ମାନିଲେନି ସାମାଜିକ ଦୂରତା: ବାପୁଜୀନଗର ସିଲ୍‌, ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବନି

ଖୁବ୍‌ଶୀଘ୍ର ଆସିବ ଏସ୍‌ଓପି, ବ୍ୟବସାୟୀ ବିଏମ୍‌ସିରୁ ଅନୁମତି ଆଣିବେ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ ନିୟମ କୋହଳ କରାଯାଇଛି। ରେଡ୍‌ ଜୋନ୍‌ ସତ୍ତ୍ବେ ସମ‌ସ୍ତ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ନିୟମ ହୋଇଛି। ହେଲେ ଦୋକାନୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। କିନ୍ତୁ ବାପୁଜୀନଗରରେ ଦୋକାନୀମାନେ ସାମାଜିକ ଦୂରତା ରଖୁନଥିବା ବେଳେ ଅମାନିଆ ଗ୍ରାହକ ଗହଳି କରିଥିଲେ। ଫଳରେ ଆଜି ବିଏମ୍‌ସି ପକ୍ଷରୁ ଚଢ଼ଉ କରି ସମସ୍ତ ଦୋକାନ ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ବୋଲି କୁହାଯାଇଛି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, କୌଣସି ମାର୍କେଟ୍‌ କମ୍ପ୍ଲେକ୍ସ (ଗୋଟିଏ କୋଠାରେ ୫‌ରୁ ଅଧିକ ଦୋକାନ ଥିଲେ)ରେ ଦୋକାନ ଖୋଲିବନି। କିନ୍ତୁ ବାପୁଜୀନଗରରେ ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ ଥିବାବେଳେ ଏହା ଖୋଲୁଥିଲା। ଏଠାରେ ବହୁତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଦୋକାନୀ ଥିବାବେଳେ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିଲା। ଏପରିକି ଗୋଟିଏ ଦୋକାନ ଭିତରକୁ ସର୍ବା‌ଧିକ ୫ଜଣ ଗ୍ରାହକ ଯାଇପାରିବାର ନିୟମ ଥିବାବେଳେ ଅଧିକାଂଶ ଦୋକାନରେ ଏହି ନିୟମ କେହି ମାନୁନଥିଲେ। ତେଣୁ ବିଏମ୍‌ସି ସ୍କ୍ବାଡ୍‌ ଆଜି ବାପୁଜୀନଗରରେ ଚଢ଼ଉ କରି ସମସ୍ତ ଦୋକାନ ବନ୍ଦ କରିଦେଇଥିଲା। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି।
ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବାପୁଜୀନଗର ବ୍ୟବସାୟୀ ସଂଘ ସହ ଆଲୋଚନା କରି ଖୁବ୍‌ ଶୀଘ୍ର ଏକ ଏସ୍‌ଓପି ଜାରି କରାଯିବ। ଯେପରି ଏଠାରେ ସମସ୍ତେ ସାମାଜିକ ଦୂରତା ନିୟମ ମାନିବେ ସେଥିପାଇଁ ପଦକ୍ଷେପ ନିଆଯିବ। ଏବେ ଯେଉଁମାନେ ଦୋକାନ ଖୋଲିବାକୁ ଚାହିଁବେ ସେମାନେ ବିଏମ୍‌ସିରେ ଆବେଦନ କରିବେ। ବିଏମ୍‌ସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେ‌ବା ପରେ ହିଁ ଦୋକାନ ଖୋଲିବ କି ନାହିଁ ସଂପୃକ୍ତ ବ୍ୟବସାୟୀଙ୍କୁ ଜଣାଇ ଦିଆଯିବ।

ଅପରପକ୍ଷେ ବାପୁଜୀନଗରରେ ଆଜି ବିଏମ୍‌ସି ହଠାତ୍ ଚଢ଼ଉ କରି ଦୋକାନ ବଜାର ବନ୍ଦ କରିଦେବାରୁ ବ୍ୟବସାୟୀମାନେ ଅସନ୍ତୋଷ ଜାହିର୍ କରିଛନ୍ତି। ସେମାନେ କହିଛନ୍ତି ଯେ ଲୋକମାନେ ସାମାଜିକ ଦୂରତା ନରଖିଲେ ଆମେ କ’ଣ କରିବୁ। ପୁଲିସ କି ବିଏମ୍‌ସି କର୍ତ୍ତୃପକ୍ଷ ଯଦି ଲୋକଙ୍କ ଠାରୁ ଜରିମାନା ଆଦାୟ କରିଥାନ୍ତେ ତେବେ ଏ ସମସ୍ୟା ହୋଇନଥାନ୍ତା। କିନ୍ତୁ ସେମାନଙ୍କ ଦୋଷ ଯୋଗୁଁ ଆମେ ଦୋକାନ ବନ୍ଦ କରି ଘରେ ବସିବୁ। ଦୋକାନ ବନ୍ଦ କଲେ ଚଳିବୁ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର