ଆମେ କେତେ ସଚେତନ-୧, ଖୋଲାଖୋଲି ଉଲ୍ଲଙ୍ଘନ

ଭୁବନେଶ୍ୱର: ହୋର୍ଡିଂ କହେ ୩୦ ମିଟର ବ୍ୟବଧାନରେ ‘ନୋ ପାର୍କିଂ’। ଗାଡ଼ିବାଲାଙ୍କର ଗାଡ଼ିର ବ୍ରେକ୍‌ କିନ୍ତୁ ଏଇଠି ଅଟକେ। ଚିଗୁଲେଇଲା ଭଳି ହୋର୍ଡିଂ କଡ଼ରେ ପାର୍କିଂ ହୁଏ। ସାଇନ୍‌ବୋର୍ଡ ସଚେତନ କରେ, ‘ପଲିଥିନ୍‌ ଛାଡ଼ନ୍ତୁ, ପରିବେଶ ବଞ୍ଚାନ୍ତୁ’। କିନ୍ତୁ ଆମର ଯେମିତି ଏକା ଜିଦ୍‌ ପରିବା ଆଣିବୁ ତ, ପଲିଥିନ୍‌ରେ। କମିସନରେଟ୍‌ ପୁଲିସ୍‌ର ସୂଚନା ବୋର୍ଡ ସତର୍କବାଣୀ କରାଏ, ‘ଜେବ୍ରା କ୍ରସିଂ ଛୁଅଁନି ନଚେତ୍‌ ୫୦୦ ଫାଇନ୍‌ ଦବ’। ଅଥଚ ଗାଡ଼ି ଛକରେ ପହଞ୍ଚିବା ମାତ୍ରେ ଖାଲି କ୍ରସିଂ ଛୁଏଁନି, ପୂରା କ୍ରସିଂ ରେଖା ପାର୍‌ ହୋଇଯାଏ। ଯେମିତି ଏସବୁ ସତର୍କବାଣୀ ଗୋଟେଗୋଟେ ଫାର୍ସ। ବେଳେବେଳେ କିଛି ଅଘଟଣ ପରେ କେବଳ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠେ। କିନ୍ତୁ ଜନତା ନିଜେ କେତେ ସଚେତନ? ଏସବୁ ନୀତିନିୟମ ଯେ କେବଳ ସରକାରୀ କଟକଣା ନୁହେଁ ବରଂ ଜୀବନ ସୁରକ୍ଷାର ମୂଲ୍ୟବାନ ପରାମର୍ଶ ଏକଥା ସ୍ୱୀକାର୍ଯ୍ୟ। ମାତ୍ର ସବୁ ଜାଣି ଏସବୁ ନୀତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଏ। କିଛି ବ୍ୟକ୍ତିବିଶେଷ ଯେମିତି ଏସବୁ ନମାନିବାକୁ ପଣ କରିନେଇଛନ୍ତି।

ଛୁଆଙ୍କୁ କୋଳରେ ଧରି ଭିକ୍ଷାବୃତ୍ତି
ଛୁଆଙ୍କୁ କୋଳରେ ଧରି ଭିକ ମାଗିବା ରୋଜଗାରର ଏକ ସହଜ ପନ୍ଥା ଭାବେ କିଛି ବଞ୍ଜାରା ଆପଣେଇ ନେଇଛନ୍ତି। ଖଣ୍ଡଗିରି ଛକ ଓ ଏଜି ଛକ ଭଳି ସମ୍ବେଦନଶୀଳ ଛକମାନଙ୍କରେ ବି ଏହି ବଞ୍ଜାରାମାନଙ୍କୁ ଛୁଆକୁ କୋଳରେ ଧରି ଭିକ ମାଗୁଥିବା ଦେଖିବାକୁ ମିଳେ। ପିଲାମାନଙ୍କ ପ୍ରତି ବିପଦ ଥିବାରୁ ଏନେଇ ଟ୍ରାଫିକ୍‌ ଛକରେ ହୋର୍ଡିଂ ଲଗାଇ ସତର୍କ କରାଯାଇଥିଲେ ସୁଦ୍ଧା ଏଥିରେ ରୋକ୍‌ ଲାଗିପାରୁନି।

ସବୁକିଛି ପଲିଥିନ୍‌ରେ
ବଜାରକୁ ବାହାରିଲେ ହାତରେ ବ୍ୟାଗ୍‌ ରହୁଥିଲା। ହେଲେ ଏବେ ବ୍ୟାଗ୍‌ର ସ୍ଥାନ ନେଇଛି ପଲିଥିନ୍‌। ପରିବାଠୁ ନେଇ ସଉଦା ପର୍ଯ୍ୟନ୍ତ ସବୁଥିରେ ପଲିଥିନ୍‌ ଲୋଡ଼ାପଡ଼େ। ଗୋଟିଏ ନୁହେଁ ଯେତେ ପ୍ରକାର ସଉଦା ସେତିକିଟି ପଲି ବ୍ୟାଗ୍‌ ଦୋକାନୀ ବଢ଼ାଇ ଦିଅନ୍ତି। ଲୋକେ ବି ଖୁସ୍‌। ପଲିଥିନ୍‌ର ଭୟାବହତା ସାଧାରଣ ଲୋକଙ୍କୁ ଅଛପା ନାହିଁ। କିନ୍ତୁ ସବୁ ଜାଣି ବି ପଲିଥିନ୍‌ର ବ୍ୟବହାର କମୁନାହିଁ। ୫୦ ମାଇକ୍ରକନ୍‌ ପଲିଥିନ୍‌ ବ୍ୟବହାର ପାଇଁ କୁହାଯାଇଥିଲେ ବି ପଲିଥିନ୍‌ର ବ୍ୟବହାର କମାଇବା ପାଇଁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ବ୍ୟବହାର ବଢ଼ୁଛି ସିନା କମୁନି।

ମାନୁନାହାନ୍ତି ଜେବ୍ରା କ୍ରସିଂ
ଛକ ସ୍ଥାନମାନଙ୍କରେ ପାଦ ଚଲା ଲୋକ ପାର ହେବା ପାଇଁ ଜେବ୍ରା କ୍ରସିଂର ସୃଷ୍ଟି। କିନ୍ତୁ ଗାଡ଼ି ଆଉ ଜେବ୍ରା କ୍ରସିଂ ପୂର୍ବରୁ ଅଟକୁନାହିଁ। ଜେବ୍ରା କ୍ରସିଂ ପାର୍‌ ହେଲେ ୫୦୦ ଟଙ୍କାର ଜରିମାନା ଭୟ ବି ଦେଖାଯାଇଛି। ଅଥଚ ଏହା ଟିକେ ବି ଫରକ ପକାଉନି। ସବୁ ଟ୍ରାଫିକ୍‌ ଛକ ସିସିଟିଭି ନଜରରେ ରହିଛି। ଭୁଲ୍‌ କଲେ ଘରକୁ ନୋଟିସ୍‌ ପହଞ୍ଚୁଛି। ତଥାପି ନିୟମକୁ ସେଇ ଜେବ୍ରା କ୍ରସିଂରେ ଦଳି ମକଚି ଦିଆଯାଉଛି।

ନୋ ପାର୍କିଂ ଜୋନ୍‌ରେ ପାର୍କିଂ
ମାର୍କେଟ୍‌ ଓ ଭିଡ଼ ସ୍ଥାନକୁ ଲକ୍ଷ୍ୟ ରଖି କିଛି ସ୍ଥାନରେ ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍‌ ଘୋଷଣା ହୋଇଛି। ଗହଳି ଲାଗି ରହୁଥିବା ବେଳେ ଗାଡ଼ି ମୋଟର ଚଳାଚଳ ପାଇଁ ଆବଶ୍ୟକ ସ୍ଥାନ ଅଭାବରୁ ପାର୍କିଂ ନକରିବାକୁ ନିର୍ଦେଶ ଦିଆଯାଏ। ସେଠାରେ ହୋର୍ଡିଂ ଜରିଆରେ ଏନେଇ ସଚେତନ ବି କରାଯାଏ। ହୋର୍ଡିଂରେ ସମ୍ପୃକ୍ତ ସ୍ଥାନରୁ ୩୦ ମିଟର ମଧ୍ୟରେ କେଉଁଠି ବି ପାର୍କିଂ କରିବା ପାଇଁ ମନା। କିନ୍ତୁ ଅନେକ ସମୟରେ ସେହି ନିର୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ହୁଏ। ପାର୍କିଂ ପାଇଁ ୫୦୦ ଟଙ୍କାର ଜରିମାନା ରଖାଯାଇଥିଲେ ହେଁ ଏହି ସତର୍କବାଣୀ କାଟୁ କରୁନି।

ସମ୍ବନ୍ଧିତ ଖବର