ଅଗ୍ନିଶମ ବିଭାଗ ନିୟମକୁ ମାନୁନାହାନ୍ତି, ବିପଦରେ ମଲ୍‌ ଓ ହୋଟେଲ୍‌

ଭୁବନେଶ୍ବର: ଦୁଇ ଦିନ ତଳେ ପୋଖରୀପୁଟ ନିକଟସ୍ଥ ଓରିଏଣ୍ଟାଲ ବ୍ୟାଙ୍କ, କିଛି ମାସ ତଳେ ଜୟଦେବ ବିହାର ନିକଟରେ ଥିବା ଏକ ସ୍ପୋଟର୍ସ ସୋରୁମ୍‌, ଜନପଥରେ ଥିବା ଏକ ସପି˚ ମଲ୍‌, ଖାରବେଳନଗରରେ ଏକ ଡ୍ରେସ୍ ଦୋକାନ, କଟକ ରୋଡ୍‌ରେ ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ତ ଘଟିଥିଲା। ଏଭଳି କିଛି ସମୟ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଭୟାବହ ଅଗ୍ନିକାଣ୍ଡ ରାଜଧାନୀବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଦେଲାଣି।

ରାଜଧାନୀରେ ଯେପରି ବଡ଼ଧରଣର ଅଗ୍ନିକାଣ୍ତ ନ ଘଟିବ, ନିଆଁ ଲାଗୁ ଲାଗୁ ତୁରନ୍ତ ଲିଭାଇ ହେବ, ସେଥିପାଇଁ ତାରକା ହୋଟେଲଠାରୁ ଆରମ୍ଭ କରି ସପି˚ ମଲ୍‌, ଗହଣା ଦୋକାନ, ବ୍ୟା‌ଙ୍କ୍‌, ସୋରୁମ୍‌ ଆଦିକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କ’ଣ କ’ଣ ପଦକ୍ଷେପ ନେବେ, କିପରି ନିଆଁ ଲାଗୁ ଲାଗୁ ଆଲାରାମ୍ ବାଜିବ, ଅଗ୍ନିକାଣ୍ଡ ହେଲେ ଅଧିକ ସମ୍ପତ୍ତି ନଷ୍ଟ ହେବନି, ସହଜରେ ନିଆଁକୁ ନିୟନ୍ତ୍ରଣ କରିହେବ ସେଥିପାଇଁ ପରାମର୍ଶ ଦିଆଯାଇଥିଲା। ଅଗ୍ନିଶମ ବିଭାଗର ଏଭଳି ପରାମର୍ଶକୁ ୧୧ମାସ ବିତି ଗଲାଣି। କିନ୍ତୁ ସ୍ଥିତି ସୁଧୁରୁନି। ଯେଉଁ ଯେଉଁ ସଂସ୍ଥା, ପ୍ରତିଷ୍ଠାନକୁ ଅଗ୍ନିଶମ ବିଭାଗ ତାଗିଦ୍ କରିଥିଲା ସେଠାରେ ଏବେ ବି କୌଣସି ପରିବର୍ତ୍ତନ ହୋଇନି। ସପି˚ ମଲ୍‌ ଓ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ତ ଅଗ୍ନିଶମ ବିଭାଗର ନିୟମକୁ ମୋଡ଼ି ମକଚି ଦେଇଛନ୍ତି। ନିୟମକୁ ନମାନି ବେଧଡ଼କ ବ୍ୟବସାୟ କରି ଚାଲିଛନ୍ତି। ଅଗ୍ନିଶମ ବିଭାଗ ସବୁ ଜାଣି ବି ଚୁପ୍ ବସିଛି। ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି ତାହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ କାହାର ଧ୍ୟାନ ନାହିଁ। ଅଗ୍ନିଶମ ବିଭାଗର ଏହିଭଳି କାର୍ଯ୍ୟ ଏବେ ବାବୁମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପଶ୍ନ ଉଠାଇଲାଣି।

ଜାନୁଆରି ୯ ତାରିଖରେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପାଖାପାଖି ୧୦ଟି ସପିଂ ମଲ୍‌, ୨୬ଟି ତାରକା ହୋଟେଲ ଓ ଗହଣା ଦୋକାନ ଉପରେ ଚଢ଼ଉ ବେଳେ ରିପୋର୍ଟ ଦିଆଯାଇଥିଲା ଯେ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ସପି˚ମଲ୍‌, ତାରକା ହୋଟେଲ୍‌, ବଡ଼ବଡ଼ ଗହଣା ଦୋକାନଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ପରିସ୍ଥିତିର ମୁକାବିଲା ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ରଖାଯାଇନି। ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଯେଉଁଗୁଡ଼ିକ ରହିଛି, ତାହା ଥାଇ ନଥିବା ଭଳି। ଏହି ସବୁ ସ୍ଥାନରେ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି, ତାହା ଅତି ନିମ୍ନମାନର। ଖାଲି ଏତିକି ନୁହେଁ ତାରକା ହୋଟେଲ, ମଲ୍‌, ଗହଣା ଦୋକାନଗୁଡ଼ିକରେ ଜରୁରୀକାଳୀନ ସିଡ଼ିଗୁଡ଼ିକ ଅଚଳ ହୋଇ ପଡ଼ିଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ବାର ସମ୍ମୁଖକୁ ଷ୍ଟୋର୍‌ ଭାବେ ବ୍ୟବହାର କରାଯାଇଛି।

୨୦ହଜାର ଲିଟର ପାଣି ଟାଙ୍କି ନାହିଁ କି ୬ମିଟର ରାସ୍ତା ନାହିଁ
ଏହାଛଡ଼ା ଉକ୍ତ ସ୍ଥାନଗୁଡ଼ିକରେ ନିରପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ତାହା ରଖାଯାଇ ନାହିଁ। ଯେଉଁଠି ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର; ଯାହାକି ଆବଶ୍ୟକ ସମୟରେ ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ମଲ୍‌, ହୋଟେଲ, ଗହଣା ଦୋକାନ ଚାରିପଟେ ରାସ୍ତାକୁ ଅତି କମ୍‌ରେ ୬ମିଟର ଚଉଡ଼ା ରାସ୍ତା ଛାଡ଼ିବାକୁ ନିୟମ ରହିଛି। ଫଳରେ ଦମକଳ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ବୁଲି ପରିସ୍ଥିତିର ମୁକାବିଲା କରିପାରିବ। ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ। ଅଧିକା˚ଶ ସ୍ଥାନରେ ଏହା ୫ଫୁଟ ଭିତରେ ରହିଛି। ମୁଖ୍ୟ ଦ୍ବାରକୁ ୫ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ମୁଖ୍ୟ ଦ୍ବାରକୁ ବନ୍ଦ କରି ଭାଗ ଭାଗ କରି ଦିଆଯାଇଛି। ଶିଡ଼ି ଗୁଡ଼ିକୁ ଅତିକମ୍‌ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ସ୍ଥାନରେ ଏହି ନିୟମକୁ ଉଲ୍ଲ˚ଘନ କରାଯାଇଛି। କୌଣସି ପ୍ରକାରର ଅଗ୍ନିକାଣ୍ତ ଘଟିଲେ ସେଣ୍ଟ୍ରାଲ୍‌ ଏସିଗୁଡ଼ିକ ସ୍ବତଃ ବନ୍ଦ ହୋଇଯିବାର ବ୍ୟବସ୍ଥା ରଖିବାକୁ ନିୟମ ରହିଛି। ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ। ନିଆଁ ଚାରିଆଡ଼କୁ ସହଜରେ ବ୍ୟାପି ପାରିବନି। ହେଲେ ଅଧିକାଂଶ ସ୍ଥାନରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲ˚ଘନ କରାଯାଇଛି।

ବେସ୍‌ମେଣ୍ଟ ନିୟମକୁ ଫୁ’
ନିୟମ ଅନୁଯାୟୀ ବେସ୍‌ମେଣ୍ଟ ଗୁଡ଼ିକୁ ବିଶେଷକରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍‌ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳିନଥାଏ। ଯଦି କେହି ବେସ୍‌ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ, ତେବେ ସେଥିପାଇଁ ବିଡିଏ ଓ ବିଏମ୍‌ସିରୁ ସ୍ବତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ କେତେକ ହୋଟେଲ୍‌ ବିଡିଏ କିମ୍ବା ବିଏମ୍‌ସିରୁ କୌଣିସି ଅନୁମତି ଆଣିନାହାନ୍ତି।

ଦୁଇ ମାସ ଦିଆ ଯାଇଥିଲା, ୧୧ ମାସ ପୂରିଲାଣି
ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଗ୍ନିଶମ ବିଭାଗ ଗତ ଜାନୁଆରି ମାସରେ ସମସ୍ତ ତାରକା ହୋଟେଲ, ସପି˚ ମଲ୍‌ ଓ ଗହଣା ଦୋକାନୀମାନଙ୍କୁ ନୋଟିସ୍‌ ଜାରି କରିଥିଲା। ଦୁଇ ମାସ ମଧୢରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗ ସମୟ ଦେଇଥିଲା। ଏମିତିକି କେତେକ ସ୍ଥାନରେ ସିଜ୍‌ କରି ତାଲା ମଧୢ ଝୁଲାଇଥିଲା। କିନ୍ତୁ ପରେ ବରିଷ୍ଠ ଅଧିକାରୀମାନେ ପୁଣି ତାଲା ଖୋଲିଦେଲେ। ଅଗ୍ନିଶମ ବିଭାଗର ନୋଟିସ୍‌କୁ ୧୧ ମାସ ବିତିଲାଣି ହେଲେ ଅଧିକାଂଶ ସ୍ଥାନରେ ଯାହାକୁ ସେୟା। ଏନେଇ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧୢ କୌଣସି ଉତ୍ତର ଦିଆଯାଇ ନାହିଁ।

କର୍ମଚାରୀଙ୍କୁ ଦିଆଯାଉନି ତାଲିମ
ସପି˚ ମଲ୍‌, ହୋଟେଲ, ବ୍ୟାବସାୟିକ ପ୍ରତିଷ୍ଠାନ ନିୟମକୁ ତ ଖୋଲା ଖୋଲି ଫାଙ୍କି ଚାଲିଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣାନାହିଁ କି ସେମାନଙ୍କୁ ତାଲିମ୍‌ ଦିଆଯାଉନି। କର୍ମଚାରୀମାନଙ୍କୁ ଅତିକମ୍‌ରେ ବର୍ଷରେ ଦୁଇଥର ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି। ହେଲେ ସେଭଳି କୌଣସି ତାଲିମ ଦିଆଯାଉ ନାହିଁ। କାହା ସ୍ବାର୍ଥରେ ଅଧିକାରୀମାନେ ଏଭଳି ମନମାନି ଚଳାଇଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର