ଅଶୋକା ମାର୍କେଟ୍‌ ଅଡ଼ୁଆ ଛିଡ଼ୁନି

୧୦ଜଣ ଚାବି ନେଲେ, ୧୧୯ଜଣ ନେଲେନି,ଆଜି ହାଇକୋର୍ଟରେ ମତ ରଖିବ ବିଏମ୍‌ସି

ଭୁବନେଶ୍ୱର: ରେଳ ଷ୍ଟେସନ୍‌ ମଲ୍‌ଟି ମୋଡାଲ ହବ୍‌ ଏବଂ ଭୁବନେଶ୍ୱର ଟାଉନ୍‌ ସେଣ୍ଟର ନିର୍ମାଣ ପାଇଁ ଅଶୋକା ମାର୍କେଟ୍‌ ଅଡ଼ୁଆ ଛିଡ଼ୁନି। ଅଶୋକା ମାର୍କେଟ୍‌ ବ୍ୟବସାୟୀଙ୍କୁ ଏ ପର୍ଯ୍ୟନ୍ତ ମାର୍କେଟ୍‌ରୁ ସ୍ଥାନାନ୍ତର କରାଯାଇପାରି ନଥିବାରୁ ମାର୍କେଟ୍‌ ଉଚ୍ଛେଦ ଆରମ୍ଭ ହୋଇପାରୁନି। ଏପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବି ଆଜି ମାତ୍ର ୯ଜଣ ବ୍ୟବସାୟୀ ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ନୂତନ ସ୍ଥାନକୁ ଯିବା ପାଇଁ ଚାବି ଗ୍ରହଣ କରିଛନ୍ତି।

ନଭେମ୍ବର ଶେଷ ସୁଦ୍ଧା ଅଶୋକା ମାର୍କେଟ୍‌ ଉଚ୍ଛେଦ କରିବା ପାଇଁ ବିଡିଏ ଟାର୍ଗେଟ୍‌ ରଖିଥିଲେ ହେଁ ହାଇକୋର୍ଟରେ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇନଥିବାରୁ ଏ ପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରିନାହିଁ। ଅପରପକ୍ଷେ ସୋମବାର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୧୦ଦିନ ମଧ୍ୟରେ ମାର୍କେଟ୍‌ ଖାଲି କରିବାକୁ କହିଛନ୍ତି। ଆଜି ଅପରାହ୍‌ଣରେ ସମସ୍ତ ୧୨୯ଜଣ ବ୍ୟବସାୟୀଙ୍କୁ ଚାବି ହସ୍ତାନ୍ତର କରିବାକୁ କହିଥିଲେ। ବିଡିଏ କର୍ତ୍ତୃପକ୍ଷ ଆଜି ଅପରାହ୍‌ଣରେ ଚାବି ଆବଣ୍ଟନ ପାଇଁ ସ୍ୱତନ୍ତ୍ର ଶିବିର କରିଥିଲେ ହେଁ ମାତ୍ର ୧୦ଜଣ ବ୍ୟବସାୟୀ ଚାବି ନେଇଛନ୍ତି। ବାକି ୧୧୯ଜଣ ବିଡିଏ କାର୍ଯ୍ୟାଳୟ ଆସିନଥିଲେ କି ଚାବି ନେଇନାହାନ୍ତି।

ଅଶୋକା ମାର୍କେଟ୍‌ ବ୍ୟବସାୟୀ ସୋସାଇଟିର ସମ୍ପାଦକ ସଞ୍ଜୀବ କୁମାର ଅଗ୍ରଓ୍ଵାଲ କହିଛନ୍ତି ଯେ ବିଡିଏ ପକ୍ଷରୁ ଆବଣ୍ଟନ ହୋଇଥିବା ଦୋକାନକୁ ଯାଇ ହେବନି ବୋଲି ଆମେ ହାଇକୋର୍ଟରେ କହିବା ସହ ଅନ୍ୟତ୍ର ଦୋକାନ ଆବଣ୍ଟନ କରିବାକୁ ଗୁହାରି କରିଛୁ। ଆମ ଆବେଦନରେ ୟୁନିଟ-୨ସ୍ଥିତ କେଶରୀ ମଲ୍‌ ଏବଂ ୟୁନିଟ-୪ସ୍ଥିତ ପଞ୍ଚଦୀପ ମାର୍କେଟରେ ଦୋକାନ ଆବଣ୍ଟନ କରିବାକୁ କହିଛୁ। ଏଠାରେ ବିଏମ୍‌ସିର ବହୁ ଦୋକାନ ଘର ଖାଲି ଥିବାରୁ ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ନିର୍ମାଣ ହେବା ପର୍ଯ୍ୟନ୍ତ ଆମକୁ ସେଠାରେ ସାମୟିକ ଥଇଥାନ କରିବାକୁ କହିଛୁ। ତେଣୁ ଆଜି ଅଧିକାଂଶ ବ୍ୟବସାୟୀ ଚାବି ଆଣିନାହାନ୍ତି। ବୁଧବାର ବିଏମ୍‌ସି ଆମର ଦାବି ଉପରେ କୋର୍ଟଙ୍କୁ ଜଣାଇବା ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ।

ଅଶୋକା ମାର୍କେଟ୍‌ ବ୍ୟବସାୟୀ ସୋସାଇଟି ଯେଉଁ ଦାବି କରିଛି, ସେନେଇ ଆମେ କିଛି କହିପାରିବୁନି। ଆମେ କେବଳ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଆବଣ୍ଟନ କରିଥିବା ଚାବି ଦେଇଥିଲୁ। ଏହା ଆମେ ବୁଧବାର ହାଇକୋର୍ଟଙ୍କୁ ଜଣାଇବୁ। ବିଏମ୍‌ସି କର୍ତ୍ତୃପକ୍ଷ ବି ଏହି ଦାବି ଉପରେ ସେମାନଙ୍କ ମତ ରଖିବେ। ତାହା ପରେ ଯାହା ନିଷ୍ପତ୍ତି ହେବ ବୋଲି ବିଡିଏର ଅତିରିକ୍ତ କମିସନର ଭବାନୀ ଶଙ୍କର ଚଇନି କହିଛନ୍ତି। ଏନେଇ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ବିଏମ୍‌ସି-କେଶରୀ ମଲ୍‌ରେ ଆମେ ଏ ପର୍ଯ୍ୟନ୍ତ ଦୋକାନ ଘର ଦଖଲ କରିନୁ। ଖୁବ୍‌ଶୀଘ୍ର ଦଖଲ କରିବୁ। କିନ୍ତୁ ଏଥିପାଇଁ ବିଏମ୍‌ସି ବହୁ ସର୍ତ୍ତ ରଖିଛି।

ସମ୍ବନ୍ଧିତ ଖବର