ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଚୟନ ପ୍ରସଙ୍ଗ : ଚିହ୍ନଟ ହୋଇପାରିଲାନି ଜମି!

ମୁଖ୍ୟ କ୍ୟାମ୍ପସଠାରୁ ୨୦ କି.ମି. ଭିତରେ ନାହିଁ ୮୦ ଏକର ଜମି, ଜଟଣୀ ଓ ଗୋଠପାଟଣାରେ ହୋଇପାରେ କ୍ୟାମ୍ପସ, ଦୁଇଟି ଜମି ଦେବାକୁ ପ୍ରସ୍ତାବ ଦେଲା ଜମି ଚିହ୍ନଟ କମିଟି

ଭୁବନେଶ୍ୱର,: କଣ୍ଟ ପୂରିଲା। ତଥାପି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେଉଁଠି ହେବ ସେନେଇ ଚିତ୍ର ସ୍ପଷ୍ଟ ହୋଇପାରିଲା ନାହିଁ। ମାର୍ଚ୍ଚ ୧୫ ତାରିଖ ତଥା ଆଜି ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟର ଶେଷ ଦିନ ରହିଥିଲେ ମଧ୍ୟ ଜମି ଚିହ୍ନଟ କମିଟି କୌଣସି ସ୍ଥାନରେ ଚୂଡ଼ାନ୍ତ ମୋହର ମାରି ପାରି ନାହିଁ। ବରଂ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କ୍ୟାମ୍ପସ ଓ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଯୋଗାଇ ଦେବାକୁ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଗତ ଫେବ୍ରୁଆରି ୧୯ରେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ଓ ପିଜି ବିଭାଗର ଇଷ୍ଟେଟ୍‌ ନିର୍ଦେଶକ, ଖୋର୍ଧା ଜିଲ୍ଲାପାଳ ସଦସ୍ୟ ରହିଛନ୍ତି। ଏହି କମିଟି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ କରି ମାର୍ଚ୍ଚ ୧୫ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା। ସେହି ଅନୁଯାୟୀ କମିଟିର ବୈଠକ ଏକାଧିକ ଥର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଓ ଏହାର ଆଖପାଖରେ ଥିବା ଖାଲି ପଡ଼ିଥିବା ସରକାରୀ ଜମି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଆଇଏମ୍‌ଏମ୍‌ଟି ଓ ସୈନିକ ସ୍କୁଲ ନିକଟରେ ଥିବା ସରକାରୀ ଜମିକୁ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଯୋଗାଇ ଦେବାକୁ ମତ ପ୍ରକାଶ ପାଇଥିଲା। କିନ୍ତୁ ତାହାକୁ ଦିଆଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକଠୋକ୍‌ ଶୁଣାଇ ଦିଆଯାଇଥିଲା। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରିତ କ୍ୟାମ୍ପସ ଲାଗି ଭୁବନେଶ୍ୱର ଭିତରେ ୧୦ ଏକର ଜମି ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏହାବ୍ୟତୀତ ଭବିଷ୍ୟତ କ୍ୟାମ୍ପସ ଲାଗି ଭୁବନେଶ୍ୱର ଉପକଣ୍ଠରେ ୮୦ରୁ ୧୦୦ ଏକର ଜମି ଯୋଗାଇ ଦେବାକୁ ବି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଗୋଠପାଟଣାରେ ଏହି କ୍ୟାମ୍ପସ ହୋଇପାରେ। କମିଟି ଜମି ଚିହ୍ନଟ କରିପାରି ନ ଥିବାରୁ ଏବେ ଦ୍ୱିତୀୟ କ୍ୟାମ୍ପସ ସମ୍ଭବପର ହେବ ନାହିଁ ବୋଲି ସୂଚନା ମିଳିଛି।ଖୋର୍ଧା ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଶ୍ୱବିିଦ୍ୟାଳୟର ବର୍ତମାନ କ୍ୟାମ୍ପସଠାରୁ ୨୦ କି.ମି. ଭିତରେ ୮୦ ଏକର ପରିମିତ କୌଣସି ଜମି ନାହିଁ। ତେଣୁ ରାଜଧାନୀ ଭିତରେ ଦ୍ୱିତୀୟ କ୍ୟାମ୍ପସ ହେବା ସମ୍ଭବପର ନୁହେଁ। ଜଟଣୀ ଅଞ୍ଚଳରେ ଦୁଇଟି ଜମି ରହିଛି। ସେଠାରେ ଦ୍ୱିତୀୟ କ୍ୟାମ୍ପସ କରାଯାଇପାରେ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଜମି ଦେଖି ଚିହ୍ନଟ କରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଲାଗି ଗତ ଜାନୁଆରି ୩୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ କ୍ୟାମ୍ପସ କରିବାକୁ ପ୍ରସ୍ତାବ ବି ରହିଥିଲା। ଏନେଇ ବିରୋଧ ହେବା ପରେ ରାଜ୍ୟ ସରକାର ନିଷ୍ପତ୍ତିରୁ ଓହରିଥିଲେ। ପୂର୍ବରୁ ଗଠିତ ହୋଇଥିବା କମିଟିକୁ ପୁନର୍ଗଠିତ କରାଯାଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା। ମାର୍ଚ୍ଚ ୧୫ ଭିତରେ ଜମି ଚିହ୍ନଟ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର