ଡାକ୍ତରୀ ଛାତ୍ରୀଙ୍କୁ ହୋଇନି ଦୁଷ୍କର୍ମ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ୍‌ କଲେଜର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଏଭଳି ସଂଗିନ ଅଭିଯୋଗ ଆଣିଥିବା ଡାକ୍ତରୀ ଛାତ୍ରୀଙ୍କ ଡାକ୍ତରୀ ମାଇନା ରିପୋର୍ଟ ପଦାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। କୋର୍ଟରେ ଦାଖଲ ହୋଇଥିବା ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇନାହିଁ। ଫଳରେ ଗିରଫ ହୋଇ ଦେଢ଼ ମାସ ହେବ ଜେଲ୍‌ରେ ଥିବା ଆଟେଣ୍ଡାଣ୍ଟ୍‌ ମନୋଜ ଖଟୁଆଙ୍କୁ ମିଛରେ ଫସାଇ ଦିଆଯାଇଥିବା ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଜାମିନ୍‌ରେ ଆସିବା ପରେ ଅଭିଯୁକ୍ତ ମନୋଜ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ କରିବା ସହିତ ଛାତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ତାଙ୍କ ପରିବାରବର୍ଗ ସୂଚନା ଦେଇଛନ୍ତି। ଗତ ବର୍ଷ ଡିସେମ୍ବର ମାସ ୨୦ ତାରିଖ ରାତିରେ ହାଇଟେକ୍‌ ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ୍‌(କେୟାର ଟେକର) ମନୋଜ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। କଲେଜରେ ହେବାକୁ ଥିବା ଏକ ଫେସନ୍‌ ସୋ’ କାର୍ଯ୍ୟକ୍ରମ ପାଇଁ ରିହରସାଲ ସାରି ନିଜ ହଷ୍ଟେଲ ରୁମ୍‌କୁ ଫେରୁଥିବା ବେଳେ ରୁମ୍‌ରେ ଛାଡ଼ିବା ବାହାନାରେ ମନୋଜ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଛାତ୍ରୀ ଜଣକ ଗୁରୁତର ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ନେଇ ରାତି ଅଧରେ କଲେଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜର ଶତାଧିକ ଛାତ୍ରଛାତ୍ରୀ ମଞ୍ଚେଶ୍ୱର ଥାନାକୁ ଆସି ଅଭିଯୁକ୍ତକୁ ଗିରଫ କରିବା ଦାବି ହୋହଲ୍ଲା କରିଥିଲେ। ଫଳରେ ପୁଲିସ ବିଳମ୍ବିତ ରାତିରେ କଲେଜ ପରିସରରେ ନିଜ କ୍ୱାର୍ଟର୍ସରେ ଶୋଇଥିବା ମନୋଜକୁ ଉଠାଇ ଆଣିଥିଲା ଏବଂ ତା’ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ପରଦିନ କୋର୍ଟ ଚାଲାଣ କରିଥିଲେ। ସେତେବେଳେ ମନୋଜ କହିଥିଲେ ଯେ ଡାକ୍ତରୀ ଛାତ୍ରୀ ଜଣକ କଲେଜର ଏକ ଅନ୍ଧାରିଆ ସ୍ଥାନରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ଅସଂଜତ ଅବସ୍ଥାରେ ଥିଲା ବେଳେ ସେ ତାହା ଦେଖି ପକାଇଥିଲେ। ଆଉ ଏ ନେଇ ସେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଦେବେ ବୋଲି କହିବାରୁ ବଦନାମ୍‌ ହେବା ଭୟରେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଅନ୍ୟ କେତେକ ଛାତ୍ରଙ୍କ ସହ ମିଶି ତାଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରିଥିଲେ। ଏ ନେଇ ମନୋଜ ପୁଲିସ ଆଗରେ ଯେତେ କାକୁତିମିନତି ହେଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ। ପରଦିନ ସଂପୃକ୍ତ ଛାତ୍ରୀ ଓ ଅଭିଯୁକ୍ତ ମନୋଜଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଡାକ୍ତରୀମାଇନା କରାଯାଇଥିଲା।

କୋର୍ଟରେ ଦାଖଲ ହେଲା ଡାକ୍ତରୀ ମାଇନା ରିପୋର୍ଟ
ଆଟେଣ୍ଡାଣ୍ଟ୍‌ଙ୍କୁ ମିଛରେ ଫସାଇଥିଲେ ଛାତ୍ରୀ!
ମାନବାଧିକାର କମିସନକୁ ଯିବେ ଓ ମାନହାନି ମକଦ୍ଦମା କରିବେ ଅଭିଯୁକ୍ତ

ଏହି ବହୁଚର୍ଚିତ ଦୁଷ୍କର୍ମ ଘଟଣାରେ ଜିଲ୍ଲା ଦୌରାଜଜ୍‌ କୋର୍ଟ ବାରମ୍ବାର ତଦନ୍ତକାରୀ ପୁଲିସ ଅଫିସରଙ୍କୁ ସଂପୃକ୍ତ ଛାତ୍ରୀ ଓ ଅଭିଯୁକ୍ତ ମନୋଜଙ୍କ ଡାକ୍ତରୀମାଇନା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ବିଭିନ୍ନ ଆଳ ଦେଖାଇ ତଦନ୍ତକାରୀ ଅଫିସର କୋର୍ଟରେ ଡାକ୍ତରୀ ମାଇନା ରିପୋର୍ଟ ଦାଖଲରେ ବିଳମ୍ବ କରି ଆସୁଥିଲେ। ଶେଷରେ ଆଜି ତଦନ୍ତକାରୀ ଅଫିସର କୋର୍ଟରେ ଡାକ୍ତରୀମାଇନା ରିପୋର୍ଟ ଦାଖଲ କରିବା ପରେ ସତ ପଦାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି ଛାତ୍ରୀଙ୍କୁ ସେଦିନ ରାତିରେ କୌଣସି ପ୍ରକାର ଦୁଷ୍କର୍ମ ହୋଇନାହିଁ।
ଏ ସମ୍ପର୍କରେ ମନୋଜଙ୍କ ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରୁଥିବା ଅବିନାଶ ମହାନ୍ତି କହିଛନ୍ତି, ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ଅଭିଯୋଗରେ ସତ୍ୟତା ନ ଥିବା ସ୍ପଷ୍ଟ ହୋଇ ଯାଇଛି। ଛାତ୍ରୀଙ୍କ ଏଭଳି ଅଭିଯୋଗ ଫଳରେ ଏବେ ମନୋଜ ଦେଢ଼ମାସ ହେବ ଝାରପଡ଼ା ଜେଲ୍‌ର ଚାରି କାନ୍ଥ ଭିତରେ ରହି ଅକଥନୀୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଏହି କାରଣରୁ ମନୋଜ ଓ ତାଙ୍କ ପରିବାର ଲୋକ ମଧ୍ୟ ମାନସିକ ଅସ୍ଥିରତା ମଧ୍ୟରେ ଗତି କରୁଛନ୍ତି। ଏବେ ସେ ମନୋଜଙ୍କ ଜାମିନ୍‌ ପାଇଁ ସେ ହାଇକୋର୍ଟରେ ଆବେଦନ କରିବେ। ଜାମିନ୍‌ରେ ଆସିବା ପରେ ମନୋଜ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ କରିବା ସହିତ ଛାତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ।

ସମ୍ବନ୍ଧିତ ଖବର