ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲ : ୨ ଔଷଧର ମାତ୍ରାଧିକ ବ୍ୟବହାର ନେଇ ସନ୍ଦେହ

ରୋଗୀ ନୁହେଁ ଭୋଗୀ ନେଉଥିଲେ

ଭୁବନେଶ୍ବର : ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ଔଷଧ ପରିଚାଳନା ଓ ରକ୍ଷଣାବେକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି। ଅଡିଟ୍‌ ସମୟରେ ୨ଟି ଔଷଧର ମାତ୍ରାଧିକ ବ୍ୟବହାର ହୋଇଥିବା ଜଣାପଡ଼ିଛି। କେବଳ ଔଷଧର ବ୍ୟବହାର ନୁହେଁ, ଷ୍ଟକ୍ ରେଜିଷ୍ଟ୍ରାରକୁ ଠିକ୍‌ ଭାବେ ବଜାୟ ରଖିବା ଓ ‌ଯେଉଁ ଔଷଧ ଯୋଗାଣ ହୋଇଛି ତହିଁରେ ତାଳମେଳ ନ ଥିବା ଅଡିଟ୍‌ ଧରିଛନ୍ତି। ଅପରପକ୍ଷରେ ଏହା ପୂର୍ବର ଅଡିଟ୍‌ ଓ ଏବେ ସବୁ ଠିକ୍ ଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।

ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଲଫାଫା ଓ ଆଭେନି ସାଟିଭାର ମାତ୍ରାଧିକ ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି। ରୋଗୀଙ୍କ ବଦଳରେ ଭୋଗୀଙ୍କୁ ଔଷଧ ଦିଆଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଔଷଧକୁ ବହୁ ପରିମାଣରେ କିଣାଯିବା ସହିତ ଏହାର ମନଇଚ୍ଛା ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ଦିନ ହସ୍ପିଟାଲରେ ଅନ୍ୟ ଔଷଧ ହାରାହାରି ଯେତିକି ପରିମାଣର ବ୍ୟବହାର ହେଉଥିଲା, ତାହା ତୁଳନାରେ ଏହି ଦୁଇ ଔଷଧ ଅଧିକ ୨/୩ ଫାଇଲ ‌ବ୍ୟବହାର ହେଉଥିବା ଅଡିଟର ପ୍ରଶ୍ନ ଉଠାଇଛନ୍ତି। କେଉଁ ପରିସ୍ଥିତିରେ ଏହି ଦୁଇ ଔଷଧ ଏତେ ପରିମାଣର ବ୍ୟବହାର ହେଉଛି, ତାହା ସନ୍ଦେହ ସୃଷ୍ଟି କରିଛି। ସେହିପରି କାଲମେଗ୍ କ୍ୟୁ ଔଷଧର ଷ୍ଟକ୍‌କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଔଷଧର ୨ଶହ ଫାଇଲ ଯୋଗାଣ ହୋଇଥିବା ବେଳେ ଷ୍ଟକ୍ ରେଜିଷ୍ଟ୍ରାରରେ କିନ୍ତୁ ୪୦ ଫାଇଲ ସଂପର୍କରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ଏହାସହ ଯେଉଁସବୁ ଔଷଧର ରେଜିଷ୍ଟ୍ରାରରେ ସାମିଲ କରାଯାଇଛି, ସେଥିରେ ମେଡିକାଲ ଅଧିକାରୀଙ୍କ ଦସ୍ତଖତ ନାହିଁ। ଫଳରେ କେତେ ଔଷଧ ଆସିଛି ଓ କେତେ ଖର୍ଚ ହୋଇଛି ଏଥିରେ ସତ୍ୟତା କେତେ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି। ଔଷଧର ଯେଉଁ ଷ୍ଟକ୍ ରହିଛି ତାହିଁରୁ ଔଷଧ ଅସ୍ବାଭାବିକ ଭାବେ ହଟାଇ ଦିଆଯିବା ନେଇ ମଧ୍ୟ ଅଡିଟ୍‌ରେ ସନ୍ଦେହ ପ୍ରକାଶ ପାଇଛି। ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜର ଅଧ୍ୟକ୍ଷ ଡା. ସୁଧୀର ଦାସଙ୍କ କହିବା ଅନୁସାରେ, ହସ୍ପିଟାଲରେ ଔଷଧର ଷ୍ଟକ୍ ରେଜିଷ୍ଟ୍ରାର ଠିକ୍‌ ଭାବେ ବଜାୟ ରଖାଯାଇଛି। ଯେଉଁ ଦୁଇ ଔଷଧ କଥା ଅଡିଟ୍‌ରେ ଦର୍ଶାଯାଇଛି ତାହା ପୁରୁଣା ଅଡିଟ୍‌। ଏବେ ସବୁକିଛି ଠିକ୍ ଚାଲିଛି ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କେବଳ ଔଷଧ ନୁହେଁ ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜରେ ପୂର୍ବରୁ ଅନେକ ଆସବାବପତ୍ର କିଣାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା। କ୍ରୟ କମିଟିର ବିନା ଅନୁମୋଦନରେ ଲକ୍ଷାଧିକ ଟଙ୍କାର ଟେବୁଲ ଚେୟାର କିଣାଯାଇଥିଲା। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର