ଡାଉନ୍‌ ସିନ୍‌ଡ୍ରୋମ୍‌: ଚିକିତ୍ସା ଓ ନିରାକରଣ

ଆଜି ‘ବିଶ୍ବ ଡାଉନ୍‌ ସିନ୍‌ଡ୍ରୋମ୍‌ ଦିବସ’

ମଣିଷ ଶରୀର ୨୩ଯୋଡ଼ା କ୍ରୋମୋଜମ୍‌ରେ ଗଠିତ। ଏହି କ୍ରୋମୋଜମ୍‌ ସମୂହ ଅନେକଗୁଡ଼ିଏ ଜିନ୍‌ ସମାରୋହରୁ ସୃଷ୍ଟି, ଯାହାର ଶରୀର ବୃଦ୍ଧି ଓ ବିକାଶରେ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଭ୍ରୂଣ ସୃଷ୍ଟି ସମୟରେ, କେତେକ କ୍ଷେତ୍ରରେ କ୍ରୋମୋ‌ଜମ୍‌ର ଅତ୍ୟଧିକ କ୍ରମଃ ବିକାଶ ତଥା ଅସଜଡ଼ା ବିଭାଜନ ଯୋଗୁଁ ନବଜାତକର ଶାରୀରିକ ତ୍ରୁଟି ଓ ବୌଦ୍ଧିକ ବିକାଶରେ ଅପାରଗତା ପରିଲକ୍ଷିତ ହୁଏ। ଏହି ବ୍ୟତିକ୍ରମ ୨୧ ନମ୍ବର କ୍ରୋମୋଜମ୍‌ର ସାଂଗଠନିକତା ତ୍ରୁଟିରୁ ହେଉଥିବାରୁ ଏହାକୁ ମଧ୍ୟ ‘ଟ୍ରାଇଜେମିନ୍‌ ୨୧’ ନାମରେ ନାମିତ କରାଯାଇଛି। ଏହା ହିଁ ମୂଳତଃ ଡାଉନ୍‌ ସିନ୍‌ଡ୍ରୋମ୍‌।

ଏହି ସମସ୍ୟା ଇଂରେଜ ଭେଷଜ ବିଜ୍ଞାନୀ ଜନ୍‌ ଲାଙ୍ଗ୍‌ଡନ୍‌ଙ୍କ ଦ୍ବାରା ପ୍ରଥମେ ୧୮୬୨ ମସିହାରେ ନିରୂପିତ ହୋଇଥିଲା। ଏବେ ଏହାର ଭୟାବହତା ଖୁବ୍‌ ବଢ଼ି ଯାଇଛି। ପ୍ରାୟ ୧ ହଜାର ଶିଶୁରେ ଜଣେ ଏହି ତ୍ରୁଟିର ଶିକାର ହେଉଥିବା ବେଳେ, ସମୁଦାୟ ଜନ୍ମଗତ ତ୍ରୁଟିର ୮% ହେଉଛନ୍ତି ଡାଉନ୍‌ ସିନ୍‌ଡ୍ରୋମ୍‌। ଭାରତରେ ପ୍ରତିବର୍ଷ ୨୩ ହଜାରରୁ ୨୯ ହଜାର ଶିଶୁ ଏହି ସମସ୍ୟା ସହ ଜନ୍ମ ନେଇଥାନ୍ତି, ଯାହା ବିଶ୍ବର ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଏହି ସମସ୍ୟାର ଭୟାବହତା ଉପଲବ୍ଧି କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨୦୦୬ ମସିହାଠାରୁ ମାର୍ଚ୍ଚ ୨୧ ତାରିଖକୁ ‘ବିଶ୍ବ ଡାଉନ୍‌ ସିନ୍‌ଡ୍ରୋମ୍‌ ଦିବସ’ ଭାବେ ପାଳନ କରିଆସୁଛି। ଡାଉନ୍‌ ସିନ୍‌ଡ୍ରୋମ୍‌ ସମସ୍ୟାକୁ ଶିଶୁର ବାଲ୍ୟାବସ୍ଥାରୁ ଖୁବ୍‌ ଭଲ ଭାବେ ଚିହ୍ନଟ କରିହୁଏ। ଶିଶୁର ଶାରୀରିକ ଗଠନ ଓ ଚାଲିଚଳଣିରେ ଅସ୍ବାଭାବିକ ଲକ୍ଷଣ ପରିଲକ୍ଷିତ ହୁଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରୁ ଚେପ୍‌ଟା ନାକ ଓ ମୁହଁ, ଆଲ୍‌ମଣ୍ଡ୍‌ ଆକୃତି ଭଳି ଆଖି, ଛୋଟ ବେକ, ଛୋଟ ହାତ ଓ ପାଦ ସମେତ ଜିଭ ବାହାରକୁ ବାହାରିବା ଭଳି ଶାରୀରିକ ଲକ୍ଷଣ ପ୍ରକାଶ ପାଏ। ଅନେକ କ୍ଷେତ୍ରରେ ହାତ ଓ ପାଦରେ ଗ‌ାରଗାର ଶିରା ପଡ଼ିଥିବା ଭଳି ଜଣାପଡ଼ୁଥିବା ବେଳେ ଆଙ୍ଗୁଠି ସମୂହ ଏକ ପ୍ରକାରର ଓ ଫାଙ୍କା ଫାଙ୍କା ଥିବା ଭଳି ଜଣାପଡ଼େ। ଅନେକ ଡାଉନ୍‌ ସିନ୍‌ଡ୍ରୋମ୍‌ଗ୍ରସ୍ତ ଶିଶୁଙ୍କଠାରେ ହୃଦରୋଗ, କ୍ଷୁଦ୍ରତନ୍ତ୍ର ରୋଗ, ଶ୍ରବଣ ଓ ଦୃଷ୍ଟିଦୋଷ ଓ ଥାଇରଏଡ୍ ସମସ୍ୟା ଆଦି ଦେଖାଯାଏ। ୨୧ ନମ୍ବର କ୍ରୋମୋଜମ୍‌ର ସଂଯୋଜନାରେ ତ୍ରୁଟି ଯୋଗୁଁ ଏହି ସମସ୍ୟା ହେଉଥିବା ବେଳେ ଅଧିକ ବୟସରେ ମାତୃତ୍ବ ଏହାର ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ୩୫ ବର୍ଷରୁ ଅଧିକ ବୟସରେ ଗର୍ଭଧାରଣରେ ଶିଶୁଙ୍କଠାରେ ଏହି ସମସ୍ୟା ଦେଖିଯାଉଥିବାର ଗବେଷଣାରୁ ଜଣାଯାଏ।

ଗର୍ଭଧାରଣ କରିଥିବା ମା’ର ଗର୍ଭାଶୟ ପରୀକ୍ଷଣ, ମା’ର ରକ୍ତ ନମୁନା, ଶିଶୁ ଶରୀରସ୍ଥ ଆମ୍‌ନେଟିକ୍‌ ଫ୍ଲୁଇଡ୍‌, ନାଭିନାଡ଼, ରକ୍ତ ପରୀକ୍ଷା ସମେତ ଅଲ୍‌ଟ୍ରାସାଉଣ୍ଡ୍‌ ଓ ଟ୍ରିପିଲ୍‌ ମାର୍କର୍‌ ଟେଷ୍ଟ୍‌ ଦ୍ବାରା ଏହି ସମସ୍ୟାର ପରୀକ୍ଷଣ ସମ୍ଭବ। ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଉପରି ଭାଗରେ ପାଣି ଜମାଟ ଥିବାର ଲକ୍ଷଣ ଅଲ୍‌ଟ୍ରାସାଉଣ୍ଡ୍‌ ଟେଷ୍ଟ ଜରିଆରେ ପ୍ରାୟ ନିଶ୍ଚିନ୍ତ ହୋଇଥାଏ। ସମ୍ଭାବ୍ୟ ସମସ୍ୟାକୁ ଆଖି ଆଗରେ ରଖି ଗର୍ଭପାତ ମଧ୍ୟ ଆଇନ୍‌ସମ୍ମତ। ଡାଉନ୍‌ ସିନ୍‌ଡ୍ରୋମ୍‌ ପିଲାଠାରେ ମାନସିକ ଅନଗ୍ରସରତାର ଲକ୍ଷଣ ବି ଦେଖାଦେଇଥାଏ, ସେମାନଙ୍କର ପଢ଼ା‌ ଲେଖାରେ ଖୁବ୍‌ ଦୁର୍ବଳତା ରହିଥାଏ। ଏଣୁ ଏହି ଦିବ୍ୟାଙ୍ଗତା ପାଇଁ ଡାକ୍ତରୀ ଚିକିତ୍ସା ସମେତ ସ୍ପିଚ୍‌ ଥେରାପି, ଅକ୍ୟୁପେସ୍‌ନାଲ୍‌ ଥେରାପି, ଫିଜିଓଥେରାପି, ଆଦି ଟ୍ରେନିଂର ଆବଶ୍ୟକତା ରହିଥାଏ। ରିହାବିଲିଟେସନ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପଞ୍ଜିକୃତ ଅଭିଜ୍ଞ ପ୍ରଶିକ୍ଷକ ଓ ଥେରାପିଷ୍ଟ ଏହି ସମସ୍ୟାରହିତ ଶିଶୁଙ୍କ ସାମଗ୍ରିକ ବିକାଶ ଦଗ‌ରେ ଅନେକ କାର୍ଯ୍ୟ କରିଥା’ନ୍ତି। ଆବଶ୍ୟକ ପରାମର୍ଶ ସହିତ ଆଶୁ ନିରାକରଣରେ ଏହି ସମସ୍ୟାର ସମାଧାନ ସମ୍ଭବ।
ପ୍ରଫେସର ଶିବପ୍ରସାଦ ସାହୁ,
ଶ୍ରବଣ ଓ ବାକ୍‌ ଚିକିତ୍ସକ

ସମ୍ବନ୍ଧିତ ଖବର