ପଦ ବିଭାଗ ଅଧିକାରୀ ଅଣ୍ଟା ଭିଡ଼ିଲେ। ଦୟା େଵଷ୍ଟ କେନାଲକୁ ଏହି ପାଣି ଛାଡ଼ିବା ପାଇଁ କେନାଲ ରୋଡ୍‌ରେ ପ୍ରାୟ ୧୦-୧୫ ଫୁଟ ଓସାରର ରାସ୍ତା ଖୋଳାଗଲା। ବମିଖାଲ ଦୁର୍ଗା ମଣ୍ଡପ ପଛ ରାସ୍ତା ଓ ଭଗବାନ ଟାୱାର ପାର୍ଶ୍ୱବର୍ତ୍ତୀ ରାସ୍ତା ମଧ୍ୟ ଖୋଳାଗଲା। ରାସ୍ତା ଖୋଳାଯାଇ ଆର୍‌ସିସି ପାଇପ ପକାଇ ପାଣି କେନାଲକୁ ନିଷ୍କାସିତ ହେଲା। କିନ୍ତୁ ରାସ୍ତା ଖୋଳିବା ପରେ ଅଧିକାରୀମାନେ ପୋତିବାକୁ ଭୁଲିଗଲେ । ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ରାସ୍ତା ପୋତାଗଲା। କିନ୍ତୁ କାମଚଳା ଢଙ୍ଗରେ। ନା ପାଇପ ଦିଆଗଲା ନା ଜଳ ନିଷ୍କାସନ ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କରାଯାଇ ରାସ୍ତା ବନ୍ଦ ହେଲା। ପୁଣି ରାସ୍ତା ଯେଭଳି ଭାବେ ପୋତା ଯାଇଛି ତାହା ବର୍ଷା ଦିନର କେଇ ଦିନର ଜଳକଷ୍ଟରୁ ବଳିଯାଇଛି। ଭଗବାନ ଟାଵାର ପାର୍ଶ୍ବବର୍ତ୍ତୀ ରାସ୍ତାକୁ ମନ ଇଚ୍ଛା ମାଟି ପକାଇ ପୋତା ଯାଇଛି। ଏହାର ଦୁଇ ପାର୍ଶ୍ୱ ସେମିତି ଛାଡ଼ି ଦେବା ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ୨-୩ ଫୁଟ ଖାଲ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ଷା ହେଲେ ଡ୍ରେନ୍‌ରେ ପ୍ରଖର ସୁଅରେ ପାଣି ପ୍ରବାହିତ ହୋଇଥାଏ। ପରିସ୍ଥିତି ଏମିତି ହୋଇଛି ଯେ କେହି ଡ୍ରେନ୍‌ରେ ଭାସିଗଲା ପରେ ଯାଇ ପ୍ରଶାସନିକ ଅଧିକାରୀମାନେ ଚେତିବେ। ଦୁଇ ପାଖ ପୋତା ନଯିବା ଫଳରେ ରାସ୍ତା ବହୁତ ସଙ୍କୁଚିତ ହୋଇଯାଇଛି। ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ଏହି ରାସ୍ତାରେ ପ୍ରତିଦିନ ୧୦ ହଜାରରୁ ଊର୍ଧ୍ୱ ଲୋକ ଯା’ ଆସ କରୁଥିବା ବେଳେ ସକାଳ ସଞ୍ଜରେ ଏକାଧିକ ସ୍କୁଲ ବସ୍‌ ମଧ୍ୟ ଯାଉଛି। ଏଭଳି ଅବସ୍ଥାରେ ରାସ୍ତାର ଶୋଚନୀୟ ସ୍ଥିତି ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ସାଜିଛି।

ବିନା ଯୋଜନାରେ ଖୋଳୁଛନ୍ତି, ପୋତୁଛନ୍ତି
ପଳାଶୁଣୀରୁ ଲକ୍ଷ୍ମୀସାଗର ସଂଯୋଗ କରୁଥିବା ଏହି ରାସ୍ତା ବର୍ତ୍ତମାନ ପ୍ରମୁଖ ରାସ୍ତାରେ ପରିଣତ ହୋଇଛି। ପୁଣି ପାର୍ବଣ ଋତୁ ଆସି ଯାଇଥିବାରୁ ରସୁଲଗଡ଼, ବମିଖାଲ ଓ ଝାରପଡ଼ା ଦୁର୍ଗା ପୂଜା ଦେଖିବାକୁ ଯିବା ପାଇଁ ଏହି ରାସ୍ତା ମୁଖ୍ୟ ରାସ୍ତା ପାଲଟିବ। କିନ୍ତୁ ରାସ୍ତାର ଏଭଳି ଶୋଚନୀୟ ସ୍ଥିତି ଏଠାରେ ସମସ୍ୟା ସୃଷ୍ଟି କରିବ। ଜଳ ନିଷ୍କାସନ ପାଇଁ ବିନା ଯୋଜନାରେ ରାସ୍ତାର ଦୁଇଟି ଜାଗା ଖୋଳିଲେ। ଏବେ ପାଇପ ନ ପକାଇ ପୋତି ଦେଲେ। ଆସନ୍ତା ବର୍ଷ ପୁଣି ଏହି ସମସ୍ୟା ଉପୁଜିଲେ ପୁଣି ଥରେ ରାସ୍ତା ଖୋଳିବେ। ଏ କି ପ୍ରକାର ନୀତି ବୁଝି ହେଉନି।
ବୃନ୍ଦାବନ ପ୍ରଧାନ, ସମ୍ପାଦକ, ମହାବୀର ବଜାର କମିଟି

୨ ମାସ ହେଲା ମାଟି ମୁଠେ ପଡ଼ିଲାନି
କୁହାଯାଉଛି ବମିଖାଲ ଦୁର୍ଗା ମଣ୍ଡପ ପଛ ରାସ୍ତା ପାଇଁ ୧୧ ଲକ୍ଷ ଟଙ୍କାର ଟେଣ୍ଡ୍‌ର ଓ ଭଗବାନ ଟାଵାର ପାର୍ଶ୍ୱବର୍ତ୍ତୀ ରାସ୍ତା ପାଇଁ ୧୫ ଲକ୍ଷ ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। କିନ୍ତୁ ୨ ମାସ ହେଲା ନାହିଁ ନଥିବା ଅସୁବିଧା ଭୋଗୁଥିଲେ ବି ମାଟି ମୁଠେ ରାସ୍ତାରେ ପଡ଼ିନି।
ରଣଜିତ୍‌ ପାଲ୍‌, ବ୍ୟବସାୟୀ

ପୋଲ ଗୋଟିଏ କରିଦେଲେ ଭଲ ହୁଅନ୍ତା
୨ ମାସ ତଳେ ଖୋଳି ଦେଇଥିଲେ। ଏବେ ମାସେ ତଳେ ଆସି ମାଟି ପକାଇ ପୋତିଲେ। କିନ୍ତୁ ସମସ୍ୟାକୁ ସମସ୍ୟା ରହିଗଲା। କିଛି ସମାଧାନ ହେଲା ନାହିଁ। ପୁଣି ବର୍ଷା ଆସିବ ଓ ଜଳର ପ୍ରଖରତାରେ ପୁଣି ସବୁ ଭାଙ୍ଗିଯିବ। ଏତେ ସବୁ ନ କରି ପୋଲ ଗୋଟେ କରିଦେଲେ ସମସ୍ତେ ଉପକୃତ ହୁଅନ୍ତେ।
ସୁବାସ କୁମାର ପ୍ରଧାନ, ବ୍ୟବସାୟୀ, ବମିଖାଲ କେନାଲ ରୋଡ୍‌

ସମ୍ବନ୍ଧିତ ଖବର