ବ୍ରିଟିସ୍‌ ଅମଳର ଦୋପଟି ମେଳଣ : ଏକାଦଶୀରେ ଏକା‌ଠି, ଦ୍ବାଦଶୀରେ ମେଲାଣି

ବାଲିପାଟଣା: ପ୍ରାୟ ଦେଢ଼ ଶହ ବର୍ଷର ପୁରୁଣା ବାଲିପାଟଣା ଦୋପଟି ମେଳଣ ମଙ୍ଗଳବାର ଫାଲ୍‌ଗୁନ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ଶେଷ ହୋଇଛି। ସୋମବାର ଏକାଦଶୀ ତିଥିରେ ସ୍ଥାନୀୟ ଅଞ୍ଚଳର ଠାକୁରମାନେ ଦୋଳବିମାନରେ ଆସି ଏକାଠି ହେବା ପରେ ଆଜି ସନ୍ଧ୍ୟାରେ ହରିହର ଭେଟ ସମ୍ପନ୍ନ କରି ମେଲାଣି ନେଇଛନ୍ତି। କରୋନା କଟକଣା ବହୁ ମାତ୍ରାରେ କୋହଳ ହୋଇଥିବାରୁ ଚଳିତ ବର୍ଷ ଏହି ମେଳଣରେ ବହୁ ଜନ ସମାଗମ ହୋଇଥିଲା। ଆଜି ସନ୍ଧ୍ୟାରେ ହରିହର ଭେଟ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ।

ବିଧି ଅନୁସାରେ ଗାରେଡ଼ିପାଞ୍ଚଣ ଗାଁର ଆରାଧ୍ୟ ଦେବତା ଶ୍ରୀବୁଦ୍ଧନାଥ ମହାଦେବ ହେଉଛନ୍ତି ଏହି ମେଳଣର ଥାନପତି। ବାଲିପାଟଣା ‌ମେଳଣ ପଡ଼ିଆରେ ଏହି ମେଳଣ ସମାହିତ ହୋଇଥାଏ। ପରମ୍ପରା ତଥା ପ୍ରଥାନୁସାରେ ଥାନପତି ଶ୍ରୀବୁଦ୍ଧନାଥ ମହାଦେବଙ୍କ ତରଫରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦ ଗାଁର ଆରାଧ୍ୟ ଠାକୁରଙ୍କ ପାଖକୁ ନିମନ୍ତ୍ରଣ ଯାଏ। ସରାଟରୁ ନୀଳକଣ୍ଠେଶ୍ଵର, ସଠିଲୋରୁ ଚମ୍ପେଶ୍ୱର ମହାଦେବଙ୍କ ସହିତ ତରଡ଼ପଡ଼ା, ଗିରିଙ୍ଗୋ, ବ୍ରାହ୍ମଣଷଡ଼ଙ୍ଗୀ, ବେଣ୍ଟପୁର, ସରାଟ, ଆଣ୍ଠୁଆରୀ, କୁଳନ୍ତିରା ଶାସନ ଓ ବାଜିଲୋରୁ ଗୋପୀନାଥଦେବ, ଫକୀରପଡ଼ା, ବାଲିପାଟଣାରୁ ରାଧାମୋହନ, କାକରୁଦ୍ରପୁରରୁ ପତିତପାବନ, ଶିଶୁମଠସାହିରୁ ମଦନମୋହନ, ସାହେବନଗରରୁ ହରିଦାସ ଦେବ, କୁଳନ୍ତିରା ବାଜିଲୋରୁ ବାଲୁଙ୍କେଶ୍ୱର ମହାଦେବ, ଗଣ୍ଡିଲୋରୁ ଜଟେଶ୍ୱର ମହାଦେବ ସୁସଜ୍ଜିତ ଦୋଳବିମାନରେ ଏଠାକୁ ଆସନ୍ତି।

ସବୁଠାକୁରଙ୍କ ଚଳନ୍ତି ପ୍ରତିମା ମେଳଣ ପଡ଼ିଆରେ ଏକାଠି ହୁଅନ୍ତି। ଏକାଦଶୀ ତିଥିରେ ସବୁ ଠାକୁର ଏକାଠି ହେବା ପରେ ଦ୍ବାଦଶୀ ତିଥିରେ ହରିହର ଭେଟ ପର୍ବ ସମ୍ପନ୍ନ କରାଯାଏ। ମେଳଣ ଜମାଣ ବେଳେ ଆତସବାଜି କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା। ଏଥିସହିତ ଘୋଡ଼ା ନାଚ, ସଖୀ କଣ୍ଡେଇ ନାଚ, ରାଜାରାଣୀ ନାଚ, ଷଣ୍ଢ ଲଢେ଼ଇ, ନାଗା ନୃତ୍ୟ, ଶଙ୍ଖ ବାଦ୍ୟ, ତେଲିଙ୍ଗି ବାଦ୍ୟ, କାହାଳି, ଘଣ୍ଟ ବାଦ୍ୟ ସହିତ ଆଧୁନିକ ଡିଜେ ଓ ପାଇକ ଖେଳରେ ମେଳଣ ଜମାଣ ଜମିଯାଇଥିଲା। ସେହିଭଳି ଆଜି ଭୋଗଲାଗି ପରେ ସନ୍ଧ୍ୟାରେ ମହାଜାକଜମକରେ ହରିହର ଭେଟ ସମାହିତ ହୋଇଥିଲା। ଏହି ଅବସରରେ ଗୋପାଳଙ୍କ ଲଉଡ଼ି କ୍ରୀଡ଼ା ଓ ଓଗାଳ ଲୋକଗୀତ ଦର୍ଶକମାନଙ୍କ ମନ କିଣିନେଇଥିଲା।

ଦୋପଟି ମେଳଣର ଇତିହାସ:୧୮୬୫ ମସିହାରେ ବାଲିପାଟଣା ଥାନା ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ବ୍ରିଟିସ୍‌ ଦାରୋଗା ବା ଡେପୁଟି ସାହେବଙ୍କ ତତ୍ତ୍ବାବଧାନରେ ଏହି ମେଳଣ ଆରମ୍ଭ ହୋଇଥିଲା। ଗାଁ ଗାଁରେ ଚାଚେରି ଭୋଗଖିଆ ପରମ୍ପରାରୁ ଏହି ମେଳଣ ଆରମ୍ଭ ହୋଇଥିଲା। କାଳକ୍ରମେ ଡେପୁଟି ମେଳଣ ଅପଭ୍ରଂଶ ହୋଇ ଦୋପଟି ମେଳଣ ହୋଇଯାଇଛି ବୋଲି କୁହାଯାଏ।

ଶ୍ୟାମପୁରରେ ସରିଲା ହରିହର ଭେଟ

ଖଣ୍ଡଗିରି: ମଙ୍ଗଳବାର ରାଜଧାନୀ ଉପକଣ୍ଠ ଶ୍ୟାମପୁର ଦୋଳ ମେଳଣର ହରିହର ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ଜମାଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଠାକୁରମାନଙ୍କ ମେଲାଣି ପର୍ବ ହରିହର ଭେଟରେ ସରିଥିଲା। ଏହି ମେଳଣର ଥାନପତି ହେଉଛନ୍ତି ଶ୍ୟାମପୁର ସିଦ୍ଧେଶ୍ବର ମହାଦେବ। ତାଙ୍କ ନିମନ୍ତ୍ରଣକ୍ରମେ ମଙ୍ଗଳବାର ସକାଳୁ ସ୍ଥାନୀୟ ଅଞ୍ଚଳର ଅତିଥି ଠାକୁରମାନେ( ଚଳନ୍ତି ପ୍ରତିମା) ସୁସଜ୍ଜିତ ଦୋଳବିମାନରେ ଆସି ଏକାଠି ହୋଇଥିଲେ। ଆଜି ମେଳଣ ପଡ଼ିଆରେ ସବୁ ଦୋ‌ଳବିମାନରେ ଆରୁଢ଼ ହୋଇଥିବା ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହାଣ୍ଡି ଲାଗି ହେବା ପରେ ହରିହର ଭେଟ ହୋଇଥିଲା।

ପାରମ୍ପରିକ ବାଜା, ଖୋଳ, ଝାଞ୍ଜ ଓ ହରିନାମ ସଂକୀର୍ତ୍ତନରେ ପୂରା ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ଗ୍ରାମବାସୀମାନେ ତଥା ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ବିମାନରେ ବିରାଜିତ ଠାକୁରଙ୍କୁ ଅବିର ଦାନ କରିଥିଲେ। ପରେ ନିଜ ନିଜ ଭିତରେ ଅବିର ଖେଳ ହୋଇଥିଲା।

ସୂଚନାଯୋଗ୍ୟ, ଏହି ମେଳଣରେ ଅବିର ଓ ଲଉଡ଼ି ଖେଳ ବେଶ୍ ଆକର୍ଷଣୀୟ ହୋଇଥାଏ। ରାତିରେ ଅପେରା ଓ ମେଲୋଡି ଏହି ମେଳଣକୁ ଆହୁରି ଆକର୍ଷଣୀୟ କରିଥାଏ। କିନ୍ତୁ ଗତ ୨ ବର୍ଷ ହେଲା କରୋନା ପାଇଁ କେବଳ ବିଧି ପାଳିନ ହେଉଛି।

ସମ୍ବନ୍ଧିତ ଖବର