ଭୁବନେଶ୍ୱର : ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି। ଡାକ୍ତରଜଣକ ନିୟମିତ ଭାବେ ଏକ ଓପିଡି (ବହିର୍ବିଭାଗ)ରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏଭଳି ପରିସ୍ଥିତିରେ ସଂପୃକ୍ତ ଡାକ୍ତର ସଂକ୍ରମିତ ହେବାକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ଅନୁସାରେ, ସଂପୃକ୍ତ ଡାକ୍ତରଜଣଙ୍କ ବ୍ୟକ୍ତିଗତ କାରଣ ପାଇଁ ୨/୩ଦିନ ପୂର୍ବରୁ ହସ୍ପିଟାଲକୁ ଆସୁ ନଥିଲେ। ଏହି ସମୟରେ ସେ ନିଜର ସ୍ବାବ୍ ପରୀକ୍ଷା କରିଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଡାକ୍ତର ଜଣକ ସଂକ୍ରମିତ ହେବା ପରେ ମଧ୍ୟ ହସ୍ପିଟାଲରେ ପୂର୍ବଭଳି ଓପିଡି ଜାରି ରହିବାକୁ ନେଇ ଡାକ୍ତର ଓ କର୍ମଚାରୀମାନେ ପ୍ରଶ୍ନ ପଠାଇଛନ୍ତି। ହସ୍ପିଟାଲ ଓ କଲେଜକୁ ସଂପୂର୍ଣ୍ଣ ବିଶୋଧନ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଓ ଓପିଡିକୁ ଅତିକମ୍‌ରେ ୪୮ଘଣ୍ଟା ପାଇଁ ବନ୍ଦ ରଖିବା ଲାଗି ସେମାନେ ଦାବି କରିଛନ୍ତି। ରାଜଧାନୀର ଅନ୍ୟ ସରକାରୀ ହସ୍ପିଟାଲର କୌଣସି ୱାର୍ଡରେ ସଂକ୍ରମିତ ଚିହ୍ନଟ ହେଲେ ସେସବୁ ୱାର୍ଡକୁ ସଟ୍‌ଡାଉନ୍‌ କରାଯାଉଥିବା ବେଳେ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ୍‌ରେ କାହିଁକି ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।

ଏ ସଂପର୍କରେ ଡା.ଅଭିନ ଚନ୍ଦ୍ର ‌ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା.ସୁଧୀର ଦାସଙ୍କ ସହିତ ଯୋଗାଯୋଗ କରାଯାଇଥି‌ଲେ ହେଁ, କୌଣସି ଉତ୍ତର ମିଳି ପାରିନାହିଁ।