ଚନ୍ଦ୍ରଶେଖରପୁର: ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସ ଡ. ଗ୍ରାସାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସମଗ୍ର ବିଶ୍ୱରେ ଭଲିବଲ୍ର ବିକାଶ ନେଇ ଡ. ଗ୍ରାସାଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୨୦ରେ ତାଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା। ଏହି କାର୍ଯ୍ୟକ୍ରମରେ ଡ. ଗ୍ରାସାଙ୍କ ସମ୍ପର୍କରେ ସୂଚନା ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବ୍ରାଜିଲ୍ ବାସିନ୍ଦା ୮୧ ବର୍ଷ ବୟସ୍କ ଗ୍ରାସା ଦୀର୍ଘ ୧୨ ବର୍ଷ ହେଲା ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ର ସଭାପତି ଅଛନ୍ତି। ବହୁ ପ୍ରତୀକ୍ଷିତ ଐତିହାସିକ କିସ୍ ଭଲିବଲ୍ ମହୋତ୍ସବରେ ଯୋଗଦେବା ପାଇଁ ଶ୍ରୀ ସାମନ୍ତ ଡ. ଗ୍ରାସାଙ୍କୁ ନିମନ୍ତ୍ରଣ କରିବାପରେ ସେ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ଗ୍ରାସାଙ୍କୁ ସମ୍ମାନୀତ କରିବା ଦ୍ୱାରା ବିଶ୍ୱର ୨୨୨ଟି ଦେଶରେ ଓଡ଼ିଶାର ପରିଚିତି ସୃଷ୍ଟି ହୋଇପାରିଲା।
ଏହି ଅବସରରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ, କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ହେଉଛି ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ। ସାମାଜିକ ଓ ମାନବିକତା କ୍ଷେତ୍ରରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରୋତ୍ସାହିତ କରିବା ସହ ଏ ଦିଗରେ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାଏ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ଭଳି ଏକ ବିଶ୍ୱସ୍ତରୀୟ ସମ୍ମାନ ପ୍ରତିଷ୍ଠା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରି ଶ୍ରୀ ସାମନ୍ତ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଥିଲେ। କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ଗ୍ରହଣ କରି ଡ. ଗ୍ରାସା କହିଲେ, ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଶ୍ରୀ ସାମନ୍ତ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ଜଣେ ଉଦାହରଣ।