ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ଅବସରରେ ସହରର କାନ୍ଥବାଡ଼ରେ ରଙ୍ଗବୋଳା କାର୍ଯ୍ୟରେ ବିଏମ୍ସିର ବିବାଦ ପିଛାଛାଡ଼ୁନି। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ କାନ୍ଥବାଡ଼ରେ ମହାପୁରୁଷଙ୍କ ନାମକୁ ବିକୃତ କରି ସମଗ୍ର ବିଶ୍ବରେ ନନ୍ଦିତ ହେବା ପରେ ଏବେ ଏହା ପଛରେ କେଳେଙ୍କାରୀ ପଦାକୁ ଆସିଛି। କାମ ନକରି ସୌନ୍ଦର୍ଯ୍ୟୀକରଣ ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ବେଳେ କାମ ପୂର୍ବରୁ କର୍ପୋରେସନର ସ୍ବୀକୃତି ନିଆଯାଇନାହିଁ। ବରଂ କାମ ସରିବା ପରେ କାର୍ଯ୍ୟୋତ୍ତର ଅନୁମୋଦନ ନିଆଯାଇଛି। ଅନେକ ଥର ଜାଗା ଓ ଚିତ୍ରକରଙ୍କୁ ପରିବର୍ତ୍ତନ ମଧ୍ୟ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାରୁ ବିରୋଧ ଭୟରେ କର୍ପୋରେସନ ସ୍ବୀକୃତି ନିଆଯାଇ ନଥିବା ଅଭିଯୋଗ ହୋଇଛି।
ପୂର୍ବରୁ ହକି ପାଇଁ ସହର କାନ୍ଥବାଡ଼ରେ ରଙ୍ଗବୋଳା ସହ ଚିତ୍ର କରାଯାଇଥିଲା। ଏଥିରେ ବି ପ୍ରାୟ ୨୦ କୋଟି ଖର୍ଚ୍ଚ ହୋଇଥିଲା। ପ୍ରବାସୀ ଭାରତୀୟ ଦିବସ ପାଇଁ ସେ ସବୁ ଭଲ ଥିଲେ ମଧ୍ୟ ତାହା ଉପରେ ରଙ୍ଗ ମାରି ନୂଆ ଚିତ୍ର କରାଗଲା। ଚିତ୍ରରେ ଖୁବ୍ କମ୍ ମହାପୁରୁଷଙ୍କୁ ସ୍ଥାନିତ କରାଯାଇଥିଲା। ତାଙ୍କ ନାମରେ ଗୁରୁଚଣ୍ଡାଳ ତ୍ରୁଟି ରହିଥିଲା। କୌଣସି ନିର୍ଦ୍ଦିଷ୍ଟ ଥିମ୍ରେ ମଧ୍ୟ କରାଯାଇ ନଥିଲା। ଏଥର ୧୭ କୋଟି ଖର୍ଚ୍ଚ ହେଲା। ଦୁଇ ବର୍ଷରେ ପ୍ରାୟ ୪୦ କୋଟି କେବଳ କାନ୍ଥବାଡ଼ରେ ରଙ୍ଗବୋଳା ଓ ଚିତ୍ରରେ ଖର୍ଚ୍ଚ ହୋଇଥିଲା। ବଡ଼କଥା ହେଲା ଏସବୁର କର୍ପୋରେସନ ସ୍ବୀକୃତି ନିଆଯାଇ ନଥିଲା। ବରଂ କାର୍ଯ୍ୟୋତ୍ତର ଅନୁମୋଦନ ନିଆଗଲା। ବିଭିନ୍ନ ସମୟରେ ଏହାର ସ୍ଥାନ ଓ ଚିତ୍ରକରଙ୍କୁ ପରିବର୍ତ୍ତନ କରାଯାଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଷ୍ପତି କ୍ରମେ କଣ୍ଟ୍ରାକ୍ଟ୍ସ୍ କମିଟି ଏହି ସବୁ ସ୍ଥାନ ପରିବର୍ତ୍ତନ କରିଥିଲା। କମିଟି ୧୩୬ଟି କାମର କାର୍ଯ୍ୟୋତ୍ତର ଅନୁମୋଦନ କରିଥିଲା। ଉଚ୍ଚକର୍ତ୍ତୃପକ୍ଷ କିଏ? ସେ କାହିଁକି ସ୍ଥାନ ଓ ଚିତ୍ରକର ପରିବର୍ତ୍ତନ କଲେ? ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା କର୍ପୋରେସନକୁ କାହିଁକି ଏହି ପ୍ରକ୍ରିୟାରୁ ବାଦ୍ ରଖାଗଲା? ଏ ଉତ୍ତର କାହାପାଖରେ ନାହିଁ।
କର୍ପୋରେସନକୁ ଆଣିନାହାନ୍ତି
କଣ୍ଟ୍ରାକ୍ଟ୍ସ୍ କମିଟି ନେଇଥିଲା ନିଷ୍ପତ୍ତି
ସୌନ୍ଦର୍ଯ୍ୟୀକରଣ ପାଇଁ ୨ କୋଟି ଖର୍ଚ୍ଚ ହୋଇଛି। ଏଥିରେ ପ୍ରାୟ କୋଟିଏ ଟଙ୍କା ହରିଲୁଟ୍ ଅଭିଯୋଗ ହୋଇଛି। କଳ୍ପନା ଛକରେ ଥିବା ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତି ସ୍ଥଳ ନବୀକରଣ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଜଳଫୁଆରା ମରାମତି ଓ ସ୍ଥାପନରେ ପ୍ରାୟ ୧୩ଲକ୍ଷ, ପ୍ରତିମୂର୍ତ୍ତି ପାଖରେ ପେଭର ବ୍ଲକ୍ ଓ ପେଣ୍ଟିଂ ପାଇଁ ୫ ଲକ୍ଷ, ପ୍ରତିମୂର୍ତ୍ତି ଚାରିପଖରେ ଷ୍ଟିଲ୍ବାଡ଼ ପାଇଁ ୫ ଲକ୍ଷ, ଏଭଳି କେବଳ ପ୍ରତିମୂର୍ତ୍ତି ସ୍ଥଳରେ ୨୮ଲକ୍ଷ ଖର୍ଚ୍ଚ ହୋଇଛି। ଏହା କେବଳ ଗୋଟିଏ ଜାଗାର ଖର୍ଚ୍ଚ। ଏଭଳି ବିଭିନ୍ନ ଜାଗାରେ ବିଭିନ୍ନ ଠିକାଦାରଙ୍କ ଜରିଆରେ ଲକ୍ଷଲକ୍ଷ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ପୁରୁଣା ଭୁବନେଶ୍ବରରେ ଥିବା ଖାଓଗଳି ନବୀକରଣରେ ୪.୯୮ଲକ୍ଷ, ବସିବା ପାଇଁ ବେଞ୍ଚ ଓ ଟ୍ରି ଗାର୍ଡ ପାଇଁ ୩ଲକ୍ଷ, ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସରେ ପାଚେରୀ ମରାମତି ଓ ରଙ୍ଗ ଏବଂ ଟଏଲେଟ୍ ମରାମତିରେ ୪.୯୫ଲକ୍ଷ, ମାର୍କେଟ୍ ରଙ୍ଗରେ ୪.୯୭ ଲକ୍ଷ, ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ କେବଳ ଫୁଲସଜାରେ ୭୨ହଜାର ଖର୍ଚ୍ଚ ଦର୍ଶାଯାଇଛି। ଅନେକ କାମ କେବଳ କାଗଜପତ୍ରରେ ଦର୍ଶାଯାଇଥିବା ଅଭିଯୋଗ କରିଛନ୍ତି ଧନେଶ୍ବର ନାୟକ। ସେ କହିଛନ୍ତି ୱାର୍ଡ ନଂ ୫୪, ୫୫, ୫୬ ଓ ୫୭ରେ ଏଭଳି ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଛି। ଲିଙ୍ଗରାଜ ମାର୍କେଟ୍ ଓ ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସରେ ରଙ୍ଗବୋଳା ହୋଇଥିବା ଦର୍ଶାଯାଇଛି। ଯେଉଁ ସବୁ ସାମଗ୍ରୀ ବ୍ୟବହାର କରାଯାଇଛି ସେ ସବୁ ନିମ୍ନମାନର। ଏ ନେଇ ଆମେ ବିଏମ୍ସିକୁ ଅଭିଯୋଗ କରିଛୁ। କିନ୍ତୁ ଏ ପର୍ଯ୍ୟନ୍ତ ଉତ୍ତର ଆସିନାହିଁ।
ତେବେ କେବଳ ବଏମ୍ସି ନୁହେଁ, କେତେକ ଜାଗାରେ ରାସ୍ତା ଓ କୋଠାବାଡ଼ି ବିଭାଜନ ମଧ୍ୟ ସୌନ୍ଦର୍ଯ୍ୟୀକରଣ କରିଛି। ପେଭରବ୍ଲକ୍ ପକାଇଥିବା ହିସାବ ଦେଖାଇଛି। ଉଭୟଙ୍କ ମଧ୍ୟରେ ସମନ୍ବୟ ବୈଠକ ହୋଇନାହିଁ କିମ୍ବା ଯୋଗାଯୋଗ ମଧ୍ୟ ହୋଇନାହିଁ। ବିଏମ୍ସି ଯେତିକି କାନ୍ଥବାଡ଼ରେ ରଙ୍ଗ ଓ ଚିତ୍ର କରିଛି ସେ ସବୁ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥର ସମ୍ପତ୍ତି। କୌଣସି ବିଭାଗ ସହ ସମନ୍ବୟ ନଥିବାରୁ ଯିଏ ଯେମିତି ପାରିଛି ବିଲ୍ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିଏମ୍ସି କହିଛି, ଏହି ସବୁ ଅର୍ଥ ବିଏମ୍ସି ପାଣ୍ଠିରୁ ଖର୍ଚ୍ଚ ହୋଇନାହିଁ। ଖର୍ଚ୍ଚର ସିଂହଭାଗ ବିଭିନ୍ନ ସଂସ୍ଥାର ସିଏସ୍ଆର୍ ପାଣ୍ଠିରୁ ଆସିଥିଲା। ବାକି ଅର୍ଥ ସରକାରଙ୍କ ଠାରୁ ଆସିବ। ଅଭିଯୋଗ ହେଲେ ତଦନ୍ତ ହେବ। ନିମ୍ନମାନର କାମ ବା କାମ ନ ହୋଇ ବିଲ୍ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ।