ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଅନେକ ଡାକ୍ତର କରୋନା ଓ ନର୍ସ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ତେବେ କରୋନା ଯୁଦ୍ଧରେ ଆଗରେ ରହିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ (ଏଚ୍ସିକ୍ବୁ) ଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ନିର୍ଦେଶାବଳି ଜାରି କରିଛି। ମାତ୍ର ରାଜ୍ୟରେ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଏ ବିଷୟରେ ଜାଣି ନ ଥିବା ବେଳେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଏଚ୍ସିକ୍ବୁ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ରାଜ୍ୟରେ ଏଭଳି ଭାବେ ଯଦି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ତାହାଲେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କଟକର ସିଟି ଡାକ୍ତରଖାନା, ଭୁବନେଶ୍ବର ଏମ୍ସ, ରାଉରକେଲା ସରକାରୀ ହସ୍ପିଟାଲ, ବ୍ରହ୍ମପୁର ବଡ଼ ଡାକ୍ତରଖାନା, ତାଳଚେର କୋଭିଡ ହସ୍ପିଟାଲ ଓ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ୧୦ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ତେବେ ସଂପୃକ୍ତ ଡାକ୍ତରମାନେ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ସଂକ୍ରମଣ ଅବରୋଧ ଅଞ୍ଚଳର ରୋଗୀମାନଙ୍କୁ ଚିକିତ୍ସା କରିବା ସମୟରେ ହୁଏତ ସେମାନେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୩ଜଣ ଏଚ୍ସିକ୍ବୁ ଖାଉ ନ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଅପରପକ୍ଷରେ କରୋନା ରୋଗୀଙ୍କ ଚିକିତ୍ସା ବାଦ୍ ଲୋକମାନଙ୍କ ସ୍ବାବ୍ ସଂଗ୍ରହ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ପାରାମେଡିକାଲ କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଖୋର୍ଧା, ବାଲେଶ୍ବର ଓ ଅନ୍ୟ ଜିଲ୍ଲାରେ ସେମାନଙ୍କୁ ଏଚ୍ସିକ୍ବୁ ଦିଆଯାଉ ନ ଥିବା ନଜରକୁ ଆସିଛି। ଏପରିକି ସେମାନଙ୍କ ମଧ୍ୟରୁ ଅନେକ ଆଇସିଏମ୍ଆର୍ର ଏହି ଗାଇଡଲାଇନ୍ ସଂପର୍କରେ ଅଜ୍ଞ। ଅଣ କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଏଚ୍ସିକ୍ବୁ ଦିଆଯାଉ ନ ଥିବା ଜଣାପଡ଼ିଛି। ଆଇସିଏମ୍ଆର ଗାଇଡଲାଇନ୍ କହୁଛି, ୪ଶହ ମି.ଗ୍ରାର ବଟିକା ସକାଳେ/ସଂଧ୍ୟାରେ ୭ସପ୍ତାହ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ। ପରବର୍ତୀ ସମୟରେ ଏହି ନିର୍ଦେଶାବଳିରେ ସଂଶୋଧନ କରାଯିବା ସହିତ ଇସିଜି କରିବା ପରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କିଛି ସମସ୍ୟା ନାହିଁ ତାହାଲେ ଏହାକୁ ଜାରି ରଖିପାରିବେ। ଯେହେତୁ ସ୍ବାସ୍ଥ୍ୟକର୍ମୀମାନେ ନିୟମିତ ଭାବେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେଣୁ ଏଚ୍ସିକ୍ବୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଅଣ-କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏଚ୍ସିକ୍ବୁ ଇଚ୍ଛାଧୀନ ରହିଛି।
ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର (ବୈଷୟିକ) ଡା.ଜୟନ୍ତ ପଣ୍ଡା କହିଛନ୍ତି, ଆଇସିଏମ୍ଆରର ନିର୍ଦେଶାବଳି ଦେଶବ୍ୟାପୀ ଲାଗୁ ହୋଇଥାଏ। ଏଚ୍ସିକ୍ବୁ କେବଳ ସ୍ବାସ୍ଥ୍ୟକର୍ମୀ ନୁହନ୍ତି ପୁଲିସ କର୍ମଚାରୀ, ପାରା ମିଲିଟାରି କର୍ମଚାରୀଙ୍କୁ ମଧ୍ୟ ଏଚ୍ସିକ୍ବୁ ଦେବା ପାଇଁ କୁହାଯାଇଛି। ତେବେ ସମସ୍ତଙ୍କୁ ଏଚ୍ସିକ୍ବୁ ଦେବା ଲାଗି ବାଧ୍ୟତାମୂଳକ କରାଯାଇ ନାହିଁ। ପିପିଇ ପିନ୍ଧି କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀ ବିପଦମୁକ୍ତ ବୋଲି ଧରାଯାଏ। ପିପିଇକୁ ଠିକ୍ ଭାବେ କାଢ଼ିବା ଜରୁରୀ। ପୂର୍ବରୁ କେନ୍ଦ୍ର ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯେଉଁ ୧୪ଦିନିଆ ସଙ୍ଗରୋଧ ବ୍ୟବସ୍ଥା ରଖିଥିଲେ ଏହାକୁ ଏବେ ଉଠାଇ ଦେଇଛନ୍ତି। ସବୁ କୋଭିଡ ହସ୍ପିଟାଲରେ ଏଚ୍ସିଏକ୍ବୁ ରହିଛି। ସ୍ବାସ୍ଥ୍ୟକର୍ମୀମାନେ ନିଜର ଇସିଜି କରିବା ପରେ ରିସ୍କ ଫ୍ୟାକ୍ଟର ଦେଖିବା ପରେ ଏଚ୍ସିକ୍ବୁ ଖାଇପାରିବେ। ଏହାକୁ ପାଳନ କରିବା ଦାୟିତ୍ବ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବ ବୋଲି ଡା.ପଣ୍ଡା କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ରାଜ୍ୟରେ ଯଥେଷ୍ଟ ପରିମାଣର ଏଚ୍ସିକ୍ବୁ ମହଜୁଦ ରହିଛି। ତେବେ ସ୍ବାସ୍ଥ୍ୟକର୍ମୀଙ୍କୁ ଏଚ୍ସିକ୍ବୁ ଦିଆଯାଉ ନ ଥିବା କଥା ମୋ ନଜରକୁ ଆସିନାହିଁ। ଅଭିଯୋଗ ଗଣମାଧ୍ୟମରେ ପହଞ୍ଚିଛି ହେଲେ ବିଭାଗକୁ ଆସିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।