ରୋମାଞ୍ଚ ଭରିଲା ‘ରାମାୟଣ’

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ଆଧୁନିକତାର ମାୟାରେ ବାୟା ମଣିଷ ବି ବେଳେବେଳେ ଫେରିବାକୁ ଇଚ୍ଛା କରେ। ପଛ କଥା ଭାରି ଭଲ ଲାଗେ। ଯେମିତି ଦୂରଦର୍ଶନର ରାମାୟଣ। ଯେବେ ରାମାନନ୍ଦ ସାଗରଙ୍କ ଦ୍ବାରା ପ୍ରସ୍ତୁତ ‘ରାମାୟଣ’ ଧାରାବାହିକ ଦୂରଦର୍ଶନରେ ପୁନଃ ପ୍ରସାରଣ ହେବା ନେଇ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଘୋଷଣା କଲେ, ସେତେବେଳେ ସେଇ ଧାରାବାହିକର ଅନୁଭବ ନେଇଥିବା ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଖେଳି ଯାଇଥିଲା। ଆଉ ଆଜି ବି ସେଦିନର ସେଇ ଅବୋଧ ମଣିଷ ଭଳି ଅଧିକାଂଶ ଘରେ ରିମୋଟ୍‌ ସ୍ବିଚ୍‌ ପୁଣି ଦୂରଦର୍ଶନରେ ଅଟକି ଯାଇଥିଲା ଠିକ୍‌ ସକାଳ ୯ଟା ବେଳେ। ଅବଶ୍ୟ ଆଜିକା ଯୁବପିଢ଼ିମାନେ ଏହାକୁ ନେଇ ଏତେଟା ରୋମାଞ୍ଚିତ ନଥିଲେ। ମାତ୍ର ବୃଦ୍ଧବୃଦ୍ଧା, ବୟସ୍କ ଓ ମହିଳାମାନେ ଆଜି ଘରେ ସକାଳ ସମୟକୁ ରାମାୟଣ ସହ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା।

ଶୁଣିବାକୁ ମିଳେ, ସେତେବେଳେ ରାମାୟଣ କରିବା ପାଇଁ ରାମାନନ୍ଦ ସାଗର ବହୁ ନିଷ୍ଠାର ସହ ତାଙ୍କ କଳାକାର ୟୁନିଟ୍‌କୁ ପରିଚାଳନା କରୁଥିଲେ। ସାତ୍ତ୍ବିକ ଭୋଜନ ସହ ବାରମ୍ବାର ପରୀକ୍ଷାନିରୀକ୍ଷା କରାଉଥିଲେ। ବୋଧେ ସେଇଥିପାଇଁ ଆଜି ବି ସେଇସବୁ ଧାରାବାହିକଙ୍କୁ ଅନେକ ଝୁରି ହେଉଥିଲେ। ତେଣୁ ୯୦ ଦଶକର ହୋଇଥିଲେ ମଧ୍ୟ ଆଜି ବି ସେମିତି ଅନେକଙ୍କ ଭିତରେ ଅପୂର୍ବ ରୋମାଞ୍ଚ ଭରିଥିଲା ରାମାୟଣ। କିଛି କୁନିକୁନି ପିଲାମାନେ ବି ଏହାକୁ ଖୁବ୍ ଉପଭୋଗ କରିଥିଲେ। ଯୁବପିଢ଼ି ଯେ ବିଲ୍‌କୁଲ ମୁହଁ ଫେରାଇ ନେଇଥିଲେ, ସେ କଥା ନୁହେଁ, ଅନେକ ଯୁବପିଢ଼ିର ଦର୍ଶକ ମଧ୍ୟ ସେତେବେଳର ସେଇ ବଳିଷ୍ଠ ଅଭିନୟ, ସଂଗୀତକୁ ଉପଭୋଗ କରିଥିଲେ। କରୋନା ଲକ୍‌ଡାଉନ୍‌ରେ ଘରେ ବନ୍ଦୀ ଥିବା ଲୋକଙ୍କୁ ମନୋରଂଜନର ଏହା ବେଶ୍‌ ଖୋରାକ୍‌ ଯୋଗାଇଥିଲା। ଅନେକ ଏହାର ପୁନଃ ପ୍ରସାରଣ ମଧ୍ୟ ରାତି ୯ଟାରେ ଦେଖିଥିଲେ।

ଏଥିସହ ଡିଡି ଭାରତୀରେ ଆଜିଠୁ ମଧ୍ୟାହ୍ନ ୧୨ଟାରେ ପ୍ରସାରିତ ‘ମହାଭାରତ’କୁ ମଧ୍ୟ ‌ଅନେକ ଉପଭୋଗ କରିଥିଲେ। ବି.ଆର୍‌ ଚୋପ୍ରାଙ୍କ ନିର୍ମିତ ମହାଭାରତ ମଧ୍ୟ ଅନେକଙ୍କ ସମୟ ଚୋରି କରିନେଉଥିଲା। ଦୂରଦର୍ଶନରେ ରାମାୟଣ ପୁନଃ ରାତି ୯ଟାରେ ପ୍ରସାରିତ ହୋଇଥିବା ବେଳେ ଡିଡି ଭାରତୀରେ ମହାଭାରତର ପୁନଃ ପ୍ରସାରଣ ସନ୍ଧ୍ୟା ୭ଟାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର