ବନ୍ଦ: ଏପାଖ ସେପାଖ

ପୋଡ଼ିଲାନି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, କଣା କରିଦେଲେ
ଆଜି ବନ୍ଦ ସମୟରେ ବିଜେପି ଯୁବ କର୍ମୀଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ବି ବାଦ୍‌ ପଡ଼ିଲାନି। ହୋଟେଲ ନ୍ୟୁ ମାରିଅନ ପାଖରେ ଲାଗିଥିବା ଏହିି ବିରାଟକାୟ ହୋର୍ଡିଂରେ ବିକ୍ଷୋଭକାରୀ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କଲେ। କିନ୍ତୁ ପବନରେ ଏହା ବାରମ୍ବାର ଲିଭି ଯାଉଥିଲା। ବିଜେପି କର୍ମୀ ଆଉ କିଛି ଉପାୟ ନ ପାଇ ହୋର୍ଡିଂକୁ ନିର୍ଧୁମ ଢେଲା ମାଡ଼ କରି ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ କଣା କରିଦେଇଥିଲେ।
କଂଗ୍ରେସ ଯଦି ବେକରେ ଗାମୁଛା ପକା
ମାଷ୍ଟରକ୍ୟାଣ୍ଟିନ ନିକଟରେ କଂଗ୍ରେସ କର୍ମୀଙ୍କର ସବୁଠୁ ଅଧିକ ଦବ୍‌ଦବା ଦେଖିବାକୁ ମିଳିଥିଲା। ଭୁଲ୍‌ରେ ସୁଦ୍ଧା କୌଣସି ବାଇକ୍‌କୁ କର୍ମୀମାନେ ଏହି ବାଟ ଦେଇ ଛାଡ଼ୁ ନ ଥିଲେ। ଦୁଇ ଜଣ ଯୁବକ ବାଇକରେ କଂଗ୍ରେସ ଭବନ ସମ୍ମୁଖ ଦେଇ ଯାଉଥିବା ବେଳେ କଂଗ୍ରେସକର୍ମୀ ସେମାନଙ୍କୁ ଠେଙ୍ଗା ଧରି ବାଡ଼େଇବାକୁ ଧାଇଁ ଆସିଥିଲେ। ଦୁଇ ଯୁବକ ଉପାୟଶୂନ୍ୟ ହୋଇ କହିଥିଲେ ଭାଇ ଆମେ ପରା କଂଗ୍ରେସ ଲୋକ। ଆମକୁ ଛାଡ଼, କିନ୍ତୁ କଂଗ୍ରେସ କର୍ମୀ ମାନେ କହିଥିଲେ ଯଦି ତମେ କଂଗ୍ରେସକର୍ମୀ ଆସ ଆମ ସାଙ୍ଗରେ ବାଇକ୍‌ ରାଲିରେ ବୁଲିବ। କଂଗ୍ରେସ ଯଦି ବେକରେ କଂଗ୍ରେସ ଗାମୁଛା ପକା। ବାଧ୍ୟହୋଇ ଦୁଇ ଯୁବକ କଂଗ୍ରେସ ପତାକା ଆଉ ଗାମୁଛା ପକାଇ ବନ୍ଦରେ ସାମିଲ ହୋଇଥିଲେ।
ବନ୍ଦରେ ଛାଡ଼ଖାଇ ମଜା
ଆଜି ବନ୍ଦ ଯୋଗୁଁ ଅଧିକାଂଶ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲେ ହେଁ ଆମିଷ ବଜାର ପ୍ରାୟ ସମସ୍ତ ସ୍ଥାନରେ ଖୋଲା ଥିଲା। ମାଘ ସପ୍ତମୀ ଯୋଗୁଁ ଆମିଷ ବଜାର ଖାଁ ଖାଁ ରହିବ ବୋଲି ଆଶା କରାଯାଉଥିଲେ ହେଁ ଛାଡ଼ଖାଇ ଭଳି ଭିଡ଼ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ବଜାର କମିଟି ବନ୍ଦରେ ସାମିଲ୍‌ ହୋଇଥିବାରୁ ଲୁଚାଛପାରେ ଆମିଷ ବିକ୍ରି ହେଉଥିଲା। ଦୋକାନ ବନ୍ଦ ଥିବା ଭଳି ଦେଖା ଯାଉଥିଲେ ହେଁ ଲୋକଙ୍କୁ ଦୋକାନଠାରୁ ଦୂରେ ରଖି ସେମାନଙ୍କ ଠାରୁ ଅର୍ଡର ନିଆଯାଉଥିଲା। ଆଉ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲା।

ବାଇକ୍‌ରେ ‘ବର’


କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାଙ୍କୁ ନେଇ ଆଜି ସାରା ରାଜ୍ୟରେ ହରତାଳ ଚାଲିଥିବା ବେଳେ ରାଜଧାନୀରେ ଜଣେ ବର ବିଜେପି ପତାକା ବେକରେ ପକାଇ ବାଇକ୍‌ରେ ବାହା ହେବାକୁ ଆସିିଥିଲେ। ବର ଜଣଙ୍କ ହରତାଳ ଭୟରେ ବାଜା, ବାଣ ଫୁଟାଇ ରୋଷଣୀରେ ଆସିବାତ ଦୂରର କଥା। ସେ କାରରେ ଆସିବାକୁ ବି ଭୟ କରିଥିଲେ। କାଳେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଗାଡ଼ି ବାଡ଼େଇ ଭାଙ୍ଗିଦେବେ କିମ୍ବା କୌଣସି ଅଘଟଣ ଘଟିବ। ତେଣୁ ଏସବୁ ଭୟରେ ସେ ଏକ ବାଇକ୍‌ରେ ଆସିଥିଲେ। ଏମିତିକି ବାହାଘର କାର୍ଯ୍ୟ ପାଇଁ ପୁରୋହିତଙ୍କୁ ମଧ୍ୟ ବାଇକ୍‌ରେ ଆଣାଯାଇଥିଲା।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ଆଚାର୍ଯ୍ୟବିହାର ଛକରେ। କେବଳ ଏତିକି ନୁହେଁ ଜୟଦେବ ବିହାର ଛକ ଓ ଦ ଓ୍ଵାଲର୍ଡ ଛକରେ ମଧ୍ୟ ବର କେବଳ ଡିଜେକୁ ସାଙ୍ଗରେ ଧରି ବାହା ହେବାକୁ ଯାଉଥିବା ଦେଖିଥିବା ମିଳିଥିଲା। ଓଡ଼ିଶା ବନ୍ଦ ଭୟରେ ବରଯାତ୍ରୀମାାନେ ମଧ୍ୟ ସାଙ୍ଗରେ ଆସି ନ ଥିଲେ।

ସମ୍ବନ୍ଧିତ ଖବର