ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ: ସର୍ଜରି, ପାଥୋଲୋଜି ବିଭାଗରେ ଅଚଳାବସ୍ଥା

ଅଧ୍ୟାପକ ନାହାନ୍ତି, ପାଠପଢ଼ା ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରି ଓ ପାଥୋଲୋଜି ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ଦୁଇ ବିଭାଗରେ ଅଧ୍ୟାପକ ପଦ ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାଘାତ ‌ହୋଇଛି। କେବଳ ଏହି ଦୁଇ ବିଭାଗ ନୁହେଁ, ଅନ୍ୟ ବିଭାଗରେ ମଧ୍ୟ ଅଧ୍ୟାପକ ପଦ ବର୍ଷ ବର୍ଷ ଧରି ଖାଲି ରହିଛି। ରାଜ୍ୟର ଏକ ପ୍ରମୁଖ ସରକାରୀ ହୋମିଓପ୍ୟାଥିକ କଲେଜରେ ଅଧ୍ୟାପକ ପଦ ଖାଲି ପଡ଼ିଥିଲେ ହେଁ, ଏହାକୁ ପୂରଣ କରିବା ଦିଗରେ ଆୟୁଷ ବିଭାଗର ଆନ୍ତରିକତାର ଅଭାବ ରହିଥିବା ଅଭିଯୋଗ ହୋଇଛି।

ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ୧୨ଟି ବିଭାଗରେ ୟୁଜି ଓ ୫ଟି ପିଜି ପାଠ୍ୟକ୍ରମ ରହିଛି। ହେଲେ ଅର୍ଗାନନ୍‌କୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗରେ ଧାର୍ଯ୍ୟ ପଦ ଅନୁଯାୟୀ ଅଧ୍ୟାପକ ନାହାନ୍ତି। କଲେଜରେ ଅନ୍ୟ ବିଭାଗରେ ଏକାଧିକ ପଦ ଖାଲି ପଡ଼ିଛି। ପୂର୍ବରୁ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସର୍ଜରି, ମେଡିସିନ୍, ପାଥୋଲୋଜି ଓ ସ୍ତ୍ରୀ ଓ ପ୍ରସୂତି ରୋଗ ପାଇଁ ବିଶେଷଜ୍ଞ ଡାକ୍ତର ରହିଥିଲେ। ମାତ୍ର କିଛିବର୍ଷ ପୂର୍ବରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ସେବେଠାରୁ ୪ ବିଶେଷଜ୍ଞ ପଦ ଖାଲି ପଡ଼ିଛି। ସେହିପରି ଏବେ ସର୍ଜରି ଓ ପାଥୋଲୋଜି ବିଭାଗରେ ଅଧ୍ୟାପକ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ନିକଟରେ ପାଥୋଲୋଜି ବିଭାଗରେ ଥିବା ଅଧ୍ୟାପକ ଅବସର ଗ୍ରହଣ କରିବା ପରେ ବିଭାଗ ସଂପୂର୍ଣ୍ଣ ଖାଲି ପଡ଼ିଛି। ସେହିପରି ମେଡିକାଲ କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ନିର୍ଦେଶାଳୟରେ ଡେପୁଟେସନ୍‌ରେ ଅଣାଯାଉଥିବା ବେଳେ ତାଙ୍କ ବଦଳରେ ହସ୍ପିଟାଲରେ କାହାରିକୁ ନିଯୁକ୍ତ କରାଯାଉ ନାହିଁ। ସର୍ଜରି ବିଭାଗରେ ଥିବା ଅଧ୍ୟାପକଙ୍କୁ ନିର୍ଦେଶାଳୟ‌ରେ କାର୍ଯ୍ୟ କରୁଛନ୍ତି। ମାତ୍ର କ‌ଲେଜରେ ତାଙ୍କ ପଦ ଖାଲି ରହିଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା କିଭଳି ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ କଲେଜରେ ସ୍ଥାୟୀ ନିଯୁକ୍ତି ବଦଳରେ ଅନେକଙ୍କୁ ଅବସର ପରେ ଠିକାରେ ନିଯୁକ୍ତ କରାଯାଉଛି।

ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜର ଅଧ୍ୟାପକ(ଭାରପ୍ରାପ୍ତ) ଡା.ବିଜୟଲକ୍ଷ୍ମୀ ବିଶୋୟୀ କହିଛନ୍ତି, ନିକଟରେ ପାଥୋଲୋଜି ଅଧ୍ୟାପକ ଅବସର ଗ୍ରହଣ କରିଛନ୍ତି। ଯାହାଫଳରେ ବିଭାଗଟି ଖାଲି ହୋଇଯାଇଛି। ତାଙ୍କ ବଦଳରେ ଅନ୍ୟ ଅଧ୍ୟାପକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସେହିପରି ସର୍ଜରି ବିଭାଗରେ ଥିବା ଅଧ୍ୟାପକଙ୍କୁ ଆସନ୍ତା ୬ମାସ ପାଇଁ ଆୟୁଷ ନିର୍ଦେଶାଳୟ ସହିତ ସଂଯୁକ୍ତ କରାଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି। ତେବେ ଅଫ୍‌ଲାଇନ୍ କ୍ଲାସ ଆରମ୍ଭ ହେଲେ ସମସ୍ୟା ହୋଇପାରେ। ତେଣୁ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକଙ୍କ ପଦ ପୂରଣ କରିବା ଲାଗି ନିର୍ଦେଶାଳୟକୁ ପ୍ରାୟ ମାସେ ତଳେ ଚିଠି ଲେଖାଯାଇଥିଲା। ହେଲେ ନିର୍ଦେଶାଳୟ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ପୁନର୍ବାର ଏ ସଂକ୍ରାନ୍ତରେ ଚିଠି ଲେଖାଯିବ ବୋଲି ଡା.ବିଶୋୟୀ କହିଛନ୍ତି।

ସମ୍ବନ୍ଧିତ ଖବର