ପୁଞ୍ଜି ହାତେଇବାକୁ ଉଦ୍ୟମ

ଆଗେଇପାରୁନି ସ୍କାର୍ଟ ସିଟି ପ୍ରକଳ୍ପ

ଭୁବନେଶ୍ୱର: ଆଗେଇ ପାରୁନି ଭୁବନେଶ୍ୱରର ସ୍ମାର୍ଟ ସିଟି ପ୍ରକଳ୍ପ। ଅନେକ ପ୍ରକଳ୍ପ ଏବେ କେବଳ ଘୋଷଣାରେ ଅଟକି ରହିଥିବା ବେଳେ କେତେକ ବ୍ଲୁ ପ୍ରିଣ୍ଟରେ ହିଁ ରହିଯାଇଛି। ଅର୍ଥ ଅଭାବରୁ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିପାରୁନି। ଏଭଳି ସମୟରେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ଆକୃଷ୍ଟ କରିବା ନିମନ୍ତେ ସରକାର ଅଣ୍ଟା ଭିଡ଼ିଛନ୍ତି। ନିତି ଆୟୋଗ ସହଯୋଗରେ ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଏକ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ। ଏହାର ଲକ୍ଷ୍ୟ ରହିଛି ସ୍ମାର୍ଟ ସିଟିର ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ଯୋଗାଡ଼ କରିବା। ଏହି ସମ୍ମିଳନୀରେ ଭୁବନେଶ୍ୱର ଟାଉନ୍‌ ସେଣ୍ଟର ଡିଷ୍ଟ୍ରିକ୍ଟ (ବିଟିସିଡି) ଅଂଶଗ୍ରହଣ କରିବ। ଏହି ସମ୍ମିଳନୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପାଇଁ ଖୁବ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା ସରକାର, ବିଏସ୍‌ସିଏଲ୍‌ ଏବଂ ନିତି ଆୟୋଗର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ନଲେଜ୍‌ ପାର୍ଟନର ହେଉଛି ୟର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଟାଉନ୍‌ ସେଣ୍ଟର ଡିଷ୍ଟି୍ରକ୍ଟ (ବିଟିସିଡି)ର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ବାପୁଜୀନଗରରୁ ବାଣୀବିହାର ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଜଳ ଯୋଗାଣ, ବନ୍ୟାଜଳ ନିଷ୍କାସନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ଲାଗି ଭୂତଳ କେବୁଲ ସଂଯୋଗ, ସ୍ମାର୍ଟ ଏନର୍ଜି ମିଟର, ସଡ଼କ ଓ ପାଦଚଲା ରାସ୍ତାର ଉନ୍ନତିକରଣ, ବୃକ୍ଷରୋପଣ, ସ୍ମାର୍ଟ ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ପ୍ରକଳ୍ପଗୁଡ଼ିକୁ ଗୁରୁତ୍ୱ ଦିଆଯିବ। ସ୍ମାର୍ଟ ସିଟି ପ୍ରସ୍ତାବରେ ଏହି ସବୁ ପ୍ରକଳ୍ପଗୁଡ଼ିକ ବିଷୟରେ ଉଲ୍ଲେଖ ରହିଛି। ୩୧ଟି ଭିତ୍ତିଭୂମି ଉନ୍ନତୀକରଣ ପ୍ରକଳ୍ପ ବାବଦରେ ୩୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଘରୋଇ ସରକାରୀ ସହଭାଗିତା (ପିପିପି)ରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ବର୍ତମାନ ସୁଦ୍ଧା ବିଜୁଳି ଯୋଗାଣ ଲାଇନ୍‌, ବନ୍ୟାଜଳ ନିଷ୍କାସନ, ୨୪ ଘଣ୍ଟିଆ ବିଜୁଳି ଓ ପାଣି ଯୋଗାଣର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ଓ ଫିଜିବିଲିଟି ଷ୍ଟଡି ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ଏହି ସବୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ବିଭିନ୍ନ ପର୍ଯ୍ୟାୟରେ ରହିଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ତାହାକୁ ଗୋଟିଏ ୟୁଟିଲିଟି ଅପରେଟରକୁ ହସ୍ତାନ୍ତର କରାଯିବ। ସେହି ଅପରେଟର ଏକକାଳୀନ ପୁଞ୍ଜି ଖର୍ଚ୍ଚ କରି ଭିତ୍ତିଭୂମିକୁ ପୁନଃବିକଶିତ କରିବା ସହ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବ। ସରକାରଙ୍କଠାରୁ ଏହି ଅପରେଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦେୟ ହାସଲ କରିବ।
ବିଟିସିଡିରେ ଏବେ ପ୍ରାୟ ୫୦ ହଜାର ଲୋକ ଓ ୧୧,୧୬୭ ପରିବାର ବାସ କରୁଛନ୍ତି। ପ୍ରତି ହେକ୍ଟରରେ ୩୩୫ ଜଣ ଲୋକ ରହୁଛନ୍ତି। ସହରର ପ୍ରମୁଖ ପେଣ୍ଠସ୍ଥଳରେ ଥିବା ରେଳଷ୍ଟେସନର ଆଖପାଖ ଅଞ୍ଚଳର ୯୮୫ ଏକର ଜମିକୁ ୨୪ ଘଣ୍ଟିଆ ବ୍ୟବହାର ଯୋଗ୍ୟ ସ୍ଥାନ ଭାବେ ଉନ୍ନତୀକରଣ କରାଯିବ, ଯାହା ସ୍ମାର୍ଟ ସିଟି ପ୍ରକଳ୍ପର କେନ୍ଦ୍ରବିନ୍ଦୁ ହେବ। ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ନୂଆଦିଲ୍ଲୀରେ ଭୁବନେଶ୍ୱର ସ୍କାର୍ଟ ସିଟି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରାଯିବ। ବିଟିସିଡିର ଭିତ୍ତିଭୂମି ବିକାଶ କିଭଳି ହେବ, କ’ଣ ସବୁ ସୁବିଧା ଉପଲବ୍ଧ ହେବ, ସବୁ ବର୍ଗର ବ୍ୟକ୍ତିବିଶେଷ କିଭଳି ସୁବିଧା ସୁଯୋଗ ପାଇପାରିବେ ତାହାକୁ ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚାଯିବ। ଏହାଦ୍ୱାରା ବାହାର ସଂସ୍ଥାମାନେ ଭୁବନେଶ୍ୱର ପ୍ରକଳ୍ପରେ ପୁଞ୍ଜିନିବେଶ କରିପାରିବେ।

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ବିଶ୍ୱର ଶ୍ରେଷ୍ଠ ୨୦ ସହର ମଧ୍ୟରେ ଭାରତରୁ କେବଳ ଭୁବନେଶ୍ୱର ରହିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଏକ ଆନନ୍ଦଦାୟକ ମୁହୂର୍ତ୍ତ। କାରଣ ମୁଁ ୧୯୯୯ ମସିହାର ମହାବାତ୍ୟାକୁ ଦେଖିଛି ଏବଂ ଏହାପରେ ଆମେ କେତେଦୂର ଆଗେଇ ଆସିଛେ ତାହାକୁ ମନେ ରଖିଛି। ଏହି ବିଶ୍ୱସ୍ତରୀୟ ମାନ୍ୟତାର ଶ୍ରେୟ ଭୁବନେଶ୍ୱର ବାସିନ୍ଦା ଏବଂ ଶାନ୍ତିପ୍ରିୟ, ଦୂରଦୃଷ୍ଟିସମ୍ପନ୍ନ ଓଡ଼ିଶାର ଲୋକଙ୍କୁ ଯାଉଛି। ଯେଉଁମାନେ ନିରନ୍ତର ଆମକୁ ଆଶୀର୍ବାଦ କରୁଛନ୍ତି ଏବଂ ଆମ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। ଆମର ସାଂସ୍କୃତିକ ଐତିହ୍ୟ, ଆତିଥେୟତା ସହିତ ଆଧୁନିକ ସୁବିଧା ସୁଯୋଗ ଏହି ସହରକୁ ଏକ ସ୍ୱତନ୍ତ୍ର ସହରାଞ୍ଚଳ ଅନୁଭୂତିରେ ପରିଣତ କରିଛି। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜମି ଅଧିକାରଠାରୁ ଆରମ୍ଭ କରି ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି। ଭୁବନେଶ୍ୱରକୁ ବାସ୍ତବରେ ଏକ ବିଶ୍ୱସ୍ତରୀୟ ସହର ଏବଂ ବସବାସ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ପରିଣତ କରିବା ଦିଗରେ ଆମର ଉଦ୍ୟମ ଜାରି ରହିବ। ସବୁ ଓଡ଼ିଆଙ୍କ ପାଇଁ ଏହା ଗର୍ବିତ ହେବା ଭଳି ଏକ ମୂହୁର୍ତ୍ତ।

ସମ୍ବନ୍ଧିତ ଖବର