ଭୁବନେଶ୍ୱର : ଭାରତୀୟ ସାହିତ୍ୟରେ ପ୍ରାଚୀନତାର ଏକ ଛାପଥିବା ସବୁବେଳେ ଦେଖାଯାଇଥାଏ। ବର୍ତ୍ତମାନ ବୈଜ୍ଞାନିକ ଚିନ୍ତାଧାରା ବି ଏହାକୁ ଗ୍ରହଣ କଲାଣି। ବିଶ୍ଳେଷଣଧର୍ମୀ ବା ତାତ୍ତ୍ୱିକ ଲେଖା ଦ୍ୱାରା ସାହିତ୍ୟର ଅନ୍ୟ ଏକ ଇନ୍ଦ୍ରୀୟ ମଧ୍ୟ ବିକଶିତ ହେଲାଣି। ଏହାସହ ବିଜ୍ଞାନର ଜୟ ଜୟକାର ମଧ୍ୟରେ ପାପ, ପୁଣ୍ୟ, ଧର୍ମ ଓ ଅଧର୍ମ ଆଦି ନିଜ ସତ୍ତା ଜାହିର କରୁଥିବା ଡାକ୍ତର ଅନୀତା ପଣ୍ଡାଙ୍କ ଉପନ୍ୟାସରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ।
ଆଜି ‘ସମ୍ବାଦ ଭବନ’ ପରିସରରେ ପଶ୍ଚିମା ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଡା. ଅନୀତା ପଣ୍ଡାଙ୍କ ଉପନ୍ୟାସ ‘ପରିଧି’ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଶ୍ରୀ ଆଚାର୍ଯ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସବୁ କଥାର ଏକ ସୀମା ଥାଏ। ପରିଧି ବା ସୀମା ଅତିକ୍ରାନ୍ତ କଲେ ଏହାର ମର୍ଯ୍ୟାଦାହାନି ଘଟେ। ଅସୁବିଧା ସୃଷ୍ଟି ହୁଏ। ଭଲପାଇବା, ପାପ, ପୁଣ୍ୟ ସବୁଥିରେ ଏଭଳି ଏକ ସୀମାରେଖା ଟାଣିବା ପାଇଁ ଆମ ସାମାଜିକ ବ୍ୟବସ୍ଥାରେ ବ୍ୟବସ୍ଥା କରାଯାଇଛି। ବେଳେ ବେଳେ ଆମ ପିଲାମାନଙ୍କୁ ବୁଝାଇବା କଷ୍ଟ ହୋଇଯାଏ ଯେ, ଅନ୍ୟାୟ ଓ ଅସତ୍ୟର କୁପରିଣାମ କ’ଣ ରହିଛି। ଏଭଳି ପରିପ୍ରେକ୍ଷୀରେ ‘ପରିଧି’ ଭଳି ଉପନ୍ୟାସ ଆମମାନଙ୍କୁ ଆମ ସଂସ୍କାର, ପାପ ପୁଣ୍ୟ ଓ ଠିକ୍ ଭୁଲ୍ ବିଷୟରେ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପୁସ୍ତକର ସମୀକ୍ଷା କରି ସାହିତ୍ୟିକ ଅରବିନ୍ଦ ରାୟ କହିଲେ, ‘ପରିଧି’ ଉପନ୍ୟାସରୁ ପାଠକ ଚିତ୍ତ ବିନୋଦନର ସୁଯୋଗ ପାଇବେ ନାହିଁ। ଏହା ସମ୍ପୂର୍ଣ୍ଣ ଚିତ୍ତ ବିଶ୍ଲେଷଣଧର୍ମୀ ପୁସ୍ତକ। ଲେଖକ ଏହି ଉପନ୍ୟାସରେ ବିଭିନ୍ନ ଚରିତ୍ର ଜରିଆରେ ‘ଅତି ସର୍ବତ୍ର ବର୍ଜ୍ୟତେ’କୁ ପ୍ରମାଣିତ କରିଛନ୍ତି। ନିଜ ପୁସ୍ତକ ବିଷୟରେ ସୂଚନା ଦେଇ ଡା. ପଣ୍ଡା କହିଲେ, ନିଜ ଜୀବନର କାର୍ଯ୍ୟବଳୀର ସୀମାରେଖା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ଉଦ୍ଦେଶ୍ୟରେ ପୁସ୍ତକଟି ରଚନା କରାଯାଇଛି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୁସ୍ତକର ପ୍ରକାଶକ ଅଶୋକ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଲେଖକ ଦାଶ ବେନହୁର, ସ୍ତମ୍ଭକାର ଅସିତ ମହାନ୍ତି, ମୌସୁମୀ ମହାନ୍ତି ଓ ଗୀତାଞ୍ଜଳି ପାଣିଙ୍କ ସମତେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।