୬ ଦିନ ପରେ ବି ମରାମତି ହୋଇପାରିଲାନି

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳ ଛକରେ ମାଟି ତଳେ ପାଣି ପାଇପ୍‌ ଫାଟି ଯାଇଛି। ପାଇପ୍‌ ଫାଟି ରାସ୍ତାରେ ପାଣି ଭାସୁଛି। ମାଟି ଧସି ଏଠାରେ ବିରାଟ ଖାଲ ହୋଇଥିବାରୁ ଏହାକୁ ବାଡ଼ କରାଯାଇ ଆବଦ୍ଧ କରାଯାଇଛି। ଏହା ଛକ ଉପରେ ରହିଥିବାରୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃ‌ଷ୍ଟି ହୋଇଛି। ଏଠାରେ ଟ୍ରାଫିକ୍‌ ସମସ୍ୟା ନିତିଦିନିଆ ଘଟଣା ହୋଇଥିବା ବେଳେ ଏହି ଅସ୍ଥାୟୀ ବାଡ଼ ସମସ୍ୟାକୁ ଦ୍ବିଗୁଣିତ କରିଛି। ତେବେ ୬ ଦିନ ପରେ ଜନସ୍ବାସ୍ଥ୍ୟ ବିଭାଗର ମନେ ପଡ଼ିଛି। ଏହାର ମରାମତି କାମ ଆରମ୍ଭ ହୋଇଥିଲେ ମଧ୍ୟ ଲଗାଣ ବର୍ଷା କାମରେ ବାଧକ ହୋଇଛି। ମୋଟର ଲଗାଇ ଖାତରୁ ପାଣି ଖାଲି କରିବା ପରେ ବର୍ଷା ପାଣିରେ ପୁଣି ଖାଲ ଭର୍ତ୍ତି ହୋଇଯାଇଛି। ଗତ ୭ ତାରିଖ ଦିନ ଏହି ଜାଗାରେ ମାଟିତଳୁ ପାଣି ଝରିବା ଆରମ୍ଭ କରିଥିଲା। କ୍ରମଶଃ ଏହାର ପରିମାଣ ବଢ଼ି ଚାଲିବା ସହ ମାଟି ଧସି ରାସ୍ତାରେ ପାଣି ଚାଲିଲା। ଖବର ପାଇ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଆସି ପାଖରେ ଥିବା ଏକ ଚାମ୍ବରର ଚାବି ବନ୍ଦ କରିଦେଇ ଚାଲି ଯାଇଥିଲେ। ଏଥିରେ କେବଳ ପାଣି ପ୍ରବାହ ବନ୍ଦ ହୋଇଯାଇଥିଲା। ହେଲେ ଖାଲ ହୋଇ ରହିଥିଲା। ଅତଡ଼ା ଖସି ଖସି ଖାଲର ଆକାର ବଢ଼ୁଥିଲା। ଏବେ ଏଠାରେ ବିରାଟ ଖାଲ ରହିଛି। ଯେ କୌଣସି ମୁହୂର୍ତ୍ତରେ ରାସ୍ତା ଧସି ଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର