ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ୍‌ : ୧୦ବର୍ଷ ପରେ ମିନି ଫାର୍ମାସିରେ ହେଲା ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର : ନିର୍ମାଣର ୧୦ବର୍ଷ ପରେ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ମିନି ଫାର୍ମାସିରେ ଶେଷରେ ବିଦ୍ୟୁତ ସଂଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ସହୟତାରେ ନିର୍ମାଣ ହୋଇଥିବା ଏହି ମିନି ଫାର୍ମାସିକୁ ବିଦ୍ୟୁତ ସଂଯୋଗ କରିବାକୁ ନେଇ କଲେଜ କର୍ତୃପକ୍ଷ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ମାତ୍ର ବିଦ୍ୟୁତ ସଂଯୋଗ କରିବାକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ନିକଟରେ ଏଥିପାଇଁ ସ୍ୱତନ୍ତ୍ରଭାବେ ୩-ଫେଜ୍‌ ବିଦ୍ୟୁତ ସଂଯୋଗ ସହିତ ଟ୍ରାନ୍‌ସଫର୍ମର ଲଗାଯାଇଛି। ଆଉ କିଛିଦିନ ପରେ ଏହାର ଉଦ୍‌ଘାଟନ ହେବ ବୋଲି ଜଣାପଡ଼ିଛି।

୨୦୦୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜରେ ଏକ ମିନି ଫାର୍ମାସି ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା। ରାଜ୍ୟ ଶିଳ୍ପ ନିଗମ ଜରିଆରେ ଏହାର ନିର୍ମାଣ କରାଯାଇଥିଲା। ଏଥିପାଇଁ ନିଗମକୁ ମିଳିଥିବା ୧କୋଟି ୮୮ଲକ୍ଷ ଟଙ୍କାରୁ ୭୮ଲକ୍ଷ ଟଙ୍କା ବିଲ୍ଡିଂର ନିର୍ମାଣ ଓ ବଳକା ୧କୋଟି ୧୦ଲକ୍ଷ ଟଙ୍କାରେ ଆବଶ୍ୟକ ମେସିନ୍‌ ଓ ଉପକରଣ କିଣା ଯାଇଥିଲା। ମାତ୍ର ଏହି ନୂତନ ବିଲ୍ଡିଂକୁ ସ୍ୱତନ୍ତ୍ରଭାବେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ମେସିନ୍‌ ଚାଲିବା ନେଇ ସମସ୍ୟା ଉପୁଜିଥିଲା। ଔଷଧ ପ୍ରସ୍ତୁତି ପାଇଁ ମିନି ଫାର୍ମାସିକୁ ଉତ୍ତମ ଉତ୍ପାଦନ ପ୍ରକ୍ରିୟା ବା ଜିଏମ୍‌ପି ସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି। ଏହି ସାର୍ଟିଫିକେଟ୍‌ ପାଇବାକୁ ହେଲେ ଫାର୍ମାସି କାର୍ଯ୍ୟକ୍ଷମ ହେବା ସହିତ ଏହା ଭିତରେ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ମିନି ଫାର୍ମାସିରେ ଏକାଧିକ ଏ.ସି ସମେତ ଏସି ହ୍ୟାଣ୍ଡେଲିଂ ୟୁନିଟ୍‌ ବା ଏସିଏଚ୍‌ଓ ଲାଗିଛି। ତେଣୁ ଅତ୍ୟାଧୁନିକ ମେସିନ୍‌ ଚଳାଇବା ପାଇଁ ମିନି ଫାର୍ମାସିକୁ ୩-ଫେଜ୍‌ ବିଦ୍ୟୁତ ସଂଯୋଗର ଆବଶ୍ୟକତା ରହିଥିଲା।

ସ୍ୱତନ୍ତ୍ରଭାବେ ବିଦ୍ୟୁତ ସଂଯୋଗ କରିବା ପାଇଁ କଲେଜ କର୍ତୃପକ୍ଷ ସେସୁ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏପରିକି ଏଥିପାଇଁ ଆବଶ୍ୟକ ଟଙ୍କା ମଧ୍ୟ ପଇଠ କରାଯାଇଥିଲା। ପରବର୍ତୀ ସମୟରେ ଜିଇଡିର ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟର ଏହାର ତଦାରଖ କରିଥିଲେ। ଏହାସତ୍ୱେ ମଧ୍ୟ ବିଦ୍ୟୁତ ସଂଯୋଗରେ ବିଳମ୍ବ ହୋଇଥିଲା। ତେବେ ଗତମାସ ୨୪ତାରିଖରେ ସେସୁ ପକ୍ଷରୁ ୧୦୦କେଭିଏ ସହିତ ଏକ ସବ୍‌-ଷ୍ଟେସନ୍‌ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିଲା। ଏସ୍‌ଡିଓ-୨ଙ୍କୁ ସେସୁ କାର୍ଯ୍ୟାଳୟରୁ ଏଥିପାଇଁ ଚିଠି ଦିଆଯିବା ପରେ ନିକଟରେ ବିଦ୍ୟୁତ୍‌ ସଂଯୋଗ ହୋଇଛି।
ଅପରପକ୍ଷରେ ମିନି ଫାର୍ମାସିରେ ଥିବା ମେସିନ୍‌ ଚଳାଇବା ପାଇଁ ଜଣେ ଇଲେକ୍ଟ୍ରିସିଆନ୍‌ ଓ ଆଉ ଜଣେ ମେକାନିକାଲ ଟେକ୍‌ନିସିଆନ୍‌ଙ୍କ ଆବଶ୍ୟକତା ରହିଛି। ତାହା ମଧ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇନାହାନ୍ତି। ସରକାରଙ୍କ ପକ୍ଷରୁ କର୍ମଚାରୀ ନିଯୁକ୍ତ ହେବା ପରେ ଫାର୍ମାସି କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର