ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ। ପାଟି ଓ ନାକ ଦ୍ବାରା କରୋନା ଭୂତାଣୁ ଦେହକୁ ପ୍ରବେଶ କରୁଥିବାରୁ ମାସ୍କ୍ ଦ୍ବାରା ଆବୃତ୍ତ ରଖିବାକୁ ପୁଲିସ୍ ପକ୍ଷରୁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ସକାଳେ ପୁଲିସ୍ ଏନଫୋର୍ସମେଣ୍ଟ ଟିମ୍ ବିଶେଷକରି ପରିବା ଓ ମାଛ ମାର୍କେଟ୍ ଭଳି ଜନଗହଳି ସ୍ଥାନକୁ ଟାର୍ଗେଟ୍ କରିଥିଲା। ୟୁନିଟ୍-୪ ଓ ୭, ଜୟଦେବବିହାର, ସାନାଟୋରିୟମ୍ ଛକ ପ୍ରମୁଖ ଅଞ୍ଚଳ ବୁଲି ପୁଲିସ୍ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ତାଗିଦ୍ କରିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଥିଲା। ପୁଲିସ୍ ପକ୍ଷରୁ ଦଶରୁ ଅଧିକ ଛକରେ ଚଢ଼ଉ କରାଯାଇଥିବା ବେଳେ ୨୧୩୨ ଅମାନିଆ ଜରିମାନା ଗଣିଥିଲେ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ଭାଙ୍ଗିବାକୁ ନେଇ ମୋଟ ୧ ଲକ୍ଷ ୭୮ହଜାର ୮ଶହ ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି। ଅପରପକ୍ଷେ ଆଜି ସନ୍ଧ୍ୟାରେ ଡମଣା, ପଟିଆ, ଚନ୍ଦ୍ରଶେଖରପୁର, କିଟ୍ ଭଳି ଜନଗହଳିପୂର୍ଣ୍ଣ ଛକରେ ଚେକିଂ କରାଯାଇଥିଲା। ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ସାଧାରଣରେ ଅଯଥା ଭିଡ଼ ନ ଜମାଇବାକୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା।

ସମ୍ବନ୍ଧିତ ଖବର