ଭୁବନେଶ୍ୱର: ପ୍ରଫେସର ଡ. ଖଗେଶ୍ବର ମହାପାତ୍ରଙ୍କ ୮୬ତମ ଜୟନ୍ତୀ ଅବସରରେ ପ୍ରଫେସର ଡ. ଖଗେଶ୍ବର ମହାପାତ୍ର ସ୍ମାରକୀ ବକ୍ତୃତାମାଳା ରେଡ୍କ୍ରସ୍ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ନଟବର ଶତପଥୀ ପ୍ରଥମ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ, ଓଡ଼ିଆ ଭାଷାର ଅପସାରିତ, ଉପେକ୍ଷିତ ଶବ୍ଦ ଓ ବ୍ୟାକରଣ ବ୍ୟବସ୍ଥାକୁ ସମୁଚିତ ବିଚାର ଓ ସ୍ଥାନ ଦେବାପାଇଁ ପ୍ରଫେସର ମହାପାତ୍ର ଶତତ ଚେଷ୍ଟିତ ଥିଲେ। ଆଦିବାସୀ ଭାଷା ସମୂହ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା। ସେଗୁଡ଼ିକୁ ଓଡ଼ିଆ ଭାଷା ଆଲୋଚନାରେ ସ୍ଥାନିତ ନ କଲେ ଭାଷାର ପରମ୍ପରା ଅପୂର୍ଣ୍ଣ ରହିବ। ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କର ଭାଷା ପ୍ରତି ରହିଥିବା ଶ୍ରଦ୍ଧା ସମ୍ପର୍କରେ ଆଲୋକପାତ କରିଥିଲେ। ଆବାହକ ମଣ୍ଡଳୀ ସଦସ୍ୟ ଡ. ସନ୍ତୋଷ କୁମାର ରଥ ଡ. ମହାପାତ୍ରଙ୍କର ଭାଷା, ସାହିତ୍ୟଓ ସଂସ୍କୃତିର ଧାରାକୁ ଆଗକୁ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଦିବଂଗତ ଭାଷା ସଂଗ୍ରାମୀ ବୈଷ୍ଣବ ପରିଡ଼ାଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଖଗେଶ୍ବର ମହାପାତ୍ର ଫାଉଣ୍ଡେସନ୍ ଅଧ୍ୟକ୍ଷା ମଞ୍ଜୁ ନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ବାବାଜୀ ଚରଣ ପଟ୍ଟନାୟକ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। ଡ. ରଶ୍ମିତା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଅନ୍ୟତମ ସଦସ୍ୟ ଡ. ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ବସନ୍ତ ପଣ୍ଡା, ଡ. ନିତ୍ୟାନନ୍ଦ ସାହୁ, ଡ. ବିଭୂତି ଭୂଷଣ ପଣ୍ଡା, ଡ. ଶ୍ରୀଚରଣ ମହାନ୍ତି ପ୍ରମୁଖ ସାହିତ୍ୟିକ ଯୋଗ ଦେଇଥିବା ବେଳେ ବିଶ୍ବଭାରତୀ ବହୁ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।
ପ୍ରଫେସର ଡ. ଖଗେଶ୍ବର ମହାପାତ୍ର ସ୍ମାରକୀ ବକ୍ତୃତା
/sambad/media/post_attachments/wp-content/uploads/2018/11/Untitled-7-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)