ଭୁବନେଶ୍ବର: ୧୯୮୯ ମସିହାର କଥା। ପ୍ରଥମ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ପରେ ଆମେରିକା ଭାରତକୁ ସମସ୍ୟାରେ ପକାଇବା ପାଇଁ ଚେଷ୍ଟା କରିଥିଲା। ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର, ଡାଇଗ୍ରାମ୍ ସମେତ ଆମେରିକୀୟ ବୌଜ୍ଞାନିକମାନଙ୍କୁ ଭାରତରୁ ଫେରାଇ ନେଇଥିଲା। ଆମେରିକା ଭାବିଥିଲା, ତା’ ସହଯୋଗ ବିନା ଭାରତ କ୍ଷେପଣାସ୍ତ୍ର ତିଆରି କରିବାରେ ସଫଳ ହୋଇପାରିବ ନାହିଁ। କିନ୍ତୁ ଭାରତୀୟ ବୌଜ୍ଞାନିକମାନେ ତାହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ସ୍ବଦେଶୀ ଜ୍ଞାନକୌଶଳରେ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିବାକୁ ପଣ କରିଥିଲେ ଓ ପରବର୍ତ୍ତୀ ସମୟରେ ତାହା ବାସ୍ତବତାର ରୂପ ନେଇଥିଲା। ଡାଇଗ୍ରାମ୍ଠାରୁ ଆରମ୍ଭ କରି ହାର୍ଡୱେୟାର୍ ଡିଜାଇନ୍, ସବୁ କିଛି ସ୍ବଦେଶରେ ପ୍ରସ୍ତୁତ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେତେବେଳେ କ୍ଷେପଣାସ୍ତ୍ରର ମାରକ କ୍ଷମତା ୭୫୦ କିଲୋମିଟର ଥିବା ବେଳେ ଏବେ ୫ହଜାର କିମି ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ତିଆରି କରାଯାଉଛି। ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ୍ କଲାମଙ୍କର ଅନେକ ଅବଦାନ ରହିଛି। ଦେଶକୁ ଆତ୍ମନିର୍ଭର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାକୁ ବର୍ତ୍ତମାନର ଛାତ୍ରଛାତ୍ରୀ ଅନୁସରଣ କଲେ ଦେଶ ବିକାଶର ଶିଖର ଛୁଇଁବ ବୋଲି ବିଶିଷ୍ଟ ବୈଜ୍ଞାନିକ ଡ. ବିନୟ କୁମାର ଦାସ କହିଛନ୍ତି। ଡ. ଅବଦୁଲ୍ କଲାମଙ୍କ ସହ କାମ କରିବାର ଅନୁଭୂତିରୁ ସେ କହିଥିଲେ ଯେ କଲାମ ସବୁବେଳେ ତାଙ୍କ ଟିମ୍ର ସଦସ୍ୟମାନଙ୍କୁ ଦେଶ ପାଇଁ କାମ କରିବାକୁ ପ୍ରୋତ୍ସାହିତ କରୁଥିଲେ। ମୁଁ ଆଇଆଇଟିରେ ଟପର୍ ହୋଇଥିଲି, ସ୍ବର୍ଣ୍ଣପଦକ ବି ହାସଲ କରିଥିଲି। ମୋ ବ୍ୟାଚ୍ର ପିଲାମାନେ ବିଦେଶ ଚାଲି ଯାଇଥିଲେ। ମୋତେ ଇଂଲଣ୍ଡ ଓ ଆମେରିକା କିଣିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ମୁଁ ଦେଶର ଋଣ ପରିଶୋଧ କରିବାକୁ ସଂକଳ୍ପ ନେଇଥିଲି ଏବଂ ସେହି ସଂକଳ୍ପକୁ ସିଦ୍ଧ କରିବାକୁ ମୋତେ କଲାମ ପ୍ରେରଣା ଦେଉଥିଲେ। ବିଫଳତା ଭିତରେ କିଭଳି ସଫଳତା ପାଇ ହୁଏ, ସେ କଳା କଲାମ ଆମକୁ ଶିଖାଇଥିଲେ। ତେଣୁ ଦେଶର ଛାତ୍ରଛାତ୍ରୀମାନେ ଦେଶକୁ ଭଲ ପାଆନ୍ତୁ ଓ ଦେଶ ପାଇଁ କାମ କରନ୍ତୁ ବୋଲି ଡ. ଦାସ କହିଛନ୍ତି।