ବିନା ଅନୁମତିରେ କିଣା ହୋଇଛି ୩ ଲକ୍ଷ ଟଙ୍କାର ଚେୟାର ଟେବୁଲ

ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ କଲେଜ ଆଣ୍ଡ ହସ୍ପିଟାଲରେ ବିବାଦ

ଭୁବନେଶ୍ୱର : ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ କଲେଜ ଆଣ୍ଡ ହସ୍ପିଟାଲରେ କିଣା ଯାଇଥିବା କ୍ଲାସରୁମ୍‌ ଚେୟାର ଟେବୁଲକୁ ନେଇ ବିବାଦ ଦେଖାଦେଇଛି। ଆୟୁଷ ନିର୍ଦେଶାଳୟର ବିନା ଅନୁମତିରେ କଲେଜର ପରଚେଜ୍‌ କମିଟି ୩ଲକ୍ଷ ଟଙ୍କାର ଚେୟାର ଟେବୁଲ କିଣିଥିବା ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏପରିକି ଆୟୁଷ ନିର୍ଦେଶକ ଏଥିପାଇଁ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ତେବେ ଏହା ଉପରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ।

ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ କଲେଜରେ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଚେୟାର ଟେବୁଲ କିଣା ଯାଇଥିଲା। ଏଥିପାଇଁ ୩ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଥିଲା କଲେଜର ପରଚେଜ୍‌ କମିଟି। ଚେୟାର ଟେବୁଲ ଯୋଗାଇବା ପାଇଁ ଟେଣ୍ଡର୍‌ ନେଇଥିବା କମ୍ପାନି ଜିନିଷ ଯୋଗାଇ ଦେଇଥିଲା। ତେବେ ଗତ ସେପ୍ଟେମ୍ବର ମାସରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ୪ଟି ହୋମିଓପାଥିକ୍‌ କଲେଜରେ ଫର୍ଣ୍ଣିଚର ଯୋଗାଇବା ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ତେବେ ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ କଲେଜରେ ପୂର୍ବରୁ ଏଥିପାଇଁ ଫର୍ଣ୍ଣିଚର୍‌ କିଣା ଯାଇଥିବା ଜଣା ପଡ଼ିଥିଲା। ଯାହାକୁ ନେଇ ପରେ ବିବାଦ ଦେଖା ଦେଇଥିଲା। ବିବାଦ ସୃଷ୍ଟି ହେବା ପରେ ଏହାକୁ କେଉଁଠାରେ ବ୍ୟବହାର କରାଯିବ, ତାହାକୁ ନେଇ କଲେଜ କର୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ଏବେ ବି କିଣା ଯାଇଥିବା ଚେୟାର ଟେବୁଲ କଲେଜରେ ପଡ଼ି ରହିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲେଜର କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଆୟୁଷ ନିର୍ଦେଶାଳୟର ବିନା ଅନୁମତିରେ ଏଭଳି କିଣାକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ ହୋଇଛି। କଲେଜରେ ଏଭଳି ଜିନିଷର କିଣା ପାଇଁ ଆୟୁଷ ନିର୍ଦେଶାଳୟର ଅନୁମତି ନେବାର ଆବଶ୍ୟକତା ରହିଛି। ମାତ୍ର ଏଥିପାଇଁ ଅନୁମତି ନିଆଯାଇନାହିଁ। ଏଭଳି ଘଟଣା ନଜରକୁ ଆସିବା ପରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ କଲେଜ ଅଧ୍ୟକ୍ଷକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ପରେ କଲେଜ ଅଧ୍ୟକ୍ଷ ମଧ୍ୟ ପରଚେଜ୍‌ କମିଟିର ମୁଖ୍ୟ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। କିଛି ଦିନ ତଳେ ଅଧ୍ୟକ୍ଷ ଆୟୁଷ ନିର୍ଦେଶାଳୟ ନିକଟରେ ଏହାର ଜବାବ ରଖିଥିବା ଜଣାପଡ଼ିଛି। ତେବେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

କଲେଜର ଅଧ୍ୟକ୍ଷ ସୁଧୀର କୁମାର ଦାସ କହିଛନ୍ତି, ସେ ଅଧ୍ୟକ୍ଷ ହେବା ପୂର୍ବରୁ ଏହି ଚେୟାର ଟେବୁଲ କିଣା ଯାଇଥିଲା। ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ଇପିଏମ୍‌ ରେଟ୍‌ ଜରିଆରେ ଏହି ଜିନିଷ କିଣାଯାଇଛି। ତେବେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ର ଜବାବ ଦିଆଯାଇଥିବା ଶ୍ରୀ ଦାସ କହିଛନ୍ତି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ନିର୍ଦେଶକ ଗୋପବନ୍ଧୁ ଶତପଥୀ କହିଛନ୍ତି, ଡା. ଅଭିନ୍ନ ଚନ୍ଦ୍ର କଲେଜରେ ବିନା ଅନୁମତିରେ ଚେୟାର ଟେବୁଲ କିଣା ଯାଇଥିବା ନଜରକୁ ଆସିଥିଲା। ଏଥିପାଇଁ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ତାହାର ସେ ଜବାବ ଦେଇଛନ୍ତି। ତେବେ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ନିକଟରେ ରାଜ୍ୟର ୪ଟି ହୋମିଓପ୍ୟାଥିକ କଲେଜ ପାଇଁ ଯେଉଁ ଟେଣ୍ଡର ଆହ୍ଵାନ କରାଯାଇଛି ସେଥିରେ ଅଭିନ ଚନ୍ଦ୍ର କଲେଜ ଉପରେ କେଉଁ ପଦକ୍ଷେପ ନିଆଯିବ ତାହା ସ୍ଥିର ହୋଇ ନ ଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର