ଭୁବନେଶ୍ବ: କୁକୁର ଗଣତିକୁ ନେଇ ସମାଲୋଚନାର ଶରବ୍ୟ ପରେ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସଂଖ୍ୟା ସ୍ପଷ୍ଟ କରାଯାଇଛି। କିନ୍ତୁ ଏଥିପାଇଁ ମେୟର ଓ କମିସନର୍ ଅଲଗା ଅଲଗା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଉଭୟ ମେୟର ଓ କମିସନର୍ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପାରିଥାନ୍ତେ, କିନ୍ତୁ ସେଭଳି ନ କରି ଭିନ୍ନ ଭିନ୍ନ ସାମ୍ବାଦିକ ସମ୍ମିଳନୀ ଆୟୋଜନ କୌଣସି ଫାଟକୁ ସୂଚାଉନି ତ’? ଏଭଳି ଚର୍ଚ୍ଚା ଏବେ ରାଜଧାନୀରେ ଜୋର ଧରିଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ମେୟର ସୁଲୋଚନା ଦାସ ସାମ୍ବାଦିକ ସମ୍ମିଳନୀ କରି କୁକୁର ଗଣତିର ବିସ୍ତୃତ ସୂଚନା ଦେଇଥିଲେ। ସଂଖ୍ୟାଠାରୁ ଆରମ୍ଭ କରି କ’ଣ କ’ଣ ପଦକ୍ଷେପ ନିଆଯାଇଛି, ଟିକିନିଖି ତଥ୍ୟ ରଖିଥିଲେ। ଏହି ଖବର ଆଜି ବୈଦ୍ୟୁତିକ ଗଣମାଧ୍ୟମରେ ଦିନତମାମ୍ ବାଜିଥିଲା। କିନ୍ତୁ ହଠାତ୍ ଅପରାହ୍ଣ ସାଢ଼େ ୪ଟାରେ ପୁନର୍ବାର କମିସନର୍ ଚଞ୍ଚଳ ରାଣା କୁକୁର ଗଣତି ଉପରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଅପରାହ୍ଣ ସାଢ଼େ ୩ଟାରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। କମିସନର୍ ସାମ୍ବାଦିକ ସମ୍ମିଳନୀରେ କୁକୁର ଗଣତି ସଂପର୍କରେ ମେୟର ଯେଉଁ ତଥ୍ୟ ରଖିଥିଲେ, ସେହି ତଥ୍ୟ ପୁନର୍ବାର ରଖିଥିଲେ। କିନ୍ତୁ ଭିନ୍ନତା ଏତିକି ଥିଲା, ସେ କୁକୁର ବନ୍ଧ୍ୟାକରଣ, ଟିକାକରଣ କିଭଳି ବଢ଼ିପାରିବ, ସେ ଉପରେ ଗୁରୁତ୍ବାରୋପ କରିଥିଲେ। ଏଣୁ ବୁଦ୍ଧିଜୀବୀ ଓ ଜନସାଧାରଣ ମହଲରେ ଚର୍ଚ୍ଚା ହେଉଛି କି କମିସନର୍ ଯେଉଁ ତଥ୍ୟ ଅପରାହ୍ଣରେ ଦେଲେ, ସେ ତଥ୍ୟ ସକାଳେ ମେୟରଙ୍କ ସାମ୍ବାଦିକ ସମ୍ମିଳନୀରେ  ଦେଇପାରିଥାନ୍ତେ। କିନ୍ତୁ ମେୟରଙ୍କ ସାମ୍ବାଦିକ ସମ୍ମିଳନୀରେ ନରହି ଅପରାହ୍ଣରେ ଅଲଗା ଭାବେ ସାମ୍ବାଦିକ ସମ୍ମିଳନୀ ଡାକିବା ପଛର ରହସ୍ୟ କ’ଣ?

Advertisment