ବିଏମ୍‌ସି ଏସ୍‌ଓପି ନମାନିବା ମହଙ୍ଗା ପଡ଼ିଲା, ୧୬ ଦୋକାନ ସିଲ୍‌

ଭୁବନେଶ୍ବର: ରାଜଧାନୀରେ କୌଣସି ଦୋକାନୀ, ସାଧାରଣ ଲୋକ ବିଏମ୍‌ସି ଏସ୍‌ଓପି ଓ କୋଭିଡ-୧୯ କଟକଣା ମାନୁନଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ବିଏମ୍‌ସି ଓ ବିଡିଏ ପକ୍ଷରୁ ଜୋରଦାର୍‌ ଚଢ଼ଉ ହୋଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୬ଟି ଦୋକାନକୁ ସିଲ୍‌ କରାଯାଇଛି। ରଜ ପାଇଁ ରାଜଧାନୀର ବିଭିନ୍ନ ବଜାରରେ ଭିଡ଼ ହେଉଥିବାରୁ ଶୁକ୍ରବାର ବି ଏହି ଚଢ଼ଉ ଜାରି ରହିବ ବୋଲି କୁହାଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦକ୍ଷିଣ ପୂର୍ବ ଜୋନ୍‌ରେ ୧୨ଟି, ଦକ୍ଷିଣ ପଶ୍ଚିମ ଜୋନ୍‌ ଓ ଉତ୍ତର ଜୋନ୍‌ରେ ଦୁଇଟି ଲେଖାଏ ଦୋକାନ ସିଲ୍‌ କରାଯାଇଥିଲା। ପୋଷାକ ଓ ଶାଢ଼ି ଦୋକାନୀମାନେ ଏସ୍‌ଓପିକୁ ନମାନି ଦୋକାନ ଭିତରେ ଭିଡ଼ ଜମାଇଥିବାରୁ ଏବଂ କେତେକ ଟିଫିନ୍‌ ଷ୍ଟଲ୍‌ ପାର୍ସଲ ଦେବା ବଦଳରେ ଦୋକାନ ସମ୍ମୁଖରେ ଲୋକଙ୍କୁ ଛିଡ଼ା କରି ଖାଇବାକୁ ଦେଉଥିବାରୁ ଆଜି ବିଏମ୍‌ସି ପକ୍ଷରୁ ସେଗୁଡ଼ିକୁ ସିଲ୍‌ କରାଯାଇଛି।

ବିଏମ୍‌ସି ପକ୍ଷରୁ ଅମ୍ବର ସୋ’ ରୁମ୍‌, ତାରିଣୀ ବସ୍ତ୍ରାଳୟ, ବିନୋଦ ଟେକ୍ସଟାଇଲ୍‌, ରବି ଟକିଜ୍‌ ଛକରେ ଥିବା ଭାଇ ଭାଇ ଟିଫିନ୍‌ ଷ୍ଟଲ୍‌, ସହିଦନଗରରେ ଥିବା ଲିଙ୍ଗରାଜ ଲସି ସମେତ ହୋଟେଲ ମା’ ମଙ୍ଗଳା, ଅନ୍ନପୂର୍ଣ୍ଣା ହୋଟେଲ, ନୂଆପଲ୍ଲୀସ୍ଥିତ ଭିଶାଲ ମେଗା ମାର୍ଟ, ଚକେଇସିଆଣିରେ ଗୋଟିଏ ଷ୍ଟେସନାରି ଓ ପୋଷାକ ଦୋକାନ, ଖଣ୍ଡଗିରି ଅଞ୍ଚଳରେ ଗୋଟିଏ ଓମଫେଡ୍‌ ଦୋକାନକୁ ସିଲ୍‌ କରାଯାଇଥିଲା। ଏହିପରି ଆଜି ପ୍ରାୟ ୧୬ଟି ଦୋକାନ ସିଲ୍‌ କରାଯାଇଛି। ବିଏମ୍‌ସି କମିସନରଙ୍କ ଆସନ୍ତା ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସବୁ ଦୋକାନ ସିଲ୍‌ ରହିବ। ଅପରପକ୍ଷେ ଶୁକ୍ରବାର ବି ଏହିଭଳି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜରିମାନା ଆଦାୟ ସହ ଦୋକାନ ସିଲ୍‌ କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଜି ବିଏମ୍‌ସି କର୍ତ୍ତୃପକ୍ଷ ବିଭିନ୍ନ ‌ଦୋକାନ ସିଲ୍‌ କରିଥିଲେ ହେଁ ଜଉମୁଦ ଦେଇ ସିଲ୍‌ କରି ନଥିବାରୁ କେତେକ ଦୋକାନୀ ସଟର୍‌ ଖୋଲି ବ୍ୟବସାୟ କରିଥିଲେ। ଆଉ କିଛି ଦୋକାନୀ ଦୋକାନର ପଛ ଦ୍ବାର ଖୋଲି ବେପାର କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର