ଖଣ୍ଡଗିରି: ୩ ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇ ଦେଇଥିବା ବାଳୁତ ଦନ୍ତା ଶନିବାର ବିଳମ୍ବିତ ରାତିରେ ଚନ୍ଦକା ଅଭୟାରଣ୍ୟକୁ ଫେରିଯାଇଛି। ତଥାପି ଭରତପୁର, ଘାଟିକିଆ, ଖଣ୍ଡଗିରିବାରୀ ଓ ତପୋବନ ବସ୍ତି ଅଞ୍ଚଳରେ ଲୋକଙ୍କ ମନରୁ ଭୟ ଟଳିନି। ବନ ବିଭାଗ ମଧ୍ୟ ଦନ୍ତା ଉପରେ କଡ଼ା ନଜର ରଖିଛି। ଆଜି ଦିନ ତମାମ୍ ଦନ୍ତା ଅଭୟାରଣ୍ୟ ଭିତରୁ ବାହାରି ନାହିଁ। ଏମିତିକି ସନ୍ଧ୍ୟାରେ ବି ସେ ଜଙ୍ଗଲରୁ ବାହାରି ନଥିବା ବନ କର୍ମଚାରୀମାନଙ୍କଠାରୁ ଜଣାପଡ଼ିଛି। ଚନ୍ଦକା ଓ ଭରତପୁର ରେଂଜ୍ର କର୍ମଚାରୀମାନେ ପାଟ୍ରୋଲିଂ ଗାଡ଼ିରେ ବୁଲୁଛନ୍ତି।
ଏସିଏଫ୍ ଶରତ କୁମାର ବେହେରାଙ୍କ ସୂଚନାନୁସାରେ ସନ୍ଧ୍ୟାରେ ହାତୀମାନେ ଜଙ୍ଗଲରୁ ବାହାରିବା ଏକ ସାଧାରଣ ଘଟଣା ହୋଇଥିଲେ ବି ଦନ୍ତା ଆଜି ବାହାରି ନାହିଁ। ବାଟବଣା ହୋଇ ସହରକୁ ପଶି ଆସିଥିବା ଦନ୍ତା ତିନି ଦିନ ଧରି ରାଜଧାନୀରେ ରହିଯିବା ପରେ ଘୋର ଭୟ ପାଇଯାଇଛି। ଦଳଛଡ଼ା ହୋଇଥିବା ଏହି ବାଳୁତ ଦନ୍ତାଟି ଫାର୍ମରେ କଦଳୀ ଗଛ ଓ କଦଳୀ ଖାଇଥିଲେ ବି ତାହା ତା’ ପାଇଁ ଯଥେଷ୍ଟ ନୁହେଁ। ତେଣୁ ଭୋକ ସାଙ୍ଗକୁ ଭୟ ଯୋଗୁଁ ଦନ୍ତାଟି ଆଉ ସହରମୁହାଁ ହେବ ନାହିଁ ବୋଲି ଆଶା କରାଯାଉଛି। ତଥାପି ବଣୁଆ ଜନ୍ତୁଙ୍କ ଗତିବିଧି ଉପରେ ନିର୍ଦ୍ଦିଷ୍ଟଭାବେ କିଛି ଅନୁମାନ ଲଗାଇବା କଷ୍ଟ ବୋଲି ଏସିଏଫ୍ ଶ୍ରୀ ବେହେରା କହିଛନ୍ତି।
ପୁଣି ଅଭୟାରଣ୍ୟରୁ ଫେରିପାରେ!
ଚନ୍ଦକା ଅଭୟାରଣ୍ୟରେ ଏବେ ହାତୀମାନଙ୍କ ପାଇଁ ଖାଦ୍ୟର ଘୋର ଅଭାବ। ହାତୀ ଖାଦ୍ୟଭାବେ ଜଣାଶୁଣା ଗଛପତ୍ରଠାରୁ ଆରମ୍ଭ କରି ହାତୀ ଖାଦ୍ୟଭାବେ ଖାଉଥିବା ବିଭିନ୍ନ ଗଛର ମୂଳ ମଧ୍ୟ ନାହିଁ। ତେଣୁ ଏହି ହାତୀ ଅଭୟାରଣ୍ୟରେ ଆଉ ହାତୀମାନେ ରହୁନାହାନ୍ତି। କାଁ ଭାଁ ଯେଉଁ ହାତୀମାନେ ଚନ୍ଦକା ଜଙ୍ଗଲ ଭିତରକୁ ଆସନ୍ତି, ସେମାନେ ଅଧିକ ଦିନ ନ ରହି ପୁଣି ଅନ୍ୟତ୍ର ଫେରି ଯାଉଛନ୍ତି। ବେଳେବେଳେ ହାତୀମାନେ ଖାଦ୍ୟ ଅନେ୍ଵଷଣ କରିବା ପାଇଁ ବାଟବଣା ହୋଇ ରାଜଧାନୀ ମୁହାଁ ହେଉଛନ୍ତି। ଏଭଳି ଘଟଣାକ୍ରମରେ ଏହି ଦନ୍ତାଟି ରାଜଧାନୀକୁ ପଶି ଆସିଥିଲା। ୩ ଦିନ ଧରି ରାଜଧାନୀରେ ରହିବା ଭିତରେ ନିଜେ ହନ୍ତସନ୍ତ ହୋଇଛି ଓ ବନ ବିଭାଗ ସହ ଲୋକଙ୍କୁ ହନ୍ତସନ୍ତ କରିଛି। ଏବେ ଚନ୍ଦକା ଅଭୟାରଣ୍ୟ ଭିତରକୁ ଫେରି ଯାଇଛି। ମାତ୍ର ସେଠାରେ ଖାଦ୍ୟାଭାବ ତାକୁ ଅଧିକ ଦିନ ରହିବାକୁ ଦେବନାହିଁ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BIBHUTI-ELEPHANT.jpg)
/sambad/media/post_attachments/wp-content/uploads/2018/02/BUBHUTI-ELEPHANT-300x205.jpg)