କଏଦୀଙ୍କ ପିଲାଙ୍କ ପାଇଁ ଛାତ୍ରାବାସ: ଉଦ୍‌ଘାଟନ କରି ଭୁଲିଗଲେ, ୧୭ ବର୍ଷ ହେଲା ମିଳିନି ସରକାରୀ ସହାୟତା

ଶଯ୍ୟା ଖାଲି ଅଛି, କଏଦୀଙ୍କ ପିଲାମାନେ ଅବହେଳିତ ଜୀବନ କାଟୁଛନ୍ତି

ଭୁବନେଶ୍ବର: ଦୁଇ ନାବାଳକ ଜନ୍ମକଲା ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବା ଭଳି ହୃଦୟ ବିଦାରକ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଘଟଣା ଜନମାନସରୁ ଯାଉନାହିଁ। ମାତ୍ର ଦୁର୍ଭାଗ୍ୟ ଯେ ସମ୍ପୃକ୍ତ ଦୁଇ ନାବାଳକଙ୍କ ବାପା ହତ୍ୟା ଅଭିଯୋଗରେ ଦୀର୍ଘ ବର୍ଷ ହେବ ଆଜୀବନ କାରାବାସ ଭୋଗୁଥିଲେ ହେଁ ଏ ମଧ୍ୟରେ କେବେ ବି ସେଇ ପିଲାଦ୍ବୟଙ୍କ ମାନସିକ ଅବସ୍ଥା କଥା ବୁଝିବାକୁ ସରକାର ଉଚିତ୍‌ ମଣିନାହାନ୍ତି। ଯଦିଓ ଆଇନ୍‌ରେ ଏନେଇ ସେପରି କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ ୨୦୦୩ ମସିହାରେ ସରକାରଙ୍କ ସହଯୋଗରେ କଏଦୀଙ୍କ ପିଲାଙ୍କ ପାଇଁ ଛାତ୍ରାବାସଟିଏ ପ୍ରତିଷ୍ଠା ହେବା ଫଳରେ କିଛିଟା ଆଶ୍ବସ୍ତି ଆଣିଥିଲା। ହୁଏତ ମା’କୁ ହତ୍ୟା କରିଥିବା ନାବାଳକଦ୍ବୟ ଏହି ଛାତ୍ରାବାସରେ ଆଶ୍ରୟ ନେଇଥିଲେ ଆଜି ସେମାନଙ୍କ ହାତରେ ଏପରି ଏକ ବୀଭତ୍ସ ଘଟଣା ଘଟିନଥାଆନ୍ତା। କିନ୍ତୁ କାରାବାସ ଭୋଗୁଥିବା ବାପା କିମ୍ବା ମା’ଙ୍କ ପିଲାଙ୍କ ପାଇଁ ଯେ ଏପରି ଏକ ଛାତ୍ରାବାସର ବ୍ୟବସ୍ଥା ଅଛି ତାହା ଅନେକ ଜାଣନ୍ତି ନାହିଁ। ଦୁର୍ଭାଗ୍ୟ ଯେ ସରକାର ଏହି ଛାତ୍ରାବାସ ସମ୍ବନ୍ଧରେ ପ୍ରଚାର ପ୍ରସାରକୁ କେବେ ଗୁରୁତ୍ବ ଦେଇନାହାନ୍ତି। ପ୍ରଚାର ଦୂରେ ଥାଉ, ଛାତ୍ରାବାସ ଚଳାଇବା ପାଇଁ ୧୭ ବର୍ଷରେ ପିଲାଙ୍କ ଚଳିବା ପାଇଁ କୌଣସି ସହାୟତା ଯୋଗାଇ ଦେଇନାହାନ୍ତି।

ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ସରକାରଙ୍କ ସହଯୋଗରେ ୨୦୦୩ ମସିହା ନଭେମ୍ବର ୧୪ ତାରିଖରେ ଝାରପଡ଼ାରେ ଏହି ସ୍ବତନ୍ତ୍ର ଛାତ୍ରାବାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଭାରତ ବର୍ଷରେ ଏପରି ଛାତ୍ରାବାସ ଥିଲା ପ୍ରଥମ। ସେତେବେଳେ ରାଜ୍ୟର ୧୭ଟି ଜେଲ୍‌ରେ ବିଚାରାଧୀନ ଥିବା କଏଦୀଙ୍କ ୨୧ ଜଣ ସନ୍ତାନ ସନ୍ତତିଙ୍କୁ ନେଇ ଏହି ଛାତ୍ରାବାସ ଆରମ୍ଭ ହୋଇଥିଲା। ତତ୍କାଳୀନ ପୁଲିସ ମହାନିର୍ଦେଶକ ଓ କାରାଗାର ନିରୀକ୍ଷକ ଭି. ତ୍ୟାଗରାଜନ ଏହାକୁ ଜେଲ୍‌ ସଂସ୍କାରର ଅଂଶବିଶେଷ ବୋଲି କହିବା ସହ ଛାତ୍ରାବାସକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲେ। ମାତ୍ର ତାଙ୍କ ଅବସର ପରେ ଛାତ୍ରାବାସକୁ ଗୁରୁତ୍ବ ଦିଆଗଲା ନାହିଁ। କେବଳ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଯୋଗୁଁ ଏହା ତିଷ୍ଠି ରହିଛି ବୋଲି ଛାତ୍ରାବାସର ଅଧ୍ୟକ୍ଷା ନିରୋଜାଲକ୍ଷ୍ମୀ ମହାପାତ୍ର କହିଛନ୍ତି। ପୂର୍ବତନ କାରାଗାର ନିରୀକ୍ଷକ ଶ୍ରୀ ତ୍ୟାଗରାଜନ କହିଛନ୍ତି, ଏହା ଯଦିଓ ଜେଲ୍‌ କର୍ତୃପକ୍ଷଙ୍କ କର୍ମ ପରିସରଭୁକ୍ତ ନୁହେଁ, କିନ୍ତୁ ବିଚାରାଧୀନ କଏଦୀମାନେ କେତେ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଛନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରି କଏଦୀଙ୍କ ପିଲାମାନଙ୍କୁ ଏହି ଛାତ୍ରାବାସର ସୁବିଧା ନେବା ପାଇଁ ସହଯୋଗ କରିପାରିବେ।

ଦେଢ଼ କୋଟି ବ୍ୟୟରେ ନିର୍ମିତ ଏହି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ଏବେ ରାଜ୍ୟର ୧୮ଟି ଜେଲ୍‌ର ମାତ୍ର ୪୫ ଜଣ ପିଲା ରହି ଆସୁଛନ୍ତି। ‌ଯଦିଓ ବିଚାରାଧୀନ କଏଦୀ ଭାବେ ବହୁ ପିତା ମାତା ଜେଲ୍‌ ଦଣ୍ଡ ଭୋଗୁଛନ୍ତି ଏବଂ ସେମାନଙ୍କ ପିଲାମାନେ ଅବହେଳିତ ଭାବେ ଜୀବନ କାଟୁଛନ୍ତି କିନ୍ତୁ ସେମାନଙ୍କୁ ଏ ଛାତ୍ରାବାସକୁ ଅଣାଯାଉ ନାହିଁ। ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି, କାରାଗାରର କାରା ମଙ୍ଗଳ ଅଧିକାରୀ ସମ୍ପୃକ୍ତ କଏଦୀଙ୍କ ପିଲାଛୁଆ ଅଛନ୍ତି କି ନାହିଁ ସେସବୁ ବୁଝିଲା ପରେ କଏଦୀଙ୍କ ଶିଶୁମାନଙ୍କୁ ଉକ୍ତ ଛାତ୍ରାବାସରେ ଛାଡ଼ିବାକୁ ପରାମର୍ଶ ଦେଇଥାଆନ୍ତି। ମାତ୍ର ଏହା ହେଉନଥିବାରୁ ଛାତ୍ରାବାସରେ ଏବେ ବି ୫୫ ଶଯ୍ୟା ବାକି ଥାଇ ମଧ୍ୟ ଶହଶହ କଏଦୀଙ୍କ ପିଲାମାନେ ଅବହେଳିତ ଭାବେ ଜୀବନ ଜିଉଁଛନ୍ତି। ଏହାବ୍ୟତୀତ ସେହି ଛାତ୍ରାବାସରେ ରହୁଥିବା ପିଲାଙ୍କ ଉଦ୍ଦେଶ୍ୟରେ ସେହି ସମୟରେ ଜେଲ୍‌ ପରିସରରେ ୩ ଲକ୍ଷ ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ କରାଯାଇଥିଲା। ମାତ୍ର ଏବେ ତା’ ମଧ୍ୟକୁ ପିଲାମାନଙ୍କ ପ୍ରବେଶ ବାରଣ କରାଯାଇଛି। ତେଣୁ ସରକାର ଏ କ୍ଷେତ୍ରରେ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର