ପୁରୁଣା ଭୁବନେଶ୍ୱର: ଆଉ ମାତ୍ର ୩ଦିନ ପରେ, ୨୨ ତାରିଖରେ ଶ୍ରାବଣ ପ୍ରଥମ ସୋମବାର। ଏହାର ପୂର୍ବଦିନରୁ, ଅର୍ଥାତ୍ ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବ। କାଉଡ଼ିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିବା ପରେ ଜଳଲାଗି ପାଇଁ ରାତି ପାହିବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ପ୍ରତି ପାଳିରେ ପ୍ରାୟ ୨୫ହଜାର ପର୍ଯ୍ୟନ୍ତ କାଉଡ଼ିଆ ଆସିବେ। କିନ୍ତୁ ସେମାନେ ରାତିରେ ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧୫ତାରିଖରେ ଅନୁଷ୍ଠିତ ବୈଠକରେ କାଉଡ଼ିଆମାନଙ୍କ ପାଇଁ ତମ୍ବୁ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ହୋଇନାହିଁ। ପୂର୍ବ ବର୍ଷମାନଙ୍କରେ ପୁରୁଣା ଲିଙ୍ଗରାଜ ମାର୍କେଟ୍, ଭଜନ ମଣ୍ଡପ, ବିଭିନ୍ନ ମଠ, ପର୍ଯ୍ୟଟକ ସେଡ୍ ରହିଥିଲା। ତେବେ ଏକାମ୍ର ବିକାଶ ଯୋଜନାରେ ପୁରୁଣା ଲିଙ୍ଗରାଜ ମାର୍କେଟ୍, ଭଜନ ମଣ୍ଡପ, ବିଭିନ୍ନ ମଠକୁ ଭାଙ୍ଗି ଦିଆଗଲା। ସେହିପରି ତିଆରି ହୋଇଥିବା ସେଡ଼୍ ମଧ୍ୟ ୩ମାସ ହେଲା ଭାଙ୍ଗି ଦିଆଯାଇଛି।
ଅନ୍ୟପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ କେଉଁପଟେ ବ୍ୟାରିକେଡ୍ ବନ୍ଧାଯିବ ତାକୁ ନେଇ ଚିନ୍ତାରେ ପଡ଼ିଛି ମନ୍ଦିର ପ୍ରଶାସନ। ମନ୍ଦିର ଡାହାଣ ପାର୍ଶ୍ବ ସମ୍ମୁଖ ରାସ୍ତା ଖୋଳା ଯାଇଥିବାରୁ ବ୍ୟାରିକେଡ଼୍ କେଉଁ ପଟେ କରାଯିବ ତାକୁ ନେଇ ପ୍ରଶାସନ ସମୀକ୍ଷା କରୁଛି। ଶ୍ରାବଣ ସୋମବାର କାଉଡ଼ିଆଙ୍କ ଭିଡ଼ ସହ ସାଧାରଣ ଭକ୍ତ ଓ ପର୍ଯ୍ୟଟକ ମଧ୍ୟ ମନ୍ଦିରକୁ ଆସିବେ। ମନ୍ଦିର ସମ୍ମୁଖରେ ଖୋଳା ଯାଇ କାମ ଚାଲିଥିବାରୁ ଏହା ସମସ୍ୟା କରିବ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ ଏଏସ୍ଆଇ, ଆର୍ ଏଣ୍ଡ୍ ବି ବିଭାଗ, ବିଏମ୍ସି, କମିସନରେଟ୍ ପୁଲିସ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ମନ୍ଦିର ସମ୍ମୁଖରେ ଓ ଆଖପାଖ ସ୍ଥାନ ସମୀକ୍ଷା ପରେ ସ୍ଥାନ ନିରୂପଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ଲାଷ୍ଟିକ୍ ଓ ପଲିଥିନ୍ ବାରଣ ଦାବି
ଅନେକ କାଉଡ଼ିଆ ପ୍ଲାଷ୍ଟିକ୍ କଳସରେ ଜଳ, ପଲିଥିନ୍ ବ୍ୟାଗରେ ଭୋଗ, ଶିକା କାଟିବା ପାଇଁ ଧାରୁଆ ବ୍ଲେଡ୍ ଅଥବା ଛୁରି, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଯଥା: ଗଞ୍ଜେଇ, ଚିଲମ, ଗୁଟକା, ପାନ, ସିଗାରେଟ୍, ବିଡ଼ି ଇତ୍ୟାଦିକୁ ଅଣ୍ଟାରେ ଖୋସି ମନ୍ଦିର ଭିତରକୁ ଅତି ସହଜରେ ପ୍ରବେଶ କରିଥାନ୍ତି। ମନ୍ଦିର ସଫେଇ ସମୟରେ ଏହି ଆପତ୍ତିଜନକ ଜିନିଷ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ନିଷିଦ୍ଧ ଦ୍ରବ୍ୟଗୁଡ଼ିକ ମନ୍ଦିର ଭିତରେ ଏଣେତେଣେ ପଡ଼ିଥିବାର ନଜରକୁ ଆସିଥାଏ। ପ୍ରତିବର୍ଷ ମନ୍ଦିର ପ୍ରଶାସନ ଏନେଇ ବାରଣ କରିଥାନ୍ତି। ହେଲେ ପୁଲିସ କର୍ମଚାରୀ ମନ୍ଦିର ମୁଖ୍ୟଦ୍ୱାରରେ ନିୟୋଜିତ ଥାଇ ସୁଦ୍ଧା ଏସବୁ ଆପତ୍ତିଜନକ ଜିନିଷ ଭିତରକୁ ଯାଉଛି। ଏସବୁକୁ ବାରଣ କଡ଼ାକଡ଼ି କରିବା ସହ ମନ୍ଦିର ସିଂହଦ୍ବାର ନିକଟରେ ମେଟାଲ ଡିଟେକ୍ଟର ରଖିବାକୁ ପରିବେଶବିତ୍ ସୁଶାନ୍ତ ସାହୁ ଦାବି କରିଛନ୍ତି।
୫ବର୍ଷ ହେଲା ଖତଖାଉଛି କମ୍ପୋଷ୍ଟମେସିନ୍
ଶ୍ରୀଲିଙ୍ଗରାଜ ମନ୍ଦିରରେ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍ ପ୍ରାୟ ୫ବର୍ଷ ହେଲା ଆସି ରହିଛି। ହେଲେ ଏହା କାର୍ଯ୍ୟକ୍ଷମ ହେଉନାହିଁ। ମନ୍ଦିର ଭିତରୁ ବାହାରୁଥିବା ପାଦୁକା, ଅବଢ଼ାକୁ ଖତ କରିବା ପାଇଁ ଆସିଥିବା ଏହି ମେସିନ୍ ଏବେ ଖତ ଖାଉଛି। ଏକାମ୍ର କ୍ଷେତ୍ରରେ ସୌନ୍ଦର୍ଯ୍ୟୀକରଣ କରାଯିବା ସହ ବହୁବାର ଟ୍ରଷ୍ଟ ବୋର୍ଡ ବୈଠକ ହେଉଛି। ହେଲେ ମେସିନ୍ କାର୍ଯ୍ୟକ୍ଷମ ହୋଇପାରୁନି। ପାଦୁକ ବାହାରେ ଫିଙ୍ଗା ଯାଉଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ବର୍ଜ୍ୟବସ୍ତୁ ସହ ପାଦୁକା ପତ୍ର ଏକାଠି ହୋଇ ବିଏମ୍ସି ଅଳିଆ ଗଦାରେ ପଡ଼ୁଛି। ଏହାକୁ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ କ୍ଷୁବ୍ଧ ହୋଇଛନ୍ତି। ଏନେଇ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ ବୋଲି ସେବାୟତମାନେ କହିଛନ୍ତି।
ପ୍ରକାଶ ଯେ, ପ୍ରାୟ ୧୭ଲକ୍ଷ ଟଙ୍କା ବ୍ୟୟରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍ ୨୦୧୯ମସିହା ଜାନୁଆରି ୨୩ରେ ଅଣାଯାଇଥିଲା। ମନ୍ଦିରରୁ ବାହାରୁଥିବା ବଳକା ଅବଢ଼ା, ପାଦୁକ, ବେଲପତ୍ର, କଦଳୀପତ୍ର ଏଣେତେଣେ ନପକାଯାଇ ଏହି ମେସିନ୍ରେ ପଡ଼ିବ ବୋଲି କୁହାଯାଇଥିଲା। ଏହି ମେସିନ୍ ୨୪ଘଣ୍ଟା ମଧ୍ୟରେ ଏସବୁକୁ ସାରରେ ପରିଣତ କରିବ। ୧୨ଫୁଟ୍ ଚଉଡ଼ା ଓ ୧୦ଫୁଟ୍ ଲମ୍ବା ବିଶିଷ୍ଟ ଏହି ମେସିନ୍ ଆନନ୍ଦ ବଜାର ନିକଟରେ କିମ୍ବା ମନ୍ଦିର କଡ଼ରେ ବସିବା ଯୋଜନା ରହିଥିଲା। ପରେ ପୁରୁଣା ହାଟ ନିକଟରେ ରଖାଯାଇଥିଲା। ଏହାପରେ ମନ୍ଦିର ପରିସରରେ ରଖାଯାଇଥିଲା। ହେଲେ ଏହା କାର୍ଯ୍ୟକ୍ଷମ ନହୋଇ ଲିଙ୍ଗରାଜ ହାଟରେ ଏବେବି ପଡ଼ିରହିଛି। ତେବେ ଠାକୁରଙ୍କୁ ସମର୍ପଣ ପାଦୁକ ଡଷ୍ଟବିନ୍ରେ ଫୋପଡ଼ା ହେବା ଓ ବିଏମ୍ସି ହସ୍ପିଟାଲ ବର୍ଜ୍ୟବସ୍ତୁ ସହ ମିଶି ଗାଡ଼ିରେ ଲଦା ହୋଇଯିବାରୁ ଭକ୍ତମାନଙ୍କ ଭାବବେଗକୁ କୁଠାରାଘାତ କରୁଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇନଥିଲେ।