ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ସରି ଆସୁଥିବା ବେଳେ ବିଏମ୍ସି ଏବେ ଟିକସ ଆଦାୟ ଜୋରଦାର କରିଛି। କେଉଁଠୁ ଜରିମାନା ଆଦାୟ ହେଉଛି ତ କେଉଁଠୁ ହୋଲଡିଂ ଟିକସ, ଟ୍ରେଡ୍ ଲାଇସେନ୍ସ ଫି’ ଏବଂ ବିଭିନ୍ନ ଦେୟ ଆଦାୟ ହେଉଛି। ଟ୍ୟାକ୍ସ କଲେକ୍ଟରମାନଙ୍କୁ ଟାର୍ଗେଟ୍ ଧରାଇ ଦିଆଯାଇ ଥିବାରୁ ଏବେ ଟିକସ ଆଦାୟ ଜୋରଦାର୍ ଚାଲିଛି। ଟିକସ ଆଦାୟରେ ଯେପରି ସ୍ବଚ୍ଛତା ବଜାୟ ରହିବ, ସେଥିପାଇଁ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ବିନା ବିଏମ୍ସି ରସିଦ୍ରେ କେହି ଟିକସ ଆଦାୟ କରିପାରିବେନି। ରାଜଧାନୀବାସୀ ଯଦି କୌଣସି ସେବା ପାଇଁ ଟିକସ ବା କୌଣସି ବେଆଇନ କାର୍ଯ୍ୟ ପାଇଁ ଜରିମାନା ଦେଉଛନ୍ତି, ତେବେ ଟିକସ ଆଦାୟକାରୀଙ୍କଠାରୁ ରସିଦ୍ ସଂଗ୍ରହ କରନ୍ତୁ। ବିନା ରସିଦ୍ରେ କେହି ଟିକସ ଦିଅନ୍ତୁନି।
ଆଜି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ହୋଲଡିଂ ଟିକସ ଆଦାୟରେ କୌଣସି ପ୍ରକାରର ବେଆଇନ କାର୍ଯ୍ୟକୁ ପ୍ରଶୟ ଦିଆଯିବନି। ଯଦି କେହି ବିଏମ୍ସିରେ କୌଣସି ପ୍ରକାରର ଟିକସ ବା ଦେୟ ଦାଖଲ କରୁଛନ୍ତି, ସେମାନେ ଉକ୍ତ କର୍ମଚାରୀଙ୍କଠାରୁ ରସିଦ୍ ସଂଗ୍ରହ କରନ୍ତୁ। ଯଦି କେହି ବିନା ରସିଦ୍ରେ ଟିକସ ବା ଦେୟ ଆଦାୟ କରୁଥିବେ, ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ବିଏମ୍ସି ପକ୍ଷରୁ ହୋଲଡିଂ ଟିକସ ଆଦାୟ ପାଇଁ ଚଳିତ ବର୍ଷ ମହିଳା ସ୍ବୟଂସହାୟିକା ଗୋଷ୍ଠୀମାନଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ସେମାନଙ୍କ ନିକଟରେ ପରିଚୟପତ୍ର ନ ଥିବାରୁ ବିଭିନ୍ନ ସମସ୍ୟା ହେଉଥିବା ଜଣାପଡ଼ିବା ପରେ ବିଏମ୍ସି ପକ୍ଷରୁ ଆଜି ପରିଚୟପତ୍ର ପ୍ରଦାନ କରାଯାଇଛି। ଏବେ ଟିକସ ଆଦାୟରେ ନିୟୋଜିତ ଥିବା ୨୦ଟି ଏସ୍ଏଚ୍ଜିର ୮୦ଜଣ ସଦସ୍ୟାଙ୍କ କାର୍ଯ୍ୟ ସମୀକ୍ଷା କରାଯାଇଛି। ଏସ୍ଏଚ୍ଜି ସହ ଆଲୋଚନା ବେଳେ ଜଣାପଡ଼ିଛି ଯେ ବହୁ ଅଞ୍ଚଳରେ ନୂଆ ଘର ତିଆରି ହୋଇଥିବାରୁ ସେମାନଙ୍କଠାରୁ ହୋଲଡିଂ ଟିକସ ଆଦାୟ ହେଉନି। ଏପରିକି କେତେକ ଘରର ହୋଲଡିଂ ଟିକସ ଆକଳନ ହୋଇ ନଥିବାରୁ ସେମାନେ ବି ଟିକସ ଦେଉନାହାନ୍ତି। ଏହି ଘରଗୁଡ଼ିକର ଖୁବ୍ ଶୀଘ୍ର ଆକଳନ ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଆଜିର ଏହି ସମୀକ୍ଷା ବୈଠକରେ ବିଏମ୍ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।