ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଥିବା ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତ ପୃଥକୀକରଣ ପାଇଁ ଲାଗିଛି ଅତ୍ୟାଧୁନିକ ଆଫ୍ରେସିସ୍ ମେସିନ୍। ଗତ ୩ବର୍ଷ ତଳୁ ଏହି ମେସିନ୍ କିଣା ହେଲାଣି। ମାତ୍ର ଏହା ଚାଲୁ ନାହିଁ। ପ୍ରାୟ ୩ବର୍ଷ ତଳେ ଓଡ଼ିଶା ରକ୍ତଭଣ୍ଡାରରେ ଅତ୍ୟାଧୁନିକ ରକ୍ତ ପୃଥକୀକରଣ ମେସିନ୍ ଲାଗିଥିଲା। ଗୋଟିଏ ଲାଗିଥିଲା କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ଓ ଅନ୍ୟଟି ବୁର୍ଲାରେ। ଦୁଇ ମେସିନ୍ର ଦାମ ୫୦ଲକ୍ଷ ଟଙ୍କାରୁ ଅଧିକ। ଏହି ମେସିନ୍ ସହାୟତାରେ ଗୋଟିଏ ରକ୍ତକୁ ୪ଟି ଭାଗରେ ପୃଥକ୍ କରାଯାଇପାରିବ। ଆରଡିପି, ଏସ୍ଡିପି, ପ୍ଲାଜ୍ମା ଓ ରେଡ ପ୍ୟାଚ୍ ସେଲରେ ପରିଣତ କରିପାରିବ ଏହି ମେସିନ୍। ଫଳରେ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ରକ୍ତ ଦିଆଯାଇ ପାରିବ। ଏହି ମେସିନ୍କୁ ଚଳାଇବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାର କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ମଧ୍ୟ ଦିଆଯାଇଥିଲା। କର୍ମଚାରୀଜଣକ ସରକାରୀ ଖର୍ଚରେ ମୁମ୍ବାଇରେ ତାଲିମ ନେଇଥିଲେ। ଏହା ସତ୍ତ୍ୱେ ମେସିନ୍ ଚାଲୁ ନାହିଁ। ରକ୍ତଭଣ୍ଡାରରେ ଆର୍ଡିପି ଓ ପ୍ଲାଜ୍ମା ପ୍ରସ୍ତୁତ ହେଉଥିଲେ ହେଁ ତାହା ଯଥେଷ୍ଟ ହେଉନାହିଁ। ରାଜଧାନୀରେ ଏବେ ଡେଙ୍ଗୁ ମାଡ଼ି ଚାଲିଥିବା ବେଳେ ଅଧିକ ସଂଖ୍ୟାରେ ସିଙ୍ଗିଲ୍ ଡୋନର୍ ପ୍ଲାଟିଲେଟ୍ ବା ଏସ୍ଡିପି ଓ ର୍ୟାଣ୍ଡମ ଡୋନର୍ ପ୍ଲାଟିଲେଟ୍ ବା ଆର୍ଡିପିର ଆବଶ୍ୟକତା ପଡ଼ୁଛି। କର୍କଟ ରୋଗୀଙ୍କ କ୍ଷେତ୍ରରେ ଏସ୍ଡିପିର ଆବଶ୍ୟକତା ରହିଛି। ହେମୋଫିଲିଆ ଓ ସିକିଲସେଲ ରୋଗୀମାନେ ମଧ୍ୟ ରକ୍ତଭଣ୍ଡାର ଉପରେ ନିର୍ଭରଶୀଳ। ନିକଟରେ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରକ୍ତଭଣ୍ଡାର କର୍ତୃପକ୍ଷଙ୍କୁ ଅଧିକ ସଂଖ୍ୟାରେ ପ୍ଲାଜ୍ମା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ ଅତ୍ୟାଧୁନିକ ରକ୍ତ ପୃଥକୀକରଣ ମେସିନ୍ ନ ଚାଲିବାକୁ ନେଇ ଅସନ୍ତୋଷ ବଢ଼ୁଛି।
କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ଡାକ୍ତର ଓ ତାଲିମପ୍ରାପ୍ତ ଟେକ୍ନିସିଆନ୍ଙ୍କ ସମେତ ୫ଜଣ ଠିକାରେ ନିଯୁକ୍ତ ହୋଇଥିବା ଟେକ୍ନିସିଆନ୍ ରହିଛନ୍ତି। ଆବଶ୍ୟକ ସମୟରେ ପୃଥକୀକରଣ ରକ୍ତ ମିଳୁ ନ ଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଘରୋଇ ଡାକ୍ତରଖାନା ଏସ୍ଡିପି ପାଇଁ ୧୦ହଜାରରୁ ଅଧିକ ଟଙ୍କା ନେଉଛନ୍ତି। ଫଳରେ ସାଧାରଣ ରୋଗୀଟିଏ ଅଯଥାରେ ଖର୍ଚାନ୍ତ ହେଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ଯେଉଁ ମେସିନ୍ ଲଗାଇଛନ୍ତି, ତାହାର ସୁଫଳ ଲୋକମାନେ ପାଇ ପାରୁ ନାହାନ୍ତି। କେବଳ ରକ୍ତ ପୃଥକୀକରଣ ନୁହେଁ, ରକ୍ତଭଣ୍ଡାର ପରିସରରେ ଏକାଧିକ ଜେନେରେଟର୍ ମଧ୍ୟ ଅଚଳ ହୋଇ ପଡ଼ି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଜେନେରେଟର୍କୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଅଚଳ। ସେଥିରେ ଗଛ ଉଠିଗଲାଣି। ଲକ୍ଷାଧିକ ଟଙ୍କା ଖର୍ଚ କରି ଏତେସଂଖ୍ୟକ ଜେନେରେଟର୍ କାହା ସ୍ୱାର୍ଥରେ କିଣାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତ ଆଣିବା ପାଇଁ ରୋଗୀଙ୍କୁ ଟଙ୍କା ପଇଠ କରିବାକୁ ପଡ଼ୁଛି। ରକ୍ତ ବଦଳରେ ରକ୍ତ ପାଇବା ପାଇଁ ଜଣେ ରୋଗୀଙ୍କୁ ଏଚ୍ବିଏସ୍ଏଜି ପରୀକ୍ଷା ପାଇଁ ୫୦ଟଙ୍କା, ଏଚ୍ସିଭି ପାଇଁ ୬୦ଟଙ୍କା, ଏଚ୍ଆଇଭି ସ୍କ୍ରିନିଂ ପାଇଁ ୬୦ଟଙ୍କା ଓ ସେବା କର ବାବଦରେ ୧୨୦ଟଙ୍କାକୁ ମିଶାଇଲେ ସମୁଦାୟ ୨୯୦ଟଙ୍କା ଦେବାକୁ ପଡ଼ୁଛି। ସେହିପରି ଯେଉଁ ରୋଗୀର ଯେଉଁ ଗ୍ରୁପ୍ର ରକ୍ତ ଆବଶ୍ୟକ ସେହି ଗ୍ରୁପ୍ର ରକ୍ତ ପ୍ରଦାନ ପାଇଁ ଅଲଗା ଭାବେ ଗ୍ରୁପିଂ ଓ ଆରଏଚ୍ ଟାଇପିଂ ପାଇଁ ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦିଓ ରକ୍ତଭଣ୍ଡାରରେ ରକ୍ତ ମାଗଣାରେ ଦିଆଯାଉଛି ହେଲେ ଏ ବାବଦରେ ହେଉଥିବା ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ୩୩୦ଟଙ୍କା ଖର୍ଚ କରିବାକୁ ପଡ଼ୁଥିବା ଜଣାପଡ଼ିଛି। ତେଣୁ ସରକାରଙ୍କ ମାଗଣା ‘ନିଦାନ’ ଯୋଜନାର ସୁଫଳ ରୋଗୀ ପାଇ ପାରୁ ନାହାନ୍ତି।
କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରକ୍ତଭଣ୍ଡାରରେ ଯେଉଁ ତାଲିମପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଥିଲେ, ସେ ଏବେ ହସ୍ପିଟାଲର ପାଥୋଲୋଜିରେ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ମେସିନ୍ ଚଳାଇବାକୁ କେହି ତାଲିମପ୍ରାପ୍ତ ଟେକ୍ନିସିଆନ୍ ନାହାନ୍ତି। ଏହାସହ ରକ୍ତ ପୃଥକୀକରଣ ପାଇଁ ଆବଶ୍ୟକ ପ୍ୟାକ୍ର ଦାମ ଯଥେଷ୍ଟ ଅଧିକ। ତେଣୁ ଏହା ମାଗଣାରେ ରୋଗୀମାନଙ୍କୁ ଉପଲବ୍ଧ ହେବ ନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/apheresis-mechine.jpg)