ନିୟମକୁ ଫୁ: ମଦ ଦୋକାନରେ ଭିଡ଼, ଚୋରା ବେପାରୀ ସକ୍ରିୟ

ଭୁବନେଶ୍ବର: ସବୁ ନିୟମକାନୁନକୁ ଫୁ’। ଗୋଟିଏ ସ୍ଥାନରେ ୭ଜଣରୁ ଅଧିକ ବ୍ୟକ୍ତି ଏକାଠି ନ ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। କିନ୍ତୁ ମଦ ଦୋକାନରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସଞ୍ଜ ନଇଁଲେ ମଦ ଦୋକାନରେ ଲାଗୁଛି ପ୍ରବଳ ଗହଳି। ମଦ କିଣିବାକୁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ଦୋକାନ ମାଲିକ ବି ସବୁ ନିୟମ କାନୁନକୁ ଦଳି ମକଚି ବେପାର କରି ଚାଲିଛନ୍ତି। ଠିପି ବନ୍ଦ ମଦ ଦୋକାନ ପକ୍ଷରୁ ଭିଡ଼ ନ ହେବା ପାଇଁ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଥିବା କୁହାଯାଇଥିଲା। କିନ୍ତୁ ରାତି ବଢ଼ିଲେ ସବୁ ନିୟମକାନୁନ ବଦଳି ଯାଉଛି। ରାତି ୮ଟା ପରେ ଗହଳି ଆରମ୍ଭ ହୋଇଯାଉଛି। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଗହଳି ଲାଗି ରହୁଛି। ଏପରିକି ଯେଉଁ ଦୋକାନ ରାସ୍ତାକଡ଼ରେ ରହୁଛି, ସେଠାରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ପୁଲିସ ସବୁ ଦେଖି ଚୁପ୍। ଭିଡ଼କୁ ରୋକିବାକୁ ପୁଲିସ ସାହସ ଜୁଟାଇ ପାରୁ ନଥିବା ଅଭିଯୋଗ ହେଉଛି। ଗୋଟିଏ କି ଦୁଇଟି ନୁହେଁ, ରାଜଧାନୀର ଅଧିକାଂଶ ମଦ ଦୋକାନର ସମାନ ଅବସ୍ଥା। ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମୟରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ଠିପି ଖୋଲା ମଦ ଦୋକାନ ଓ ବାର୍ ବନ୍ଦ ଘୋଷଣା ପରେ ଚୋରା ବେପାରୀଙ୍କ ଭିଡ଼ ଜମିଛି। ଚୋରା ବେପାରୀ ବିପୁଳ ପରିମାଣର ମଦ କିଣି ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଛି। ଆସନ୍ତାକାଲିଠୁ ଠିପିଖୋଲା ମଦ ଦୋକାନ ଓ ବାର ବନ୍ଦ ରହିବା ପରେ ଚୋରା ବେପାରୀ ଆହୁରି ସକ୍ରିୟ ହୋଇଯିବେ ବୋଲି ଅନୁମାନ କରାଯାଉଛି। ମଦ ଦୋକାନରେ ଭିଡ଼ କେମିତି ରୋକାଯିବ କିମ୍ବା କ’ଣ ପଦକ୍ଷେପ ନିଆଯିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସପିଂ ମଲ୍, ସିନେମା ହଲ୍, ରେସ୍ତେରାଁ, କଫି ସପ୍ ବନ୍ଦ ହୋଇଥିଲା ବେଳେ ଠିପି ବନ୍ଦ (ଅଫ୍ ସପ୍) ମଦ ଦୋକାନ କାହିଁକି ବନ୍ଦ ହୋଇନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଛି।

ସମ୍ବନ୍ଧିତ ଖବର