ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତ ବିରୋଧରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ପରମାଣୁ ଧମକକୁ ନୂଆଦିଲ୍ଲୀ ତୀବ୍ର ନିନ୍ଦା କରିଛି। ମୁନିରଙ୍କ ମନ୍ତବ୍ୟକୁ ‘ବୃଥା ଆସ୍ଫାଳନ’ ଏବଂ ପାକିସ୍ତାନର ଚିରାଚରିତ କୌଶଳ ବୋଲି ଦର୍ଶାଇଛି। ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ମୁନିରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖାଯାଇଛି।  ଅନ୍ୟ ଏକ ବନ୍ଧୁ  ତଥା ତୃତୀୟ ରାଷ୍ଟ୍ରରୁ ପାକିସ୍ତାନ ସେନାମୁଖ୍ୟଙ୍କ ଏଭଳି ମନ୍ତବ୍ୟ ଆସିବା ନିଶ୍ଚିତଭାବେ ଦୁଃଖଦାୟକ ବୋଲି ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି।  
ଶ୍ରୀ ଜୟସ୍ବାଲ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟ ମୁନିରଙ୍କ ଏଭଳି ମନ୍ତବ୍ୟରେ ଥିବା ଦାୟିତ୍ୱହୀନତା ବିଷୟରେ ନିଶ୍ଚୟ ବୁଝିପାରୁଥିବେ। ଯେଉଁ ଦେଶର ସେନା ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ହାତ ମିଳାଇଛି, ସେ ଦେଶରେ ଆଣବିକ କମାଣ୍ଡ ଓ ନିୟନ୍ତ୍ରଣର ସଚ୍ଚୋଟତା ଉପରେ ଥିବା ସନ୍ଦେହକୁ ମଧ୍ୟ ଏହା ଦୃଢ଼ କରୁଛି। କୌଣସି ପ୍ରକାର ଆଣବିକ ବ୍ଲାକମେଲ୍‌କୁ ଖାତିର କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି। ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଭାରତ ମୁନିରଙ୍କ ଏହି ମନ୍ତବ୍ୟକୁ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି କହିବା ସହ ପାକିସ୍ତାନ କିପରି ଆଞ୍ଚଳିକ ଓ ବିଶ୍ୱ ସୁରକ୍ଷାକୁ ବିପଦରେ ପକାଉଛି ଏହା ତାହାର ଉଦାହରଣ ବୋଲି ନୂଆଦିଲ୍ଲୀ ମତ ଦେଇଛି। 
     ଯେତେବେଳେ ବି ଆମେରିକା ପାକିସ୍ତାନୀ ସେନାକୁ ସମର୍ଥନ କରେ, ସେମାନେ ସର୍ବଦା ନିଜର ପ୍ରକୃତ ରଙ୍ଗ ଦେଖାଇଥାନ୍ତି। ଏହା ଏକ ସଙ୍କେତ ଯେ ପାକିସ୍ତାନରେ ଗଣତନ୍ତ୍ର ନାହିଁ; ବରଂ ସେନା ଦେଶକୁ ନିୟନ୍ତ୍ରଣ କରିଥାଏ। ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ଯିବାର ପ୍ରକୃତ ଆଶଙ୍କା ରହିଛି। ଆମେରିକାରେ ଏକ ଘରୋଇ ରାତ୍ରିଭୋଜନରେ ଯୋଗଦେଇ ଅସୀମ ମୁନିର ରବିବାର ଚେତାବନୀ ଦେଇଛନ୍ତି ଯେ ଯଦି ନୂଆଦିଲ୍ଲୀରୁ ଅସ୍ତିତ୍ୱ ବିପଦର ସମ୍ମୁଖୀନ ହୁଏ ତେବେ ଇସଲାମାବାଦ ଅଧା ବିଶ୍ୱକୁ ଧ୍ବଂସ କରିଦେବ। ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମେ ବିଶ୍ୱାସ କରୁ ଯେ ଆମେ ତଳକୁ ଯାଉଛୁ, ତେବେ ଆମେ ଅଧା ଦୁନିଆକୁ ନିଜ ସହ ନେଇଯିବୁ। ସିନ୍ଧୁ ନଦୀ ଭାରତୀୟଙ୍କ ପାରିବାରିକ ସମ୍ପତ୍ତି ନୁହେଁ, ଆମେ ଭାରତ ଡ୍ୟାମ୍ ନିର୍ମାଣ ପାଇଁ ଅପେକ୍ଷା କରିବୁ ଏବଂ ଯେତେବେଳେ ଭାରତ ଏହା କରିବ, ଆମେ ଏହାକୁ ୧୦ଟି କ୍ଷେପଣାସ୍ତ୍ରରେ ଧ୍ୱଂସ କରିଦେବୁ। ଆମ ପାଖରେ କ୍ଷେପଣାସ୍ତ୍ରର କୌଣସି ଅଭାବ ନାହିଁ ବୋଲି ମୁନିର କହିଥିଲେ। ଅପରେସନ ସିନ୍ଦୂର ପରେ ମୁନିର ଦୁଇ ମାସ ଭିତରେ ଦୁଇଥର ୱାସିଂଟନ ଗସ୍ତ କରିଛନ୍ତି। ଯେତେବେଳେ ବି ପାକିସ୍ତାନକୁ ଆମେରିକାର ସମର୍ଥନ ମିଳେ ସେତେବେଳେ ଏହାର ସାହସ ବଢ଼ିଯାଇ ଥାଏ ବୋଲି ଏହି ମନ୍ତବ୍ୟରୁ ପ୍ରମାଣିତ ହେଉଛି। କୌଣସି ତୃତୀୟ ଦେଶ ବିରୋଧରେ ଆମେରିକା ମାଟିରୁ ପରମାଣୁ ଧମକ ମିଳିବାର ଏହା ହେଉଛି ପ୍ରଥମ ଘଟଣା।