ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦେଶକ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂଆ ନିର୍ଦେଶକ (ହେଲଥ୍ ପ୍ରୋଗ୍ରାମ) ଭାବେ ଯୋଗ ଦେଇଛନ୍ତି। ଡାକ୍ତର ମହାପାତ୍ର ଗତ ବର୍ଷ ଡିସେମ୍ବର ମାସରେ ଏମ୍ସ ନୂଆଦିଲ୍ଲୀରୁ ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ପଦବିରୁ ଅବସର ନେଇଥିଲେ। ତାଙ୍କୁ ସୋଆ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଆଇଏମ୍ଏସ ଆଣ୍ଡ ସମ୍ ହସ୍ପିଟାଲର ଏକାଡେମିକ, ଗବେଷଣା ସହ ରୋଗୀସେବା ଦାୟିତ୍ୱ ଦିଆଯାଇଛି। ଆଗାମୀ ଦିନରେ ଖୋଲିବାକୁ ଥିବା (ସୁପର ସ୍ପେସିଆଲିଟି) ସମ୍ ଅଲଟିମେଟ୍ ହସ୍ପିଟାଲର ଦାୟିତ୍ୱରେ ମଧ୍ୟ ରହିବେ। ଏହାସହ ଡାକ୍ତର ପ୍ରଶାନ୍ତ କୁମାର ସାହୁ ମଧ୍ୟ ହସ୍ପିଟାଲ ହୃଦ୍ ବିଭାଗର ପ୍ରଫେସର ଭାବେ ଯୋଗ ଦେଇଛନ୍ତି। ନିଜ ପ୍ରତିକ୍ରିୟା ଡା.ମହାପାତ୍ର କହିଛନ୍ତି, ସମ୍ରେ ରୋଗୀସେବାକୁ ଆହୁରି ଅଧିକ ଲୋକାଭିମୁଖୀ କରିବାକୁ ଅଗ୍ରାଧିକାର ଦିଆଯିବ।
ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅସ୍ତ୍ରୋପଚାରରେ ଡା.ମହାପାତ୍ର ନେତୃତ୍ୱ ନେଇଥିଲେ। ଯୋଡ଼ାମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର କରି ଚିକିତ୍ସା ବିଜ୍ଞାନକୁ ଏକ ନୂଆ ଦିଗ ଦେଖାଇବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଡାକ୍ତର ମହାପାତ୍ର ଏସ୍ଜିପିଜିଆଇର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ନୂଆଦିଲ୍ଲୀ ଏମ୍ସର ଡିନ୍(ରିସର୍ଚ) ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଭୁବନେଶ୍ୱରରେ ଏମ୍ସର ପ୍ରତିଷ୍ଠାତା ନିର୍ଦେଶକ ଭାବେ ୨୦୧୨ ଅଗଷ୍ଟ ମାସରୁ ୨୦୧୬ ଅକ୍ଟୋବର ଯାଏଁ ରହିଥିଲେ। ୨୦୧୬ରେ ସେ ପୁଣି ନୂଆଦିଲ୍ଲୀ ଏମ୍ସ ଫେରିଯାଇ ନ୍ୟୁରୋ ସାଇନ୍ସ ବିଭାଗର ମୁଖ୍ୟ ହୋଇଥିଲେ।