ଭୁବନେଶ୍ୱର: ରାସ୍ତା କଡ଼ରେ ବର୍ଷ ବର୍ଷ ହେଲାଣି ପଡ଼ିଛି ଭଙ୍ଗା ଓ ପରିତ୍ୟକ୍ତ କ୍ୟାବିନ୍। କେଉଁଠି ଏହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି ତ କେଉଁଠି ପୋଷ୍ଟର ଲଗାଇବାର ବୋର୍ଡ ପାଲଟୁଛି। ହେଲେ ଏଗୁଡ଼ିକୁ ହଟାଯିବା ପାଇଁ ବିଏମ୍ସି ନିୟମ କରିଥିଲେ ମଧ୍ୟ ନିଜେ ଏସବୁକୁ ଭୁଲିଗଲାଣି। ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି।
ପରିବା ହାଟ, ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଥିବାରୁ ଏକ ନମ୍ୱର ହାଟ ଏକ ଜନବହୁଳ ଅଞ୍ଚଳ। ଅଞ୍ଚଳରେ ଏକାଧିକ କ୍ୟାବିନ୍ ପରିତ୍ୟକ୍ତ ହୋଇ ପଡ଼ିରହିଛି। କାହାର ମାଲିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କାହାର ବର୍ଷ ବର୍ଷ ହେଲାଣି ଦେଖାନାହିଁ। ଏହାସତ୍ତ୍ବେ କ୍ୟାବିନ୍ଗୁଡ଼ିକୁ ହଟା ଯାଉନାହିଁ। କ୍ୟାବିନ୍ ଚାରିକଡ଼େ ଅନାବନା ଗଛ ମାଡ଼ିଗଲାଣି। ବର୍ଷା ହେଲେ ସେଠାରେ ପାଣି ଜମା ହୋଇ ମଶାଙ୍କ ଉପଦ୍ରବ ବଢ଼ୁଛି। ପୁଣି କ୍ୟାବିନ୍ ପଛ ପଟ ନିଶାଡ଼ିଙ୍କ ଆଡ଼ା ସ୍ଥଳ ପାଲଟୁଛି। ସେହିପରି ମଧୂସୂଦନନଗର, ମଞ୍ଚେଶ୍ୱର ଅଞ୍ଚଳରେ ମଧ୍ୟ ଏକାଧିକ ସ୍ଥାନରେ ପରିତ୍ୟକ୍ତ କ୍ୟାବିନ୍ ପଡ଼ିରହିଛି।
ରାଜଧାନୀର ସୌନ୍ଦର୍ଯ୍ୟ ରକ୍ଷା ସହିତ ବଢ଼ୁଥିବା ମଶା ଉତ୍ପାତକୁ କମାଇବା ପାଇଁ ବିଏମ୍ସି ପକ୍ଷରୁ ୨୦୨୩ ଜୁନ୍ ମାସରେ ରାସ୍ତାକଡ଼ରେ ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଗାଡ଼ି, କ୍ୟାବିନ୍ ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ବହୁଦିନ ଧରି ରାସ୍ତାକଡ଼ରେ ପଡ଼ି ରହିଥିବା କ୍ୟାବିନ୍ ଓ ଗାଡ଼ିଗୁଡ଼ିକରେ ବୁଲିବୁଲି ବିଏମ୍ସି କର୍ମଚାରୀମାନେ ନୋଟିସ୍ ମାରିଥିଲେ। ୭ ଦିନ ମଧ୍ୟରେ ମାଲିକ ଏହାକୁ ନ ଉଠାଇଲେ ବିଏମ୍ସି ନିଜେ ସେଗୁଡିକ ଉଠାଇନେବ ବୋଲି ଚେତାବନୀ ଦିଆଯାଇଥିଲା। ମାତ୍ର ଏବେ ନିଜ ନିୟମକୁ ନିଜେ ଭୁଲିଯାଇଛି ବିଏମ୍ସି। ତେବେ ଏନେଇ ବିଏମ୍ସିର ଜଣେ ଅଧିକାରୀ ଖୁବ୍ଶୀଘ୍ର ପରିତ୍ୟକ୍ତ କ୍ୟାବିନ୍ଗୁଡ଼ିକୁ ହଟାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।