ରାସ୍ତାକଡ଼ରେ ଶୋଇବା ମନା, ବାସହୀନଙ୍କୁ ଆଶ୍ରୟସ୍ଥଳୀକୁ ନେବ ବିଏମ୍‌ସି

ବଢ଼ିଲା ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ଏଣିକି ରାଜଧାନୀର ରାସ୍ତାକଡ଼ରେ ଆଉ କେହି ଶୋଇପାରିବେ ନାହିଁ। ଶୀତ ପ୍ରକୋପରୁ ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯଦି କୌଣସି ବ୍ୟକ୍ତି ରାସ୍ତାପାର୍ଶ୍ବରେ ଶୋଇଥିବା ନଜରକୁ ଆସନ୍ତି ତେବେ ତାଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ତାହାକୁ ଦୃଷ୍ଟିରେ ରଖି ସୋସିଆଲ୍‌ ଇକ୍ୟୁଟି ସେଣ୍ଟରର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାସ୍ତାକଡ଼ରେ ରହୁଥିବା ବ୍ୟକ୍ତିଙ୍କୁ ଶୀତ ପ୍ରକୋପରୁ ରକ୍ଷା କରିବା ପାଇଁ ସହରାଞ୍ଚଳ ଆଶ୍ରୟସ୍ଥଳୀର ସମ୍ପ୍ରସାରଣ ତଥା ଭିତ୍ତିଭୂମି ଜନିତ ସୁବିଧା ସୁଯୋଗ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ସହରାଞ୍ଚଳ ଆଶ୍ରୟସ୍ଥଳୀର ଦାୟିତ୍ୱରେ ରହିଥିବା ଦୁଇଟି ସାମାଜିକ ଅନୁଷ୍ଠାନ ଓଡ଼ିଶା ପତିତା ଉଦ୍ଧାର ସମିତି ଏବଂ ବିକାଶ ସଂସ୍ଥାକୁ ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥଣ୍ଡା କାକରରେ ବାହାରେ ବା ରାସ୍ତା କଡ଼ରେ ଶୋଇ ପଡ଼ୁଥିବା ଭିକାରି, ବାସହୀନଙ୍କୁ ନିୟମିତ ଭାବେ ଅଣାଯିବ। ସମୟକୁ ସମୟ ବିଭିନ୍ନ ସ୍ଥାନ ବୁଲି ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ବୁଝାଇ ନିକଟସ୍ଥ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ନେଇ ରଖାଯିବ। ୟୁନିଟ୍‌-୩ରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀର କ୍ଷମତା ୫୦ ଶଯ୍ୟା ରହିଥିବାବେଳେ ଏହାକୁ ୧୦୦ ଶଯ୍ୟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଶୀତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌, ଅଶୋକ ନଗର, ୟୁନିଟ୍‌-୩, ଖାରବେଳ ନଗର ଆଦି ଅଞ୍ଚଳରେ ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ଆଣି ଏଠାରେ ରଖିବା ସୁବିଧାଜନକ ହେବ।

ଅନ୍ୟପକ୍ଷରେ ବୈଠକ ପରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ବାସହୀନଙ୍କୁ ରଖାଯିବାର କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ଏଠାରେ ପାଖାପାଖି ୭୦ ଜଣ ଅନ୍ତେବାସୀ ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ଆଶ୍ରୟସ୍ଥଳୀରେ ରହିଥିବା ଖାଲି ସ୍ଥାନର ଉପଯୋଗ କରି ବାସହୀନଙ୍କୁ ରଖାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ତେବେ ବାସହୀନଙ୍କୁ ଆଣି ସମସ୍ତ ଆଶ୍ରୟସ୍ଥଳୀରେ ରଖିବା ପରେ ଅଧିକ ଶଯ୍ୟାର ଆବଶ୍ୟକତା ହେଲେ ୫୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିକଟରେ କରାଯିବ ଏବଂ ସେମାନଙ୍କୁ ସେଠାରେ ରଖାଯିବାକୁ ସ୍ଥିର ହୋଇଛି। ରାସ୍ତାକଡ଼ରେ ଶୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଆଣି ଆଶ୍ରୟସ୍ଥଳୀଗୁଡ଼ିକରେ ରଖିବା ଓ ଏଥିରେ କମିସନରେଟ୍ ପୁଲିସର ସହଯୋଗ ନେବା ପାଇଁ କୁହାଯାଇଛି। ବିଏମ୍‌ସି ଅଞ୍ଚଳରେ ମୋଟ ୮ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ଯଥା- ଚନ୍ଦ୍ରଶେଖରପୁର, ଅଶୋକ ନଗର, ଘାଟିକିଆ, ଗଙ୍ଗନଗର, ଭୀମ୍‌ପୁର, ମାଳିସାହି ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରହିଛି। ସେଗୁଡ଼ିକରେ ଏବେ ୩୨୫ରୁ ଅଧିକ ଅନ୍ତେବାସୀ ରହିବାର ସୁବିଧା ରହିଛି ବୋଲି ବିଏମ୍‌ସି ଡେପୁଟି କମିସନର କମଳାକାନ୍ତ ବେହେରା କହିଛନ୍ତି। କୋଭିଡ୍‌ କଟକଣା ହେତୁ ଏସ୍‌ୟୁଏଚ୍‌ରେ ରହିଥିବା ସମସ୍ତ ଅନ୍ତେବାସୀଙ୍କ ଲାଗି ଦିନ ଏବଂ ରାତିରେ ମାଗଣା ଖାଇବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର