ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ସୁବର୍ଣ୍ଣ ଜୟନ୍ତୀ ‘ପ୍ରତିଯୋଗିତା ନୁହେଁ, ସହଭାଗିତା ଜରୁରି’

ଭୁବନେଶ୍ୱର: ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ଉତ୍ତମ ସେବା ଯୋଗାଇବାରେ ସରକାର ସଫଳ ମଧ୍ୟ ହୋଇଛନ୍ତି। କିନ୍ତୁ ହୋମିଓପାଥି ଚିକିତ୍ସା ଯେତିକି ଆଗେଇବା କଥା ତାହା ଆଗେଇ ପାରିନାହିଁ। ଏଥିପାଇଁ ସରକାର ଦୃଢ଼ମନା ହେବା ସହ ହୋମିଓପାଥି ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଅଧିକ ଆଗ୍ରହ ରହିବା ଜରୁରି। ହୋମିଓପାଥି ଆଗକୁ ଯିବାକୁ ହେଲେ କ’ଣ କରାଯିବା ଉଚିତ୍‌ ତାହା ଉପରେ ଅନୁଷ୍ଠାନର କର୍ତ୍ତୃପକ୍ଷ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

ଆଜି ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ ପରିସରରେ ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ‌ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ହୋମିଓପାଥିର ଲୋକପ୍ରିୟତା ପାଇଁ ଅନୁଷ୍ଠାନ ତଥା ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଆହ୍ବାନ କରିଥିଲେ। ଏହି ଅବସରରେ ଖାଲି ପଡ଼ିଥିବା ଆୟୁଷ ନିର୍ଦେଶକ ପଦ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଲେ, ଲୋକ କମ୍‌ ସମୟ ଅର୍ଥାତ ଶୀଘ୍ର ସୁସ୍ଥ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ଏଲୋପ୍ୟାଥି ତୁଳନାରେ ହୋମିଓପାଥି ଓ ଆୟୁର୍ବେଦ ଚିକିତ୍ସା ପଛରେ ପଡ଼ି ଯାଇଛି। ୨୦ ବର୍ଷ ହେଲା ନୂଆ ଆଣ୍ଟି ବାୟୋଟିକ୍‌ ଆସିନାହିଁ। ଆଣ୍ଟି ଟିବି ଔଷଧ ମଧ୍ୟ ଆସିନାହିଁ। ଅର୍ଥାତ୍‌ ଗବେଷଣାର ମାନ କମି କମି ଯାଉଛି। ଫଲୋଅପ୍‌ ହେଉ ନାହିଁ କିମ୍ବା ଆଶାନୁରୂପ ଫଳ ମିଳୁ ନାହିଁ। ଗୋଟିଏ ପଟେ ଆମେ ଚିକିତ୍ସାର ସବୁ ପ୍ରଣାଳୀ(ଆୟୁର୍ବେଦ, ହୋମିଓପାଥି, ଏଲୋପାଥି)କୁ ସମାନ ଭାବରେ ବିବେଚନା କରୁଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ରୋଗ ପାଇଁ ଆମେ ଏଲୋପାଥିକୁ ଭରସା କରିବାକୁ ବାଧ୍ୟ ହେଉଛୁ। ଏହାସତ୍ତ୍ବେ ହୋମିଓପ୍ୟାଥି, ଏଲୋପାଥି ଓ ଆୟୁର୍ବେଦ ଭିତରେ ଏବେ ପ୍ରତିଯୋଗିତା ଚାଲିଛି। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏହି ବ୍ୟବସ୍ଥା ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ନୁହେଁ, ବରଂ ସହଭାଗିତାର ଆବଶ୍ୟକତା ରହିଛି ବୋଲି ଡା. ମହାପାତ୍ର ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭୁବନେଶ୍ବର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା ଯୋଗଦେଇ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବରେ ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଥିବା ବେଳେ ପୁରାତନ ଅନୁଷ୍ଠାନଗୁଡ଼ିକ ସେହି ଅନୁପାତରେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସ୍ବର୍ଣ୍ଣ ଜୟନ୍ତୀ ସ୍ମାରକୀ ସ୍ତମ୍ଭ, ଇ-ହସ୍‌ପିଟାଲ ପ୍ରୋଜେକ୍ଟ ଓ ସ୍ମରଣିକା ‘ସ୍ବର୍ଣ୍ଣିମ’କୁ ଉନ୍ମୋଚିତ କରିଥିଲେ। ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. କମଳାକାନ୍ତ କରଙ୍କ ସମେତ ୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତି ସଭାପତି ଡା. ନିର୍ମଳ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟକ୍ଷ ଡା. ସୁଧୀର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ସାଂଗଠନିକ ସମ୍ପାଦକ ଡା. ଜୀବନ କୃଷ୍ଣ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଆୟୋଜକ କମିଟିର ଅର୍ଥ ସମ୍ପାଦକ ଡା. ରାଜେନ୍ଦ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥି‌ଲେ। ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର