ଭୁବନେଶ୍ବର: ଜାନୁଆରି ୧୫ ତାରିଖରୁ ଆରମ୍ଭ ହେଉଛି ଡଟ୍ ଫେଷ୍ଟ। ୨୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ଦୁଲୁକିବ ଆଉ ଝୁମିବ ସାରା ଭୁବନେଶ୍ବର। ପ୍ରଥମ ଥର ପାଇଁ ଏଥିରେ ବିଦେଶୀ କଳାକାର ଯୋଗ ଦେବାକୁ ଯାଉଛନ୍ତି। କୋରିଆନ୍ ଡାନ୍ସ ଗ୍ରୁପ୍ ‘ବ୍ଲାକ୍ ସ୍ବାନ୍’ ଏହି ଡଟ୍ଫେଷ୍ଟର ମୁଖ୍ୟ ଆକର୍ଷଣ ହେବ। ଏହା ସହିତ ପ୍ରଥମ ଥର ପାଇଁ ସୁଫିଆନ ସଙ୍ଗୀତ ଏହି ମଞ୍ଚରେ ଭୁବନେଶ୍ବରବାସୀ ଶୁଣିବାକୁ ପାଇବେ। ଏହି ସଙ୍ଗୀତକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟା ମଲ୍ଲିକ, ନଭରାଜ ହଂସ ଓ ହର୍ଷଦ୍ବୀପ କୗର ସୁଫିଆନା ସଙ୍ଗୀତପ୍ରେମୀଙ୍କୁ ଆନନ୍ଦ ଦେବେ। ଏହା ସହ କପିଲ ଶର୍ମା ସୋ’ର ‘ଡକ୍ଟର ଗୁଲାଟି’ ସୁନୀଲ ଗ୍ରୋଭର ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବେ। ଏହା ବାଦ୍ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଗାୟିକା ଉଦିତ୍ ନାରାୟଣ ଓ ଅଲ୍କା ୟାଗ୍ନିକ୍ଙ୍କ ସହ ସୁଖବିନ୍ଦର ସିଂ, ନୀତି ମୋହନ ଓ ଦିବ୍ୟ କୁମାର, ଇଣ୍ଡିଆନ୍ ଆଇଡଲ୍ ଫେମ୍ ପବନଦ୍ବୀପ୍ ଓ ଅରୁଣିତା ମଧ୍ୟ ଅନ୍ୟତମ ଆକର୍ଷଣ ସାଜିବେ। ଏହା ସହିତ ଓଡ଼ିଶାର ଋତୁରାଜ ମହାନ୍ତି, ଲିଶା ମିଶ୍ର, ସ୍ନିତି ମିଶ୍ର ଓ ରୢାପର ବିଗ୍ ଡିଲ୍ ଗ୍ରୁପ୍ ମଧ୍ୟ ବେଶ୍ ଝୁମେଇବେ। ସିଦ୍ଧାର୍ଥ ମହାଦେବନ, ଶିବମ ମହାଦେବନ ଓ ଶ୍ରୀନିଧିଙ୍କ ଫ୍ୟୁଜନ୍ ଫିଏଷ୍ଟା ମଧ୍ୟ ଦର୍ଶକଙ୍କୁ ନଚେଇବ। ତେବେ କେବଳ ଆଧୁନିକ ନୃତ୍ୟ କିମ୍ବା ରୢାପ୍, ରୋମାଣ୍ଟିକ୍ ଗୀତ ନୁହେଁ, ବରଂ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଉସ୍ତାଦ୍ ତୌଫିକ୍ କ୍ୟୁରେସି, ଲୁଇସ୍ ବ୍ୟାଙ୍କ୍ସ୍, ଜର୍ଜ ବ୍ରୁକ୍ସ୍ ପ୍ରମୁଖଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ଉଦ୍ବୁଦ୍ଧ ହେବ।
ତେବେ କେବଳ ୨୪ ତାରିଖ ଯାଏଁ ନୁହେଁ ବରଂ ୨୯ ତାରିଖ ଯାଏଁ ପ୍ରଦର୍ଶନୀ ପଡ଼ିଆରେ ଗହଳ ଚହଳ ଲାଗି ରହିବ। ୭୫ ବର୍ଷର ଭୁବନେଶ୍ବର ଇତିହାସକୁ ନେଇ ଏକ ଫଟୋ ପ୍ରଦର୍ଶନୀ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ‘ଭୁବନେଶ୍ବର ସେବେ ଓ ଏବେ’ ଆୟୋଜିତ ହେବ। ଏଥିରେ ଅନେକ ବିରଳ ଫଟୋ ସ୍ଥାନ ପାଇବ। ସେହିଭଳି ଇଣ୍ଟରନାସନାଲ୍ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିବ। ଭାରତ ସମେତ ଫ୍ରାନ୍ସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍ଜିୟମ, ଚିଲି, ସ୍ପେନ୍ ଓ ୱେଲ୍ସ୍ ପ୍ରଭୃତି ଦେଶଗୁଡ଼ିକର ପ୍ରସିଦ୍ଧ ଖାଦ୍ୟ ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।
ଏକାମ୍ର ହାଟରେ ନାଇଟ୍ ବଜାର(ଫ୍ଲି ମାର୍କେଟ୍) ବସିବ। ସନ୍ଧ୍ୟା ୫ଟାରୁ ରାତି ଅଧ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ବଜାରରେ ଦେଶୀ ବିଦେଶୀ ଜିନିଷ ଉପଲବ୍ଧ ହେବ। ଏଠାରେ ମଧ୍ୟ ସୁଲଭ ଦରରେ ବିଭିନ୍ନ ଜିନିଷ ଉପଲବ୍ଧ କରିବାକୁ ଯୋଜନା କରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକମାନେ ଏହି ବଜାରର ମଜା ନେଇ ପାରିବେ। ଏହା ସହିତ ଭୂ-ଫେଷ୍ଟୋ, ଟ୍ରେଲ୍ସ୍, ଏକାମ୍ର ୱାକ୍ସ୍ ମଧ୍ୟ ହକି ମାହୋଲ୍କୁ ଜୀବନ୍ତ ରଖିବ।
ଏ ନେଇ ଆଜି ବିଏମ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏମସି ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଶ୍ରମ କମିସନର ତଥା ନୋଡାଲ ଅଧିକାରୀ ତିରୁମାଲା ନାୟକ ପ୍ରମୁଖ ସୂଚନା ଦେଇଛନ୍ତି। ‘ବୁକ୍ ମାଇଁ ସୋ’ ଜରିଆରେ ଟିକଟ ଉପଲବ୍ଧ ହେବ। ଟିକଟ ଦର ସମ୍ବନ୍ଧରେ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।