ଲିଭୁନାହିଁ ଯୌତୁକ ଜୁଇ: ୪ ବର୍ଷରେ ଜଳିଛି ୧୫୦ ଚିତା

ନାମକୁ ମାତ୍ର ମହିଳା ଦିବସ

ଭୁବନେଶ୍ବର: ୨୦୨୧ ମାର୍ଚ୍ଚରେ କ୍ୟାପିଟାଲ ହସ୍ପିଟାଲ୍‌ରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତା ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେତେବେଳେ ସେ ଗର୍ଭବତୀ ଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ବିବାହର ଦୁଇ ବର୍ଷ ଭିତରେ ତାଙ୍କୁ ଯୌତୁକ ପାଇଁ ବେଶ୍ ଅସହ୍ୟ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା। ଶେଷରେ ତାଙ୍କୁ ଯୌତୁକ ଜୁଇରେ ବଳିପଡ଼ିବାକୁ ହେଲା। ସେହିଭଳି ୨୦୨୦ ଫେବୃଆରିରେ କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମିତା ସାହୁ(୨୧) ‌ଯୌତୁକ ନିଆଁରେ ପୋଡ଼ି ହୋଇଯାଇଥିଳେ। ବାପଘରୁ ଦାବି ମୁତାବକ ଯୌତୁକ ଆଣିନପାରିବାରୁ ରଶ୍ମିତାଙ୍କୁ ଶାଶୁ, ଶ୍ବଶୁର ଓ ନଣଦ ଜାଳି ଦେଇଥିଲେ।

ତାଙ୍କ ହାତଗୋଡ଼ ବାନ୍ଧି ଦେହରେ କିରୋସିନ ଢାଳି ଜିଅନ୍ତା ଜାଳିଦେଲେ ବୋଲି ଅଭିଯୋଗ ହୋଇଥିଲା। ୨୦୨୦ ସେପ୍ଟେମ୍ବରର ଘଟଣା। ନବବଧୂ ବନ୍ଦନା ଜେନା ହତ୍ୟା ମାମଲା ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଘଟଣାଟି ପୁଣି ଘଟିଥିଲା ଜଣେ ପୁଲିସ କର୍ମଚାରୀଙ୍କ ଘରେ। ପୁଲିସ କର୍ମଚାରୀ ବିଜୟ ଗୋଛାୟତଙ୍କ ବୋହୂ ବନ୍ଦନାଙ୍କ ଝୁଲନ୍ତା ମୃତଦେହ କଳିଙ୍ଗବିହାରସ୍ଥିତ ଘରୁ ଜବତ ହୋଇଥିଲା। ସେହି ବର୍ଷ ଫେବୃଆରିରେ ବୋହୂ ସାଜିଥିବା ବନ୍ଦନାଙ୍କୁ ପ୍ରତିଦିନ ଯୌତୁକ ନିର୍ଯାତନାର ଶୀକାର ହେବାକୁ ପଡ଼ୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏମିତି ଉଦାହରଣ ଅନେକ। ଆଜି ବିଶ୍ବ ମହିଳା ଦିବସ ପାଳନ କରାଯାଉଛି। ଅଥଚ ଯୌତୁକ ଜୁଇ ଲିଭୁନାହିଁ। ପ୍ରତିଦିନ କେଉଁଠି ନା କେଉଁଠି ଯୌତୁକ ଚିତାଟିଏ ଜଳୁଛି।

ରାଜ୍ୟ ମହିଳା ଆୟୋଗଙ୍କ ତଥ୍ୟ ଅନୁସାରେ ଗତ ୪ ବର୍ଷ ଭିତରେ ରାଜ୍ୟରେ ୧୫୦ ଜଣ ମହିଳା ଯୌତୁକ ନିର୍ଯାତନାରେ ପ୍ରାଣ ହରାଇଛନ୍ତି। ରେକର୍ଡ ଅନୁସାରେ ୨୦୧୮ରେ ୪୯, ୨୦୧୯ରେ ୪୭, ୨୦୨୦ରେ ୩୧ ଓ ୨୦୨୧ରେ ୨୩ ମହିଳାଙ୍କ ପ୍ରାଣ ନେଇଛି ଯୌତୁକ ଦାବି। ରାଜ୍ୟରେ ବୃଦ୍ଧି ପାଉଥିବା‌ ଅପରାଧ ଭିତରେ ଯୌତୁକଜନିତ ଅପରାଧର ସଂଖ୍ୟା ବଢ଼ିବଢ଼ି ଚାଲିଛି। ଯୌତୁକ ନିରୋଧ ଆଇନ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ଏହି କୁତ୍ସିତ ପ୍ରଥାର ବିଲୋପ ହେଉନାହିଁ। ଯୌତୁକ ପାଇଁ ବହୁ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଉଛି ତ ଆଉ କେଉଁଠି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଛି। ଗତ ୪ ବର୍ଷର ହିସାବ ଅନୁସାରେ ରାଜ୍ୟରେ ୨୨୨୬ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇଥିବା ବେଳେ କର୍ମକ୍ଷେତ୍ରରେ ମଧ୍ୟ ମହିଳାମାନେ ଯୌନ ଶୋଷଣର ସାମ୍ନା କରୁଛନ୍ତି।

୨୦୧୮ ମସିହାର ଅଭିଯୋଗ ଓ ମାମଲା ଅନୁସାରେ କର୍ମକ୍ଷେତ୍ରରେ ୯ ମହିଳା ଯୌନ ଶୋଷଣର ଶିକାର ହୋଇଥିବା ବେଳେ ୨୦୧୯ରେ ୨୪, ୨୦୨୦ ‌ରେ ୨୪ ଓ ୨୦୨୧‌ରେ ୧୪ ମାମଲା ରୁଜୁ ହୋଇଛି। ସେହିପରି ବହୁ ଯୁବତୀ ସାଇବର ଅପରାଧର ଶିକାର ହୋଇଛନ୍ତି। ପ୍ରଥମ ଥର ପାଇଁ ମହିଳା ଆୟୋଗରେ ସମ୍ମୁଖୀନ ହୋଇଥିବା ପୀଡିତାମାନେ ଅଭିଯୋଗ କରିଛନ୍ତି। ଗତବର୍ଷ ୯ଟି ସାଇବର ଅପରାଧଜନିତ ସମସ୍ୟା ପଞ୍ଜୀକୃତ ହୋଇଛି।

ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି ନିର୍ଯାତନା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଘରେ ଯୌତୁକଜନିତ ନିର୍ଯାତନା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବି ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଗତ ୪ ବର୍ଷ ଭିତରେ ୧୫୫ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଘରୋଇ ହିଂସାର ଶିକାର ହୋଇଛନ୍ତି ୩୭୪୦। ସେହିଭଳି ୨୩୩ ବଳାତ୍କାରର ଶିକାର ହୋଇଥିବା ବେଳେ ମିଥ୍ୟା ବିବାହ ପ୍ରତିଶ୍ରୁତିରେ ୩୯୫ ମହିଳା ଫସିଛନ୍ତି। ୨୪୯ ମହିଳା ଅପହରଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସମ୍ପତ୍ତିଗତ ଅଧିକାରରୁ ୨୧୫ ବଞ୍ଚିତ ହୋଇଛନ୍ତି।

ଚାକିରି ବା କର୍ମକ୍ଷେତ୍ରରେ ୭୧ ମହିଳା ଯୌନ ଶୋଷଣର ଶିକାର ହୋଇଛନ୍ତି। ଚାକିରି ଜନିତ ନିର୍ଯାତନା ୨୨୨, ଶାଳୀନତା ରକ୍ଷା କରୁନଥିବା ଅଭିଯୋଗ ସଂଖ୍ୟା ୫୧୩ ଏବଂ ମହିଳା ଅଧିକାରଜନିତ ହିଂସାରେ ୧୩୨୬ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ଗତ ୪ ବର୍ଷରେ ୯୩୦୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୧୧୨୯ଟି ମାମଲାର ସମାଧାନ ହୋଇଥିବା ମହିଳା ଆୟୋଗ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର