ପୁରୁଣା ଭୁବନେଶ୍ବର: ମନ୍ଦିର ମାଳିନୀ ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଊର୍ଦ୍ଧ୍ବ ମନ୍ଦିର ଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥିମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଅଛି। ଚକ୍ରକ୍ଷେତ୍ର ଭାବେ ଅଭିହିତ ଏକାମ୍ର କ୍ଷେତ୍ର ବା ପୁରୁଣା ଭୁବନେଶ୍ୱରରେ ଅଧିକାଂଶ ଶୈବ ମନ୍ଦିର ରହିଥିବା ବେଳେ ଏକ ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ହେଉଛି ଅନନ୍ତ ବାସୁଦେବ ମନ୍ଦିର। ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ମତରେ, ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଅନନ୍ତ ବାସୁଦେବ ମନ୍ଦିର ଭୁବନେଶ୍ୱରର ଏକମାତ୍ର ପୁରାତନ ତଥା ପ୍ରମୁଖ ବିଷ୍ଣୁ ମନ୍ଦିର। ଅନନ୍ତ ବାସୁଦେବ ମନ୍ଦିର ପରିସରରେ ରୋଷଘରରେ ମାଟି କୁଡୁଆରେ ପ୍ରସ୍ତୁତ ବିବିଧ ବ୍ୟଞ୍ଜନ ଓ ଅନ୍ନ ପ୍ରସାଦ ଏକାମ୍ରକ୍ଷେତ୍ରରେ ମହାପ୍ରସାଦର ମାନ୍ୟତା ପାଏ। ଦୈନିକ ଶହ ଶହ ଭକ୍ତ ଏହି ପ୍ରସାଦ ସେବନ କରିଥାନ୍ତି। ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମୁଛି। ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାର ଭଳି ଏଠାରେ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ବି ଆନନ୍ଦ ବଜାର ରହିଛି। ଏଠି ଭକ୍ତଙ୍କ ପାଇଁ ଅବଢ଼ା ପ୍ରସାଦ ରନ୍ଧାହେବା ବିଧି ରହିଛି। ଯେଉଁମାନେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିପାରୁନାହାନ୍ତି, ସେମାନେ ଏଠାରେ ଅନନ୍ତ ବାସୁଦେବଙ୍କ ଦର୍ଶନ କରୁଛନ୍ତି ଓ ଅବଢ଼ା ପ୍ରସାଦ ସେବନ କରୁଛନ୍ତି। ତେବେ କାର୍ତ୍ତିକ ମାସ ଓ ବଡ଼ ଏକାଦଶୀତିଥିରେ ଅବଢ଼ା ମୂଲ୍ୟ ଦୁଇଗୁଣା ହୋଇଥିବା ବହୁ ଭକ୍ତ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ପୂର୍ବରୁ ଜଣେ ଖାଇବା ଭଳି ଯେଉଁ ଅବଢ଼ାର ମୂଲ୍ୟ ୭୦ରୁ ୯୦ ଟଙ୍କା ଲାଗୁଥିଲା, ତାହା ୧୪୦ରୁ ୧୮୦ଟଙ୍କାରେ ପହଞ୍ଚି ଯାଇଛି। ।
କୁଡ଼ୁଆ ଓ କାଠ ମୁଖ୍ୟ ସମସ୍ୟା
ତେବେ ସେବାୟତଙ୍କର କହିବା କଥା ହେଉଛି, ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରରେ ରନ୍ଧା ହେବାରେ ବ୍ୟବହୃତ କୁଡ଼ୁଆ ସହ ବିଭିନ୍ନ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଅବଢ଼ା ଦର କିଛିଟା ବୃଦ୍ଧି ପାଇଛି। ଅବଢ଼ାର ଏବେ ବହୁତ ଚାହିଦା ରହିଥିଲେ ହେଁ କୁଡ଼ୁଆ ମିଳୁ ନଥିବାରୁ ଅବଢ଼ା ରନ୍ଧାରେ ସମସ୍ୟା ଲାଗି ରହିଛି। ଏବେ ଯେତିକି ଆବଶ୍ୟକ, ତା'ଠୁ ଯଥେଷ୍ଟ କମ୍ କୁଡ଼ୁଆ ଆସୁଛି। ଶ୍ରୀଜଗନ୍ନାଥଙ୍କ ଅବଢ଼ା ସଦୃଶ ଭୁବନେଶ୍ବରର ଓ ଏହାର ଆଖପାଖ ଅଞ୍ଚଳରେ ଅନନ୍ତ ବାସୁଦେବଙ୍କ ପ୍ରସାଦର ବେଶ୍ ଚାହିଦା ରହିଛି। ବାସୁଦେବ ମନ୍ଦିରରେ ୨୦ ଜଣ ମାଲିକଙ୍କର ୨୬ଟି କାଠଚୁଲା ଓ ୧୦୦ରୁ ଅଧିକ ଝିଙ୍କା ରହିଛି। ଏଠି ବାଇହାଣ୍ଡି, ମଠହାଣ୍ଡି, ନିରସା ମଠ, ଗୋଟିକିଆ ପ୍ରମୁଖ ବିଭିନ୍ନ ହାଣ୍ଡିରେ ଅବଢ଼ା ପ୍ରସ୍ତୁତ ହୋଇଥାଏ। ପୁରୀ ଢାଞ୍ଚାରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଘିଅଅନ୍ନ, ମିଠାଅନ୍ନ, ସାଧାଅନ୍ନ, ଡାଲି, ଡାଲମା, ବେସର, ଶାଗ, ମହୁର, ଜହ୍ନିପୋସ୍ତକ, ପୋଟଳ ରସା, ବୁଟ ତରକାରୀ, ଖଜୁରୀ ଖଟା, ଦହି ବାଇଗଣ, ଚାଉଳ ଖିରି ପ୍ରମୁଖ ଭୋଗ ହୋଇଥାଏ। ଏହାବାଦ୍ ଭକ୍ତଙ୍କ ଚାହିଦାକୁ ଦେଖି ଦହି ପାଚେଡ଼ି, କ୍ଷୀରା, ଆମ୍ବୁଲ ରାଇ ଇତ୍ୟାଦି ପ୍ରସ୍ତୁତ କରାଯାଇଥାଏ। ଏବେ କାର୍ତ୍ତିକ ମାସରେ ହବିଷ ଡାଲମାର ଚାହିଦା ଅଧିକ ରହିଛି। ପୂର୍ବ ମାସ ଅପେକ୍ଷା ଅବଢ଼ା ବିକ୍ରି ବହୁତ ବୃଦ୍ଧି ପାଇଛି। ପୂର୍ବ ମାସରେ ପୂର୍ବାହ୍ନରେ ସାଢ଼େ ୧୦ଟା ଭୋଗ ବାହାରୁଥିବା ବେଳେ କାର୍ତ୍ତିକ ମାସରେ ସକାଳ ୯ଟାରୁ ଆନନ୍ଦ ବଜାରରେ ଦିନ ୩ଟା ପର୍ଯ୍ୟନ୍ତ ଅବଢ଼ା ମିଳୁଛି। ଏହା ବାଦ୍ ବରାଦି ଅବଢ଼ା ସନ୍ଧ୍ୟା ସାଢ଼େ ୫ଟାରେ ପୂଜା ହୋଇ ବାହାରୁଛି। ପୂର୍ବରୁ ୧,୦୦୦ରୁ ୨,୫୦୦ ଲୋକଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହେଉଥିବା ବେଳେ ଏବେ ଦିନକୁ ପ୍ରାୟ ୪,୦୦୦ ଲୋକଙ୍କ ପାଇଁ ଅବଢ଼ା ତିଆରି ହେଉଛି। ଅବଢ଼ା ହାଣ୍ଡି ପୁରୀ ଓ ନୟାଗଡ଼ କୁମ୍ଭାରଙ୍କଠାରୁ କିଣା ହୋଇ ଆସୁଥିବାବେଳେ କଦଳୀ ପତ୍ର ଭୁବନେଶ୍ବର ଉପକଣ୍ଠ ପିପିଲି, ବାସୁଆଘାଇ, ଇଟିପୁର, ନୂଆଗାଁ ଓ ଲକ୍ଷ୍ମୀନାରାୟଣପୁର ଆଦିରୁ ଆସୁଛି।
ସକାଳ ସାଢ଼େ ୫ଟା ପରେ ମଙ୍ଗଳ ଆଳତି ହେବା ପରେ ଭୋଗରନ୍ଧା ଆରମ୍ଭ ହୋଇଯାଏ। ରୋଷଶାଳାରେ ଭୋଗ ପ୍ରସ୍ତୁତ ହୋଇ ପ୍ରଥମେ ଠାକୁରଙ୍କ ପାଖରେ ଲାଗିହୁଏ। ତା' ପରେ ଆନନ୍ଦବଜାରରେ ଯାଇ ବିକ୍ରିବଟା ହୋଇଥାଏ। ପୂର୍ବରୁ ମନ୍ଦିରର ଡାହାଣ ପାର୍ଶ୍ବରେ ରୋଷଶାଳା ରହିଥିବାବେଳେ ମନ୍ଦିର ବେଢ଼ା ଭିତରେ ତଥା ବାମ ପାର୍ଶ୍ବରେ ଅବଢ଼ା ବିକ୍ରି ହେଉଥିଲା। କାଳକ୍ରମେ ଭକ୍ତଙ୍କ ସମାଗମ ବୃଦ୍ଧି ଓ ରାଜଧାନୀରେ ଜନସଂଖ୍ୟା ବଢ଼ିବା ପରେ ଲୋକଙ୍କ ଚାହିଦା ବଢ଼ିଲା। ଏହାକୁ ଦୃଷ୍ଟିରେ ରଖି ୯୦ଦଶକରେ ବଡ଼ ଆକାରରେ ଏକ ଆନନ୍ଦ ବଜାର ନିର୍ମାଣ କରାଯାଇଛି। ଫଳରେ ସେଠାରେ ୨୧ରୁ ଅଧିକ ଅବଢ଼ା ଦୋକାନ ପ୍ରତିଦିନ ଖୋଲାଯାଉଥିବା ବେଳେ ଦୈନିକ ୩-୪ହଜାର ଭକ୍ତ ଭୋଜନ କରୁଛନ୍ତି। କୁଡ଼ୁଆ ଦର ବୃଦ୍ଧି, କାଠ ଓ ମଜୁରିଆ ସହ ବିଭିନ୍ନ ସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁଁ ଅବଢ଼ା ମୂଲ୍ୟ କିଛିଟା ବୃଦ୍ଧି ପାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ସୁଆର ସେବାୟତ ବିରଞ୍ଚି ଗରାବଡ଼ୁ କହନ୍ତି, ବିଭିନ୍ନ ଡାଲି, ଚାଉଳ ଓ ପରିବା ମୂଲ୍ୟ ବଢ଼ିବା ଯୋଗୁଁ ଅବଢ଼ା ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଅନ୍ୟ ମନ୍ଦିର ଅପେକ୍ଷା କମ୍ମୂଲ୍ୟ ଦେଇ ଜଣେ ବାସୁଦେବ ମନ୍ଦିରରେ ପ୍ରସାଦ ଖାଇପାରିବ। ପୁରୀ ଜିଲ୍ଲାର କୁଡ଼ୁଆ କାରିଗର ହରି କୁମ୍ଭାର କହିଛନ୍ତି, ବିଭିନ୍ନ ସମୟରେ ବାତ୍ୟା ଓ ମାଟି ମିଳୁଥିବା ସ୍ଥାନରେ ଘର ତିଆରି ଯୋଗୁଁ ବହୁ ଭାଟି ନଷ୍ଟ ହୋଇଛି। ଭଲମାଟି ମଧ୍ୟ ମିଳୁନାହିଁ। ଫଳରେ କୁଡ଼ୁଆ ଯଥେଷ୍ଟ ତିଆରି ହୋଇପାରୁ ନାହିଁ।