ଦେଲେନି ୫୬ କୋଟି, ଗଣିବେ ୭୦ କୋଟି

ବିଏମ୍‌ସିକୁ ରାମ୍‌କିର ଫାଇନାଲ୍‌ ନୋଟିସ୍‌

ଭୁବନେଶ୍ବର: ବିଏମ୍‌ସିରେ ସଫେଇ ଦାୟିତ୍ବ ନେଇଥିବା ‘ରାମ୍‌କି ଏନ୍‌ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍‌’ (ଏବେ ‘ରିସଷ୍ଟେନେବିଲିଟି ଲିମିଟେଡ୍‌’) ସଂସ୍ଥାର ଏସ୍କାଲେସନ ଫି ବାବଦକୁ ବାକି ପଡ଼ିଥିବା ୫୬ କୋଟି ଟଙ୍କା ବିଏମ୍‌ସି ଦେଲା ନାହିଁ। ବାରମ୍ବାର ନୋଟିସ୍‌ ପରେ ମଧ୍ୟ ବିଏମ୍‌ସି ନିରବ ରହିବାରୁ ରାମ୍‌କି ଫାଇନାଲ ନୋଟିସ୍‌ ପଠାଇଛି। କମର୍ସିଆଲ୍‌ କୋର୍ଟ ଆଇନ ବଳରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ‘ପ୍ରାକ୍‌-ସଂସ୍ଥା ମଧ୍ୟସ୍ଥତା’(ପ୍ରିଇନ୍‌ଷ୍ଟିଚ୍ୟୁସନ ମେଡିଏସନ) ପାଇଁ ବିଏମ୍‌ସିକୁ ନୋଟିସ୍‌ ହୋଇଛି। ଗତବର୍ଷ ଜୁଲାଇ ୨୨ ତାରିଖରେ ରାମ୍‌କି ବିଏମ୍‌ସିରୁ ଏସ୍କାଲେସନ ଫି ବାବଦକୁ ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କା ପାଇବା ପାଇଁ ନୋଟିସ୍‌ ପଠାଇଥିଲା। ଏହା ପରେ ବିଏମ୍‌ସି-ରାମ୍‌କି ବୈଠକ ମଧ୍ୟ ବସିଥିଲା। ହେଲେ କିଛି ଫଳ ହୋଇନଥିଲା ବା ବିଏମ୍‌ସି ଟଙ୍କାଟିଏ ଦେଇନଥିଲା। ଏଣୁ ଅଡ଼ୁଆ ବଢ଼ିଥିଲା। ରାମ୍‌କି କମର୍ସିଆଲ୍‌ କୋର୍ଟ ଆଇନ ବଳରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଥିଲା। ପ୍ରାଧିକରଣ ଆବେଦନର ବିଚାର କରି ସୁଧ ସହ ୭୦ କୋଟି ୫ ଲକ୍ଷ ୮୫ ହଜାର ୨୪୭ ଟଙ୍କା ରାମ୍‌କିକୁ ଦେବାପାଇଁ ବିଏମ୍‌ସିକୁ ନୋଟିସ୍‌ କରିଛି। ବଡ଼ବଡ଼ ଅଧିକାରୀମାନଙ୍କର ଅହଙ୍କାର ପାଇଁ ବିଏମ୍‌ସି ଏବେ ୨୦ କୋଟି ଅତିରିକ୍ତ ଦେବାକୁ ଯାଉଛି।

୨୦୧୩ ମସିହା ନଭେମ୍ବର ୬ ତାରିଖରେ ‘ରାମ୍‌କି ଏନ୍‌ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍‌’ ବିଏମ୍‌ସି ସହ ଆବର୍ଜନା ସଫେଇ, ସଂଗ୍ରହ ଓ ପରିବହନ ପାଇଁ ଚୁକ୍ତି କରିଥିଲା। ଦିନକୁ ଦିନ ମଜୁରି, ପରିବହନ ଖର୍ଚ୍ଚ ପ୍ରଭୃତି ବଢ଼ୁଥିବାରୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ପରିମାଣର ଏସ୍କାଲେସନ ଫି ପୈଠ କରିବାକୁ ୭ ବର୍ଷ ପାଇଁ ହୋଇଥିବା ଚୁକ୍ତିନାମାରେ ସର୍ତ୍ତ ରହିଥିଲା। ଚୁକ୍ତିନାମାର ୩ ମାସ ପରେ ତତ୍‌କାଳୀନ କମିସନର ସଞ୍ଜୀବ କୁମାର ମିଶ୍ରଙ୍କର ବଦଳି ହୋଇଯାଇଥିଲା। ତାଙ୍କ ପରେ କମିସନର ଭାବେ କ୍ରିଷନ କୁମାର ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୪ ବର୍ଷ କାଳ ସେ ଦାୟିତ୍ବରେ ଥିଲେ ମଧ୍ୟ ଏହି ଏସ୍କାଲେସନ ଫି ବାବଦକୁ ଟଙ୍କାଟିଏ ଦେଇନଥିଲେ। ବରଂ ସଂସ୍ଥା ଚୁକ୍ତି ମୁତାବକ କାମ କରିନଥିବା ଦର୍ଶାଇ ଟଙ୍କା କଟା ଯାଇଥିବା ପାଲଟା ଯୁକ୍ତି ବାଢ଼ିଥିଲେ।

ସଫେଇ ବାବଦକୁ ଏସ୍କାଲେସନ୍‌ ଫି’ ମାମଲା

ଏହା ପରେ ଯେଉଁ କମିସନରମାନେ ଦାୟିତ୍ବ ନେଲେ ସେମାନେ ଏ ବାବଦରେ ମୁଣ୍ଡ ଖେଳାଇଲେ ନାହିଁ। ସଞ୍ଜୟ ସିଂହ ଦାୟିତ୍ବ ନେବା ପରେ ସେ ମଧ୍ୟ ଟେଣ୍ଡର ଅର୍ଥରୁ ପ୍ରତି ମାସରେ କାଟି ଚାଲିଥିଲେ। ଏଣୁ ବୁଝାମଣା ପାଇଁ ସୁଯୋଗ ରହିଲା ନାହିଁ। ବାଧ୍ୟ ହୋଇ ରାମ୍‌କି ତଥା ‘ରି-ସଷ୍ଟେନେବିଲିଟି ଲିମିଟେଡ୍‌’ କୋର୍ଟକୁ ଯାଇଥିଲା। ନୋଟିସ୍‌ ପାଇବା ପରେ ବିଏମ୍‌ସିର ନିଦ ହଜିଥିଲା। ନିକଟ ଅତୀତରେ ଏକ ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚ ହୋଇଥିବା ବକେୟା ରାଶି ନ ଦେବାରୁ ଏକ ଠିକାସଂସ୍ଥା କମର୍ସିଆଲ କୋର୍ଟ ଜରିଆରେ ନୋଟିସ ପଠାଇଥିଲା। କୋର୍ଟ ଆଦେଶ ବଳରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର ଅନେକ ମୂଲ୍ୟବାନ ଜିନିଷ ଜବତ କରାଯାଇଥିଲା। ଏହାକୁ ମନେପକାଇ ବିଏମ୍‌ସି ଅଧିକାରୀମାନେ ଗୁପ୍ତ ବୈଠକ ବସାଇ ମାନସମନ୍ଥନ କରିଥିଲେ। ହେଲେ ମୋଟା ଅଙ୍କର ଅର୍ଥ ପ୍ରଦାନ କରିବା ପାଇଁ ସାହସ ଜୁଟାଇ ପାରିନଥିଲେ। ଏବେ ୫୬ କୋଟି ବଢ଼ି ବଢ଼ି ୭୦କୋଟିରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ଏବେ କେମିତି ଦେବେ ସେ ନେଇ ହରଡ଼ଘଣାରେ ପଡ଼ିଛନ୍ତି।

ତେବେ କେବଳ ରାମ୍‌କି ବା ‘ରିସଷ୍ଟେନେବିଲିଟି ଲିମିଟେଡ୍‌’ ନୁହେଁ, ବରଂ ସଫେଇ ଦାୟିତ୍ବରେ ଥିବା ଅନ୍ୟ ଦୁଇ ସଂସ୍ଥା ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ ଓ ପିଏମ୍‌ଆର କନ୍‌ସୋର୍ଟିୟମର ମଧ୍ୟ ଏହି ଏସ୍କାଲେସନ ଫି ବାକି ପଡ଼ିଥିଲା। ଏଣୁ ଏ ସବୁ ପ୍ରଦାନ କରିବା ପାଇଁ ନୂଆ କମିସନର ପରିମଳ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏଥିରେ ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍‌ଓ), ପରିମଳ ଡିସି, ନଗର ସ୍ବାସ୍ଥ୍ୟ ଅଧିକାରୀ, ପରିମଳ ଇଞ୍ଜିନିୟର, ଅଡିଟ୍‌ ଅଧିକ୍ଷକ ସଦସ୍ୟ ଭାବରେ ରହିଥିଲେ। ଏହି କମିଟି ବାକି ପଡ଼ିଥିବା ଏସ୍କାଲେସନ ଫି ଓ ବିଭିନ୍ନ ସମୟରେ କମିସନର କାଟି ଦେଇଥିବା ଟେଣ୍ଡର ଅର୍ଥ ପ୍ରଦାନ କରିବା ପାଇଁ ମାନସମନ୍ଥନ କରିଥିଲା। ୨୦୧୩ରୁ ଏସ୍କାଲେସନ ଫି ବାକି ପଡ଼ିଥିଲେ ମଧ୍ୟ ଏହି କମିଟି ୨୦୨୦ ମସିହାରୁ ହିସାବ କରିଥିଲା। ଏଣୁ ସଂସ୍ଥାମାନେ ୫୦ କୋଟିରୁ ଊର୍ଦ୍ଧ୍ବ ବାକି ପଡ଼ିଥିବା ଦେଖାଉଥିବା ବେଳେ କମିଟି ସଂସ୍ଥା ପିଛା ଏକ କୋଟି ବକେୟା ଦର୍ଶାଇଛି। ଏହା କର୍ପୋରେସନର ଅନୁମୋଦନ ପାଇଁ ରହିଛି।

ସମ୍ବନ୍ଧିତ ଖବର