ସନ୍ଦେହ ଘେରରେ ସେଇ ଯୁବତୀ

କୁଆଖାଇ ନଦୀପଠାରେ ଯୁବକଙ୍କୁ ହତ୍ୟା ମାମଲା

ଭୁବନେଶ୍ୱର: ନହରକଣ୍ଟା କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୁଲିସ ହତ୍ୟାକାରୀକୁ ଏକପ୍ରକାର ଚିହ୍ନଟ କରି ସାରିଛି। ସୋସିଆଲ ମିଡିଆରେ ଭାଇରାଲ ସେକ୍ସ ଭିଡିଓରେ ଉନ୍ମୟଙ୍କ ସହ ଥିବା ଯୁବତୀଙ୍କ ଉପରେ ହିଁ ପୁଲିସର ସନ୍ଦେହ କେନ୍ଦ୍ରୀଭୂତ ହୋଇଛି। ପୁଲିସ ଉନ୍ମୟ ହତ୍ୟାକାଣ୍ଡ ସମ୍ପର୍କରେ ଯେତେ ଅଧିକ ଖୋଳତାଡ଼ କରୁଛି ହତ୍ୟାକାଣ୍ଡରେ ଯୁବତୀଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ଥିବା ନେଇ ସନ୍ଦେହ ବଢ଼ି ବଢ଼ି ଚାଲିଛି। ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି ଯେ ଚାନ୍ଦବାଲିରେ ଭିଡିଓ ଭାଇରାଲ କରାଯିବା ସହ ଉନ୍ମୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଯୋଜନାବଦ୍ଧ ଭାବେ ସେହି ଭିଡିଓକୁ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ କରାଗଲା। ଉନ୍ମୟଙ୍କ ଉପରେ ଭିଡିଓ ଭାଇରାଲ କରଥିବାର ଅଭିଯୋଗ ଅଣାଯାଇ ଧମକଚମକ ଦିଆ ଯାଇ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଇଥିଲା। ଏହାର ଠିକ୍‌ ଦୁଇ ଦିନ ପରେ ଉନ୍ମୟଙ୍କୁ ହତ୍ୟା କରାଗଲା। ବଡ଼କଥା ହେଉଛି ଶୁକ୍ରବାର ରାତିରେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କୋଲକାତା ପଳାଇ ଯାଉଥିବାବେଳେ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ଏହା ଯୁବତୀଙ୍କ ଉପରେ ପୁଲିସର ସନ୍ଦେହକୁ ବଢ଼ାଇ ଦେଇଛି। କେଉଁ ପରିସ୍ଥିତିରେ ଦୁହେଁ କୋଲକାତା ପଳାଉଥିଲେ ତାହା ଜାଣିବାକୁ ପୁଲିସ ପଚରାଉଚରା କରୁଛି।

ଏହା ବ୍ୟତୀତ ପୁଲିସ ବିଜେବିନଗରରେ ରହୁଥିବା ଉନ୍ମୟଙ୍କ ପଡ଼ୋଶୀ ଓ ସେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି। ସମସ୍ତେ ଗୋଟିଏ କଥା କହୁଛନ୍ତି, ଗତ ୬ ମାସ ହେବ ଉନ୍ମୟ ମାନସିକ ଚାପରେ ଥିଲେ। ସମସ୍ତଙ୍କୁ କହିଥିଲେ ସେହି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଧମକଚମକ ସମ୍ପର୍କରେ। ଉନ୍ମୟଙ୍କର ଆଉ କେହି ଶତ୍ରୁ ନ ଥିଲେ। କେବଳ ସେହି ଯୁବତୀଙ୍କ ସହିତ ତାଙ୍କର ବିବାଦ ଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି କାରଣରୁ ପୁଲିସର ସନ୍ଦେହ ତାଙ୍କ ଉପରେ ବଢ଼ି ଚାଲିଛି। ସୋମବାର ଗଣମାଧ୍ୟମ ସମ୍ମୁଖରେ ଏହାର ପର୍ଦାଫାସ କରାଯିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଭିଡିଓ ଭାଇରାଲ କରି ଆଦାୟ କରାଯାଇଛି ଲକ୍ଷ ଲକ୍ଷ ଟଙ୍କା
ଯୋଜନାବଦ୍ଧ ଭାବେ ଉନ୍ମୟକୁ ହତ୍ୟା କରାଯାଇଛି

ମୃତ୍ୟୁ ପୂର୍ବରୁ ୧୨ ଲକ୍ଷ ଟଙ୍କା ଉଠାଇଥିଲେ ଉନ୍ମୟ
ହତ୍ୟାକାଣ୍ଡର ୩ ଦିନ ପୂର୍ବରୁ ମୃତ ଉନ୍ମୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଉଠାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଛି। ଏକାବେଳକେ ଉନ୍ମୟ ଏତେ ଗୁଡ଼ାଏ ଟଙ୍କା କାହିଁକି ଉଠାଇଲେ? ତାଙ୍କର ଏଭଳି ହଠାତ ଟଙ୍କା କ’ଣ ଦରକାର ପଡ଼ିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଉନ୍ମୟଙ୍କ ଭାଇ ଚିନ୍ମୟ ମଧ୍ୟ କହିଛନ୍ତି ସେମିତି ଟଙ୍କାର କୌଣସି ଆବଶ୍ୟକତା ନ ଥିଲା। ତେଣୁ ଏଭଳି ପରିସ୍ଥିତିରେ ପୁଲିସ ସନ୍ଦେହ କରୁଛି କି ଉନ୍ମୟଙ୍କୁ କେହି ସେହି ଭାଇରାଲ ଭିଡିଓ ଦେଖାଇ ବ୍ଲାକମେଲ୍‌ କରିବା ସହିତ ଟଙ୍କା ନେଇଛି। ଆଉ ସେହି ଟଙ୍କାରେ ଉନ୍ମୟଙ୍କୁ ସୁପାରି ଦିଆ ଯାଇ ହତ୍ୟା କରାଯାଇଛି।

ଲାଲ୍‌ ରଙ୍ଗର କାର୍‌ରେ ନଦୀପଠାକୁ କିଏ ଆସିଥିଲେ?
ଆଜି ପୁଲିସ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି। ସଂପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି, ନହରକଣ୍ଟା ନଦୀପଠାରେ ଘଟଣାଦିନ ରାତିରେ ଏକ ଲାଲ୍‌ ରଙ୍ଗର କାର୍‌ ଥୁଆ ହୋଇଥିଲା। ସେହି କାର୍‌ ପାଖରେ ଜଣେ ଯୁବତୀ ଠିଆ ହୋଇଥିଲେ। ତେଣୁ ପୁଲିସ ମନରେ ପ୍ରଶ୍ନ ଉଠିଛି, ସେହି ଯୁବତୀ ଜଣକ କିଏ, ଯିଏ ଉନ୍ମୟଙ୍କୁ ହତ୍ୟା ପରେ ଶବକୁ ପୋଡ଼ା ଯାଉଥିବାବେଳେ ଉପସ୍ଥିତ ଥିଲେ। ଏହି ସମୟରେ କାର ଭିତରେ କିଏ କିଏ ଥିଲେ ତାହା ଜାଣିବା ଲାଗି ମଧ୍ୟ ତଦନ୍ତ ଚାଲିଛି। ଏହା ଜଣା ପଡ଼ିବା ପରେ ଡିସିପି ସତ୍ୟବ୍ରତ ଭୋଇ, ସ୍ପେସାଲ୍‌ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ, ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର ପ୍ରମୁଖ ପୁଣି ଥରେ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଛନ୍ତି।

ଗୁମର ଫିଟାଇଲା ହୋଟେଲର ସିସିଟିଭି ଫୁଟେଜ୍‌
ହତ୍ୟାକାଣ୍ଡର ଦୁଇ ଦିନ ତଳେ ଉଭୟ ଯୁବତୀ ଓ ଉନ୍ମୟ ଏଚ୍‌ଏଚ୍‌ଆଇ ହୋଟେଲରେ ଦୁଇ ଦିନ କାଳ ରହିଥିଲେ। ଏପରିକି ଦୁହେଁ ସେହି ହୋଟେଲରେ ରାତି ମଧ୍ୟ ବିତାଇଥିଲେ। ହୋଟେଲର ରେଜିଷ୍ଟରରେ ଦୁହେଁ ପତିପତ୍ନୀ ବୋଲି ଉଲ୍ଲେଖ ମଧ୍ୟ କରିଛନ୍ତି। ଦୁଇ ଦିନ ତଳେ ମଞ୍ଚେଶ୍ୱର ଥାନା ପୁଲିସ ଏଚ୍‌ଏଚ୍‌ଆଇ ହୋଟେଲରେ ଚଢ଼ଉ କରି ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଓ ରେଜିଷ୍ଟର ଜବତ କରିଛି। ହୋଟେଲ କର୍ମଚାରୀମାନେ ମଧ୍ୟ କହିଛନ୍ତି ଦୁହେଁ ହୋଟେଲରେ ଥିଲେ ବୋଲି। କିନ୍ତୁ ଯୁବତୀ ହତ୍ୟାକାଣ୍ଡ ପରଠାରୁ ପୁଲିସକୁ କହି ଆସୁଛନ୍ତି କି, ସେ ଗାଁରେ ଥିଲେ। ଉନ୍ମୟଙ୍କ ସହିତ ତାଙ୍କର ପୂର୍ବରୁ କେବେ ଦେଖା ସାକ୍ଷାତ ବି ହୋଇନାହିଁ।

ଯୁବତୀଙ୍କ ହାତରେ ମେହେନ୍ଦିକୁ ନେଇ ଖୋଳତାଡ଼

ଉନ୍ମୟଙ୍କ ପାଦରେ ଅଲତା ଥିବା ଶବ ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା। ଉନ୍ମୟ ଅବିବାହିତ ଥିବାବେଳେ ସେ କେଉଁ ପରିସ୍ଥିତିରେ ସେ ପାଦରେ ଅଳତା ପିନ୍ଧିଥିଲେ ତାହା ପୁଲିସକୁ ସନ୍ଦେହରେ ପକାଇ ଦେଇଥିଲା। ଯାହା ଜଣା ପଡ଼ୁଥିଲା ସେ କେଉଁଠି ବିବାହ କରିଛନ୍ତି, ନଚେତ କେହି ତାଙ୍କୁ ଜବରଦସ୍ତ ବିବାହ କରାଇଛି। ଏଭଳି ପରିସ୍ଥିତିରେ ଆଜି ପୁଲିସ ଦେଖିବାକୁ ପାଇଛି ସଂପୃକ୍ତ ଯୁବତୀଙ୍କ ପାଦରେ ରଙ୍ଗ ଓ ହାତରେ ମେହେନ୍ଦି ଲାଗିଛି। ତେଣୁ ଯୁବତୀ ଜଣକ କାହିଁକି ଓ କେଉଁଠି ନିଜ ହାତରେ ମେହେନ୍ଦି କଲେ ତାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର