ଭୁବନେଶ୍ବର: ଗତ ୭ ବର୍ଷ ମଧ୍ୟରେ ଝାରପଡ଼ା ଜେଲ୍ ଭିତରେ ୭ ଜଣ କଏଦୀଙ୍କ ମୃତ୍ୟୁ ଘଟିବା ଉଦ୍ବେଗର ବିଷୟ। କେତେବେଳେ କଏଦୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ତ କେତେବେଳ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍ରୁ ମୃତଦେହକୁ ଜବତ କରାଯାଇଛି। କିଛି କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ବେଳେ ସେମାନଙ୍କ ଗୋଡ଼ ତଳେ ଲାଗିଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ସେମିତି ଜଣେ କଏଦୀ ଚାମଚରେ ନିଜ ହାତ କାଟିବା ସହ ଶରୀରରେ କ୍ଷତ ସୃଷ୍ଟି କରିଥିଲେ ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା। ଏସବୁ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ସହଜରେ ଗ୍ରହଣ କରିହେବ ନାହିଁ।
ଯଦିଓ ଅଧିକାଂଶ ମାମଲାରେ କଏଦୀମାନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି, ସେସବୁ କଏଦୀମାନଙ୍କ ଭିତରେ ବିବାଦ ଯୋଗୁଁ ହତ୍ୟା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏମିତିକି ମୃତ କଏଦୀଙ୍କ ପରିବାରଲୋକ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ପ୍ରତ୍ୟେକ ଘଟଣାକୁ ପୁଲିସ ଅପମୃତ୍ୟୁ ନଚେତ୍ ଆତ୍ମହତ୍ୟାର ରୂପ ଦେଇଛି। ଫଳରେ ପ୍ରତ୍ୟେକ ବିଚାରଧୀନ କଏଦୀଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ଏବେ ବି ରହସ୍ୟମୟ ହୋଇ ରହିଛି। ଏଥିପାଇଁ କମିସନରେଟ୍ ପୁଲିସ ଯେଉଁ ଭଳି ଢଙ୍ଗରେ ତତ୍ପରତା ଦେଖାଇବା କଥା ଦେଖାଇ ନାହିଁ।
ଅନ୍ୟପଟେ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଙ୍ଗୁଳି ଉଠିଛି। କାରଣ ନିୟମ ଅନୁଯାୟୀ ଅପରାଧୀଙ୍କୁ ଗିରଫ ପରେ ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କୁ କାରାଗାରରେ ଛଡ଼ାଯାଏ। କେଉଁ ଅଭିଯୁକ୍ତଙ୍କର କ’ଣ ସମସ୍ୟା ରହିଛି ତାହାର ସ୍ବାସ୍ଥ୍ୟଗତ ବିବରଣୀ ଜେଲ୍ କର୍ତୃପକ୍ଷଙ୍କୁ ପ୍ରଦାନ କରାଯାଏ। ବିବରଣୀ ମୁତାବକ ଯେଉଁ କଏଦୀ ବା ଅଭିଯୁକ୍ତଙ୍କର ଯେଉଁ ସମସ୍ୟା ଥିବ ସେମାନଙ୍କୁ ସେହି ହିସାବରେ ଜେଲ୍ କର୍ତୃପକ୍ଷ ଚିକିତ୍ସା ଯୋଗାଇଦେବେ। ବଡ଼ ବଡ଼ିଆଙ୍କ କ୍ଷେତ୍ରରେ ଜେଲ୍ କର୍ତୃପକ୍ଷ ତତ୍ପରତା ଦେଖାଇବା କଥା ସମସ୍ତଙ୍କୁ ଜଣା। ହେଲେ ତାହା ସମସ୍ତ କଏଦୀଙ୍କ କ୍ଷେତ୍ରରେ ଲାଗୁ କରାଯାଏ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆହୁରି ମଧ୍ୟ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଜେଲ୍ରେ ଦଣ୍ଡ ଭୋଗୁଥିବା କଏଦୀ ବା ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହେଲେ ତାହାର ବିଚାର ବିଭାଗୀୟ ତଦନ୍ତ ହେବ। ଜଣେ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କରାଯିବ। ଝାରପଡ଼ା ଜେଲ୍ରେ ହେଉଥିବା ମୃତ୍ୟୁର ତଦନ୍ତ ଏହି ନିର୍ଦ୍ଦେଶାବଳୀ ଅନୁସାରେ ହେଉଛି କି ନାହିଁ, ତାହା ଜଣାପଡ଼ୁନି। ଯଦି ହେଉଛି, ତେବେ ତଦନ୍ତର ଫଳାଫଳ ସମ୍ପର୍କରେ ମୃତକଙ୍କ ପରିବାର ଓ ସାଧାରଣ ଜନତା ଅଜ୍ଞ ରହୁଛନ୍ତି। ଏ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେ ମୁହଁ ଖୋଲିବାକୁ ନାରାଜ। ଫଳରେ ଜେଲ୍ରେ କଏଦୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ଗତ ୧୦ ତାରିଖ ଦିନ ଗ୍ରିନ୍-ରେ ଚିଟ୍ଫଣ୍ଡର ପରିଚାଳନା ନିର୍ଦେଶକ(ଏମ୍ଡି)ଙ୍କ ମୀର ସହିରୁଦ୍ଦିନଙ୍କ କାରାଗାରରେ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ଜେଲ୍ କର୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ ଭିନ୍ନ କଥା ପଦାକୁ ଆସିଛି। ଗାଧୁଆ ଘରେ ଗୋଡ଼ ଖସିଯିବାରୁ ମୁଣ୍ଡରେ ମାଡ଼ ହୋଇ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ ଏହାକୁ କେହି ସହଜରେ ଗ୍ରହଣ କରିପାରି ନାହିଁନ୍ତି। ତାଙ୍କ ସାନ ଭାଇ ମୀର ଜାହିରଉଦ୍ଦିନ ହତ୍ୟା ଅଭିଯୋଗ ଆଣିଛନ୍ତି।
ଫେବ୍ରୁଆରି ୨୧ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳର ପ୍ରାଣକୃଷ୍ଣ ଦାସଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତେବେ ସେ ୨୦୨୧ ମସିହା ଜୁଲାଇ ମାସରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ସେବେଠାରୁ ସେ ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀ ଭାବେ ଥିଲେ। ତେବେ ଗତ ଫେବ୍ରୁଆରି ୨୧ ତାରିଖ ରାତିରେ ହଠାତ୍ ପ୍ରାଣକୃଷ୍ଣ ଅସୁସ୍ଥ ହୋଇପଡ଼ିଥିଲେ। ରାତି ପ୍ରାୟ ୧ଟା ସମୟରେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ୍ କର୍ତ୍ତୃପକ୍ଷ ଘଟଣା ବିଷୟରେ ଲକ୍ଷ୍ମୀସାଗର ଥାନାକୁ ଜଣାଇବା ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଅନ୍ୟପଟେ ପ୍ରାଣକୃଷ୍ଣଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ କମିସନରଙ୍କୁ ଭେଟି ଦାବି ଜଣାଇଥିଲେ। ପରିବାର ଲୋକଙ୍କ କହିବା ମୁତାବକ ମୃତ୍ୟୁର ଦୁଇଦିନ ପୂର୍ବରୁ ପ୍ରାଣକୃଷ୍ଣ ଫୋନ୍ରେ କଥା ହୋଇଥିଲେ। ଆଉ ସେ ସୁସ୍ଥ ବି ଥିଲେ। ହଠାତ୍ କିଭଳି ଅସୁସ୍ଥ ହୋଇଗଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଯାହାକି ଜେଲ୍ କର୍ତୃପକ୍ଷଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିଛି।
୨୦୧୮ ମସିହା ଅକ୍ଟୋବର ମାସରେ ଜଟଣୀ ଥାନା ଅଧୀନ ବଡ଼ତୋଟା ନୂଆସାହିର ଗଦାଧର ସାହୁଙ୍କ ଜେଲ୍ରେ ମୃତ୍ୟୁ ଘଟିଥିଲା। ସେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୫ବର୍ଷ ଝାରପଡ଼ା ଜେଲରେ ଦଣ୍ଡ ଭୋଗୁଥିଲେ। ଜେଲ୍ କର୍ତୃପକ୍ଷ କହିଥିଲେ ଯେ, ଗଦାଧରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ତେବେ ଗଦାଧରଙ୍କ ମୃତ୍ୟକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଗଦାଧରଙ୍କୁ ମାଡ଼ ମରାଯାଇଛି। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ରହିଥିଲା। ତେଣୁ ତାଙ୍କୁ ମାଡ଼ମାରି ହତ୍ୟା କରାଯାଇଥିବା ଅଭିଯୋଗ ପରେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଗଦାଧରଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ଯାହାର ସଂପୂର୍ଣ୍ଣ ଭାବେ ଭିଡିଓ ରେକର୍ଡିଂ କରାଯାଇଥିଲା। ଘଟଣାର ଏଚ୍ଆରପିସି ତଦନ୍ତ ପାଇଁ ମଧ୍ୟ ସୁପାରିସ ହୋଇଥିଲା।
୨୦୧୮ ମେ’ ୧୨ତାରିଖରେ ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଥିଲା। ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ମହିଳା ଥାନା ପୁଲିସ ଜିତେନ୍ଦ୍ରଙ୍କୁ ଏକ ଗଣଦୁଷ୍କର୍ମ ମାମଲାରେ ଗିରଫ କରିଥିଲା। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଥିଲା, ଏଯାଏ ଘଟଣା ସ୍ପଷ୍ଟ ହୋଇ ପାରିନାହିଁ। ସେହିପରି ୨୦୧୫ରେ ବେଣୁଧର ଜେନା ଓ ଟୁଲୁ ସାହୁ ନାମକ ଦୁଇ ଜଣକ କଏଦୀଙ୍କ ମୃତ୍ୟୁ ଘଟିଥିଲା। ୨୦୧୪ରେ ବିହାରୀ ଜେନା ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଯେପରି ଅବସ୍ଥାରେ ସେମାନଙ୍କ ମୃତଦେହ ମିଳିଥିଲା ତାହା ମଧ୍ୟ ସନ୍ଦେହଜନକ ଥିଲା।