ଭୁବନେଶ୍ୱର: ବିଶ୍ୱରେ ଡିଜିଟାଲ, ଅନ୍‌ଲାଇନ୍‌ ଓ ସୋସିଆଲ୍‌ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ନିକଟରେ ସଙ୍ଗେ ସଙ୍ଗେ ଖବର ପହଞ୍ଚି ପାରୁଛି। ତଥାପି ଛାପା ଗଣମାଧ୍ୟମରେ ଗୁରୁତ୍ୱ କମିବନି। ପୂର୍ବରୁ ଯେମିତି ରହିଥିଲା ସେମିତି ରହିଛି ଓ ରହିବ ବୋଲି ପ୍ରମେୟର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ମାଲୟାଲମ୍‌ ସମ୍ବାଦପତ୍ର ‘ମାତୃଭୂମି’ର ଗ୍ରୁପ୍‌ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଏମ୍‌.ପି. ବୀରେନ୍ଦ୍ର କୁମାର କହିଛନ୍ତି।

Advertisment

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିିଥି ଭାବେ ଯୋଗଦେଇ ବଲିଉଡ୍‌ ଗୀତିକାର ସମୀର କହିଲେ, ଛାତ୍ରଛାତ୍ରୀ କୌଣସି ଲକ୍ଷ୍ୟ ଧାର୍ଯ୍ୟ କରିବା ଅନୁଚିତ। ସକରାତ୍ମକ ଚିନ୍ତାଧାରା ନେଇ କଠିନ ପରିଶ୍ରମ କରନ୍ତୁ। ତାହା ହେଲେ ସଫଳତା ତୁମମାନଙ୍କ ପଛରେ ଧାଇଁବ ବୋଲି ସେ କହିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ବିଜୟିନୀ ପାରମିତା ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ସମ୍ବାଦପତ୍ର ଓ ସାହିତ୍ୟିକ ସମାଜର ସମସ୍ୟା ଓ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଥାନ୍ତି। ଗଣମାଧ୍ୟମ ସାହିତ୍ୟିକଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଥାଏ। ଯେଉଁଥିପାଇଁ ସମାଜର ସାମ୍ପ୍ରତିକ ସ୍ଥିତିକୁ ନେଇ ସାହିତ୍ୟିକ ନିଜ କାହାଣୀ ଓ କବିତାରେ ସ୍ଥାନିତ କରିଥାଏ ବୋଲି ସେ କହିଥିଲେ।

ପ୍ରମେୟର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ୍‌ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ପୃଷ୍ଠାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।