ଭୁବନେଶ୍ବର: ସେ‌ପ୍ଟେମ୍ବର ୩ ତାରିଖରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ୨୦ ତାରିଖ ସୁଦ୍ଧା ଭୁବନେଶ୍ବରର ସବୁ ରାସ୍ତାଘାଟ ମରାମତି ହେବ। ଏହା ଭିତରେ ତିନି ଦିନ ଗଲାଣି। ହାତରେ ଆଉ ମାତ୍ର ୧୫ ଦିନ। କାମ ଆରମ୍ଭ ହୋଇନି। ପୁଣି ବର୍ଷା ଲାଗି ରହିଛି। 

Advertisment

ମନ୍ତ୍ରୀଙ୍କ ଏହି କଥାରେ ଲୋକଙ୍କ ଭରସା ପାଉନି। ଏହା ପଛରେ ଯଥେଷ୍ଟ ଯୁକ୍ତି ବି ରହିଛି। ଗତ କିଛି ମାସ ହେଲାଣି ଭୁବନେଶ୍ବରର ରାସ୍ତାଘାଟ ଅତି କଦର୍ଯ୍ୟ ହୋଇଯାଇଛି। ମୁଖ୍ୟ ରାସ୍ତା ହେଉ କି ଗଳିକନ୍ଦି। ଏମିତି କେଉଁ ରାସ୍ତା ନାହିଁ, ଯେଉଁଠି ସ୍ବଚ୍ଛନ୍ଦରେ ଜଣେ ଚାଲିପାରିବ କି ଗାଡ଼ି ଚଳାଇପାରିବ। ସବୁଠି ଖାଲଖମା ଭର୍ତ୍ତି। ସାରା ସହରରେ ସବୁଦିନେ ଅଗଣିତ ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ପୂର୍ତ୍ତ ମନ୍ତ୍ରୀ ହୁଅନ୍ତୁ କି ସଚିବ। ପୁଣି ମାଳ ମାଳ ଯନ୍ତ୍ରୀ। ସମସ୍ତେ ଏଇ ଭୁବନେଶ୍ବରରେ ରହୁଛନ୍ତି। ସାରା ଭୁବନେଶ୍ବରର ଲୋକ କଲବଲ ହେଉଥିଲା ବେଳେ ସେମାନଙ୍କ ଆଖିକୁ ରାସ୍ତାର ଦୁରବସ୍ଥା ଦେଖାଯାଉନି। ରାସ୍ତାଗୁଡ଼ିକର ମରାମତି ନେଇ ଚିନ୍ତା କରିବାକୁ କାହାରି ସମୟ ନାହିଁ। ଲୋls ଅଭିଯୋଗ କଲେ ବି ସେମାନେ ଶୁଣୁ ନାହାନ୍ତି। ସହରବାସୀଙ୍କ କହିବା ଅନୁଯାୟୀ, ମାସ ମାସ ଧରି ଲୋକ କଲବଲ ହେଉଥିଲେ ବି ମନ୍ତ୍ରୀ କି ଯନ୍ତ୍ରୀଙ୍କ ଆଖିକୁ ଦେଖାଗଲାନି। ରାସ୍ତାକୁ ମରାମତି କରିବାକୁ ସର୍ବନିମ୍ନ ପଦକ୍ଷେପ ନେଲେ ନାହିଁ। ମାସ ମାସ ଧରି ଯେଉଁ କାମ ହୋଇପାରୁନି, ଏବେ ୧୫ ଦିନରେ କେମିତି ହେବ? ମନ୍ତ୍ରୀଙ୍କ ପାଖରେ ଏମିତି କି ଚମତ୍କାରିତା ଅଛି ଯେ ୧୫ ଦିନରେ ପୂରା ସହରର ଚିତ୍ର ବଦଳାଇ ଦେବେ? 

ରାଜଧାନୀ ରାସ୍ତାକୁ ନେଇ ଏବେ ପ୍ରବଳ ଜନ ଅସନ୍ତୋଷ। ଏମିତି କେଉଁ ରାସ୍ତା ନାହିଁ, ଯେଉଁଠି ଗୋଟିଏ କିଲୋମିଟର ଚକାଚକ୍‌ ଥିବ। ମୁଖ୍ୟ ରାସ୍ତାର ସ୍ଥିତି ଆହୁରି ସାଂଘାତିକ। କିଛି ରାସ୍ତାକୁ ମରାମତି ଆଳରେ ଖୋଳି ଦିଆଯାଇଛି। ଏ ନେଇ ପୂର୍ତ୍ତ ଓ ବିଏମ୍‌ସିରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଶୁଖିଲା ପ୍ରତିଶ୍ରୁତି ଦେଉଛନ୍ତି। ଆଉ ପୂର୍ତ୍ତ ମନ୍ତ୍ରୀ ମନଇଛା ବିବୃତି ଦେଉଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟା ସମାଧାନ ହେଉନି।  

ପୂର୍ତ୍ତ ବିଭାଗ ଓ ବିଏମ୍‌ସି ଯେ ଲୋକଙ୍କ ମୌଳିକ ଆବଶ୍ୟକତା ମେଣ୍ଟାଉ ନାହାନ୍ତି, ତାହାର ଆଭାସ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ବି ଜଣାପଡ଼ିଯାଇଥିଲା। ଲୋକମାନେ ରାସ୍ତାଘାଟ ମରାମତି କାମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏସବୁ ତଳ ସ୍ତରରେ ସମାଧାନ କରିବାକୁ ତାଗିଦ୍ କରିଥିଲେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ପୂର୍ବରୁ ପୂର୍ତ୍ତ ବିଭାଗର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମକୁ ଯନ୍ତ୍ରୀମାନେ ଚିଠାରେ ଦେଉଥିଲେ। ଏବେ ତାହାକୁ ବନ୍ଦ କରିଦିଆଯାଇଛି। ସବୁ କାମରେ ଟେଣ୍ଡର୍‌ ହେବ ବୋଲି ନିୟମ ହୋଇଛି। ଯଦି ଏହି ନିୟମକୁ ପାଳନ କରାଯାଏ, ତେବେ ୧୫ ଦିନ ଭିତରେ ଟେଣ୍ଡର ପ୍ରକ୍ରିୟା ସାରି କାମ କରାଯିବା ସମ୍ଭବ ନୁହେଁ। ତେବେ ରାସ୍ତାର ମରାମତି ହେବ କିପରି? ସାରା ସହରରେ ତ ସବୁ ରାସ୍ତା ଖରାପ ହୋଇଯାଇଛି। ସବୁ କାମର ଟେଣ୍ଡର୍ ହେବ କି? ଯଦି ଟେଣ୍ଡର୍‌ ହେବନି, ତେବେ ସେହି ନିୟମ କାହିଁକି କରାଯାଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

ଭୁବନେଶ୍ବରରେ ପ୍ରାୟ ୨ହଜାର କିଲୋମିଟର ରାସ୍ତା ମହାନଗର ନିଗମ ଅଧୀନରେ ରହିଛି। ୯୬୦ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଉଭୟ ନିଜ ନିଜ ରାସ୍ତାର ପରିଚାଳନା ଓ ମରାମତି କରୁଛନ୍ତି।