ଭୁବନେଶ୍ୱର: ମହିଳା ସଶକ୍ତିକରଣ କେବଳ ନାରା ହୋଇ ନ ରହୁ, ବାସ୍ତବତାରେ ରୂପାୟନ ହେଉ କିଛି ଏମିତି ବାର୍ତ୍ତାରେ ବିଶ୍ୱାସ ରଖୁଥିବା ଜଣେ ଓଡ଼ିଆ ଝିଅ ଏବେ ଜାତୀୟ ସ୍ତରରେ ସ୍ୱୀକୃତି ପାଇଛନ୍ତି | ଏହି ଓଡ଼ିଆ ଝିଅ କେବଳ ସ୍ୱୀକୃତି ପାଇନାହାନ୍ତି ବରଂ ଦେଶ ବିଦେଶର ଅନେକ ପ୍ରଖ୍ୟାତ ବ୍ୟକ୍ତିବିଶେଷଙ୍କ ଠାରୁ ଢେର ପ୍ରଶଂସା ବି ପାଇଛନ୍ତି | ଆମେ କହୁଛୁ ଓଡ଼ିଆ ଝିଅ ତଥା ଆଇଡିଏସର ଓରାଲ ମେଡ଼ିସିନ ଓ ରେଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼.ରୁପ୍ସା ଦାସଙ୍କ କଥା | କିଛି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ 'ଆର୍ଟିସ୍ତ୍ରୀ' ନାମକ ସଂଗଠନର ପ୍ରତିଷ୍ଠାତା ରୁପ୍ସାଙ୍କୁ ବ୍ରିଟାନିଆ ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ ସୋରେ ସମ୍ମାନିତ କରାଯାଇଛି | 

Advertisment

୨୦୨୨ରେ 'ଆର୍ଟିସ୍ତ୍ରୀ'ର ପ୍ରତିଷ୍ଠା କରିଥିଲେ ରୁପ୍ସା | ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଚାର ଓ ପ୍ରସାର ସହ କିଛି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବାର ନିଶା ରୁପ୍ସାଙ୍କୁ ଏହି ଅନୁଷ୍ଠାନ କରିବାର ପ୍ରେରଣା ଦେଇଥିଲା | ବର୍ତ୍ତମାନ 'ଆର୍ଟିସ୍ତ୍ରୀ'ରେ ୧୪ ଜଣ ମହିଳା କାର୍ଯ୍ୟ କରୁଥିବାବେଳେ ଦିନେ ଯେଉଁମାନେ ଆର୍ଥିକ କ୍ଷେତ୍ରରେ ପଛୁଆ ଥିଲେ ଏବେ ସେମାନେ ଆତ୍ମନିର୍ଭରଶୀଳ ସହ ଆର୍ଥିକ ସ୍ଵଛଳ ହୋଇପାରିଛନ୍ତି | ଓଡ଼ିଶାର ବିଭିନ୍ନ ଜିଲ୍ଲାର ମହିଳାମାନେ ରୁପ୍ସାଙ୍କ ସହ ଯୋଗ ଦେଇ ଚିତ୍ରକଳା ମାଧ୍ୟମରେ ପଟ୍ଟଚିତ୍ର ସହ ମଡର୍ଣ୍ଣ ଆର୍ଟ କରୁଛନ୍ତି | ଜଣେ ଡାକ୍ତର ହୋଇଥିଲେ ବି କଳାର ନିଶାକୁ ରୁପ୍ସାଙ୍କୁ ଏଯାଏଁ ଛାଡିପାରିନି | ଲଳିତ କଳା ଏକାଡେମୀରେ ଲଳିତ କଳାକୁ ନେଇ ଅଧ୍ୟୟନ ରୁପ୍ସାଙ୍କୁ ନିରବ ବସିବାକୁ ଦେଇନଥିଲା | ଲଳିତ କଳାର ମାଧୁର୍ଯ୍ୟକୁ କେମିତି ଦେଶ ବିଦେଶରେ ପହଞ୍ଚାଇହେବ, ବିଶେଷ କରି ଓଡ଼ିଶାର ମା-ଭଉଣୀଙ୍କୁ କିଭଳି ସଶକ୍ତ କରିହେବ ସେ ପ୍ରୟାସରେ ଲାଗିପଡିଛନ୍ତି ରୁପ୍ସା |

ଆଉ ରୁପ୍ସାଙ୍କ ଏଭଳି ଉଦ୍ୟମକୁ ଜାତୀୟ ମଞ୍ଚରେ ଢେର ପ୍ରଶଂସା କରାଯିବା ସହ ବ୍ରିଟାନିଆ ପକ୍ଷରୁ ଆୟୋଜିତ 'ହର ଷ୍ଟାର୍ଟଅପ ସୋ'ରେ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବଲିଉଡ ସେଲିବ୍ରିଟି ନେହା ଧୂପିଆ, ସିପ୍ରା ଖାନ୍ନା, ଏନଏସଡ଼ିସିର ଶ୍ରେଷ୍ଠା ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ | କେବଳ ଏତିକି ନୁହେଁ ଏହା ମଧ୍ୟ ଜିଓ ହଟଷ୍ଟାରରେ ପ୍ରସାରିତ ହୋଇଥିଲା | ଯାହାକୁ ଦେଖି ଅନେକ ମହିଳା ଅନୁପ୍ରାଣିତ ହୋଇଥିଲେ |